ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ କାଣ୍ଡ;

ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ କାଣ୍ଡ; ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ।ଏରସମା: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ସିଆଳି ବେଳାଭୂମିରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ କେହି ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି।ଗୁରୁବାର ସକାଳେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ବେଳାଭୂମିରେ ପହଞ୍ଚିବା ପରେ ପ୍ରତିମୂର୍ତ୍ତିଟି ଭଙ୍ଗା ଅବସ୍ଥାରେ ଦେଖିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସିଆଳି ବେଳାଭୂମି ଭଳି ପର୍ଯ୍ୟଟନସ୍ଥଳୀରେ ଐତିହାସିକ ଓ ସମ୍ମାନନୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିବା ସହ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ତୁରନ୍ତ ଚିହ୍ନଟ କରି କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଘଟଣାର ପ୍ରକୃତ କାରଣ କ’ଣ ଏବଂ କିଏ ଏହି କାଣ୍ଡ ଘଟାଇଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଓ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ଦାବି ହୋଇଛି।ତେବେ ଘଟଣାରେ ଆସିଛି ନୂଆ ମୋଡ଼। ଶିଆଳି ନିକଟସ୍ଥ ବନ୍ୟ ସମିତି ଗୃହର ବାଉଣ୍ଡରି କଡ଼ରେ ମିଳିଛି ବିଜୁ ବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି।ପ୍ରତିମୂର୍ତ୍ତିଟି କିଏ ଭାଙ୍ଗିଲା, କିପରି ଏହା ବନ୍ୟ ସମିତି ଗୃହ ନିକଟରେ ପହଞ୍ଚିଲା—ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ।ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଦୋଷୀ କିଏ ଏବଂ ଘଟଣା ପଛରେ କଣ ରହିଛି ଉଦ୍ଦେଶ୍ୟ, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଏପଟେ ଓଡ଼ିଶାର ମହାନ ଜନନାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଏରସମା ଅଞ୍ଚଳରେ ଦେଖାଦେଇଛି ଜନ ଅସନ୍ତୋଷ। ଦୋଷୀଙ୍କୁ ଶୀଘ୍ର ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ସହ ଶିଆଳି ବେଳାଭୂମିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *