ଦେଶବ୍ୟାପୀ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
ଦେଶବ୍ୟାପୀ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ l ‘ଆମ ଜମି କାହିଁକି ସୁସ୍ଥ ରହିପାରୁନାହିଁ, ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି; ମୃତ୍ତିକାକୁ ଅନୁର୍ବର ହେବାରୁ ରକ୍ଷା କରିବା ଆମର ଜାତୀୟ କର୍ତ୍ତବ୍ୟ” ‘‘୨୨ ଅକ୍ଟୋବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ଅଭିଯାନ ଚାଲିବ: ଜନସଚେତନତା ସୃଷ୍ଟି କରିବା ପାଇଁ ବୈଜ୍ଞାନିକମାନେ ଦେଶର ବିଭିନ୍ନ ଗ୍ରାମ ପରିଦର୍ଶନ କରିବେ’’ ନୂଆଦିଲ୍ଲୀ, ୨୨ ଅକ୍ଟୋବରକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅନ୍ତର୍ଗତ ଐତିହାସିକ ତାରାଓରି ସହରରୁ ଦେଶବ୍ୟାପୀ ‘କ୍ଷେତ ବଚାଓ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ଏବଂ କୃଷି ଅନୁଷ୍ଠାନଗୁଡ଼ିକରୁ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିବା ଲକ୍ଷ ଲକ୍ଷ କୃଷକ, କୃଷି ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ ରାସାୟନିକ ସାର ଓ କୀଟନାଶକର ଅସନ୍ତୁଳିତ ବ୍ୟବହାର ପ୍ରତି ସତର୍କ କରାଇ ଦେଇଥିଲେ । ସେ କହିଥିଲେ, ଏହା ଉପରେ ନିୟନ୍ତ୍ରଣ ନଆଣିଲେ ଭବିଷ୍ୟତରେ ମୃତ୍ତିକା ଫସଲ ଉତ୍ପାଦନ କରିବାକୁ ମନା କରିଦେଇପାରେ ଏବଂ ମାନବ ଶରୀର ବିଭିନ୍ନ ରୋଗର ଆଶ୍ରୟସ୍ଥଳୀ ପାଲଟିଯାଇପାରେ। ସେ ୨୦୨୬ ମସିହା ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଗ୍ରାମରେ ଏକ ବ୍ୟାପକ ଜନସଚେତନତା ଅଭିଯାନ ଚଳାଇବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ଚୌହାନ ହରିୟାଣାର ଗରିବ ପରିବାରଗୁଡ଼ିକ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ ମାଧ୍ୟମରେ ୨୮,୪୨୨ଟି ପକ୍କା ଘର ନିର୍ମାଣ ଲାଗି ୧,୩୪୩.୦୬ କୋଟି ଟଙ୍କାର ଆର୍ଥିକ ସହାୟତା ହସ୍ତାନ୍ତର କରିଛନ୍ତି ।ସାରର ମୂଲ୍ୟ ଏବଂ କୃଷକମାନଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଇଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କୌଣସି ଅତିରିକ୍ତ ଆର୍ଥିକ ବୋଝ ପଡ଼ିବାକୁ ଦେଉ ନାହାନ୍ତି । କୃଷକମାନେ ଯେପରି ଗୋଟିଏ ବସ୍ତା ୟୁରିଆ ମାତ୍ର ୨୬୬ ଟଙ୍କାରେ ଏବଂ ଡିଏପି ୧,୩୫୦ ଟଙ୍କାରେ ପାଇପାରିବେ, ତାହା ସୁନିଶ୍ଚିତ କରିବା ପାଇଁ ସରକାର ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସାର ରିହାତି ବହନ କରୁଛନ୍ତି। ତେବେ, ସାର ଶସ୍ତାରେ ଉପଲବ୍ଧ ହେଉଛି ବୋଲି ଏହାର ଅତ୍ୟଧିକ ବ୍ୟବହାର କରିବା ଉଚିତ ନୁହେଁ ବୋଲି ସେ କୃଷକମାନଙ୍କୁ ସତର୍କ କରାଇ ଦେଇଛନ୍ତି ।ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର ଉପରେ ଆଧାରିତ ଚାଷର ଗମ୍ଭୀର ପରିଣାମ ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି, ବିଷାକ୍ତ କୀଟନାଶକ ଏବଂ ଅତ୍ୟଧିକ ତଥା ଅନିୟନ୍ତ୍ରିତ ସାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଖାଦ୍ୟ ଗ୍ରହଣ କରିବା ଫଳରେ ମାନବ ଶରୀର କ୍ରମଶଃ ଗମ୍ଭୀର ରୋଗର ଆଶ୍ରୟସ୍ଥଳୀ ପାଲଟିଯାଉଛି । ମୃତ୍ତିକା ସଂରକ୍ଷଣ ପାଇଁ ତିନୋଟି ବାସ୍ତବ ସିଦ୍ଧାନ୍ତ ଉପରେ ସେ ଆଲୋକପାତ କରିଥିଲେ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡକୁ ଆଧାର କରି ସନ୍ତୁଳିତ ରାସାୟନିକ ସାର ପ୍ରୟୋଗ, ଫସଲ ବଦଳିବା ଜରିଆରେ ଫସଲ ଚକ୍ରରେ ପରିବର୍ତ୍ତନ ଏବଂ ଅନ୍ତତଃ ଅଧ ଏକର ଜମିରେ ପ୍ରାକୃତିକ ଚାଷ ଆପଣାଇବା ଉପରେ ସେ ଆଲୋକପାତ କରିଥିଲେ ।କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)ର ମହାନିର୍ଦ୍ଦେଶକ, ବୈଜ୍ଞାନିକ ଏବଂ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ନିଜର ପରୀକ୍ଷାଗାର ଓ କାର୍ଯ୍ୟାଳୟରୁ ବାହାରି ୨୦୨୬ ମସିହା ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ଗ୍ରାମ ପରିଦର୍ଶନ କରନ୍ତୁ । ସେମାନେ ଗ୍ରାମ ସ୍ତରରେ ବୈଠକ ଆୟୋଜନ କରିବା ସହ କୃଷକମାନଙ୍କ ସହ ଆଲୋଚନା କରିବେ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ତଥା ସନ୍ତୁଳିତ କୃଷି ପଦ୍ଧତିର ଗୁରୁତ୍ୱ ସମ୍ପର୍କରେ ସେମାନଙ୍କୁ ବୁଝାଇବେ । ମନ୍ତ୍ରୀ ନିଜେ ମଧ୍ୟ ଏହି ଅଭିଯାନରେ ସକ୍ରିୟ ଭାବେ ଜଡ଼ିତ ରହିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି, ଯାହାଦ୍ୱାରା ଏହି ପଦକ୍ଷେପ ସିଧାସଳଖ କୃଷକମାନଙ୍କ ନିକଟରେ ପହଞ୍ଚିପାରିବ ଏବଂ ଭାରତର କୃଷି ଭୂମିକୁ ଅନୁର୍ବର ହେବାରୁ ରକ୍ଷା କରିବାରେ ସହାୟକ ହେବ ।
