ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ଶୁଭାରମ୍ଭ

ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ଶୁଭାରମ୍ଭ । ଢେଙ୍କାନାଳ, ତା. ୨୫.୯.୨୦୨୬- ଆଜି ସାରା ରାଜ୍ୟରେ ସମବାୟ ସଦସ୍ୟତା ମହା ଅଭିଯାନ “ସମ୍ବନ୍ଧ” ଶୁଭାରମ୍ଭ ହୋଇଛି । ଭୁବନେଶ୍ଵରସ୍ଥିତ ଓ.ୟୁ.ଏ.ଟି. ର କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଭାଷି ମାଧ୍ୟମରେ ୪ଟି ମଡ଼େଲ ମଣ୍ଡି ଓ ୩ଟି ବୃହତ୍ ଶସ୍ୟ ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଆଧୁନିକ ସୁବିଧା ଥିବା ୧୮୫ ଟି ଧାନ କ୍ରୟ କେନ୍ଦ୍ର ଓ ୬୬ ଟି ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସର ଅଫିସ ଗୃହ ଓ ଗୋଦାମର ଶୁଭ ଉଦ୍ଘାଟନ କରିଥିଲେ । ଏଥିମଧ୍ୟରୁ ଢ଼େଙ୍କାନାଳ ଜିଲ୍ଲାର ୨୫ଟି ଧାନ କ୍ରୟ କେନ୍ଦ୍ରର ନୂତନ ଭିତ୍ତିଭୂମି ଲୋକାର୍ପିତ ହୋଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଏହି ସମ୍ବନ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଅଧିକ ସଂଖ୍ୟକ ଲୋକ ମୁଖ୍ୟତଃ ଯୁବକ-ଯୁବତୀ ସାମିଲ ହେଲେ, କୃଷି ଓ ଗ୍ରାମାଞ୍ଚଳର ଦ୍ରୁତ ବିକାଶ ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଦୀର୍ଘ୍ୟକାଳୀନ ଓ ଫଳପ୍ରସୂ ବିକାଶ ପାଇଁ ଏହି ସମ୍ବନ୍ଧ ଅଭିଯାନ ବିଶେଷ ଭାବରେ ସହାୟକ ହେବ ବୋଲି ସେ କହିଥିଲେ । କୃଷି ଓ କୃଷକ ମାନଙ୍କ ଉନ୍ନତି କଳ୍ପେ ରାଜ୍ୟ ସରକାର ବିିଭିନ୍ନ କାର୍ଯ୍ୟକ୍ରମକୁ ଡ଼ିଜିଟାଇଜେସନ୍ ମାଧ୍ୟମରେ ତ୍ୱରାନ୍ୱିତ କରାଇ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସରକାର ଯତ୍ନବାନ ଅଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ) ଶ୍ରୀ ଲଳିତ ମୋହନ ବେହେରା ପ୍ରକାଶ କହିଥିଲେ । ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଉମା ଶଙ୍କର ଦାସ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ସମବାୟ ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ବର୍ତ୍ତମାନ ଜିଲ୍ଲାରେ ସମବାୟରେ ୨ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ସାମିଲ ଅଛନ୍ତି, ୨ ମାସ ଧରି ଚାଲିବାକୁ ଥିବା ଏହି ସମ୍ବନ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଇ ସମବାୟର ପରିବେଷ୍ଟନୀକୁ ଅଧିକ ବୃଦ୍ଧି କରାଯାଇ କୃଷି, କୃଷକ ଓ ଗ୍ରାମାଞ୍ଚଳରେ ସାମାଜିକ ବିକାଶକୁ ଆଗେଇ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । କୃଷି ସହିତ ଶିକ୍ଷା ଓ ମହିଳାଙ୍କ ସାମଗ୍ରିକ ବିକାଶ ସାଧାରଣ ଲୋକଙ୍କ ଜୀବନକୁ ସୁଖମୟ କରିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଷୀ ଭାଇ ଭଉଣୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଶ୍ରୀ ପ୍ରଭାଷ କୁମାର ବେହୁରା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପଢ଼ିଆରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶୁଭଶ୍ରୀ ମିଶ୍ର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶ୍ରୀ ଅବନୀ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *