ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ

ଢେଙ୍କାନାଳ, ୨୬/୧୦: ଢେଙ୍କାନାଳର ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଆଜି ସନ୍ଧ୍ୟାରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଭିଭାଷଣରେ ସେ ‘ଭୋକାଲ୍ ଫର୍ ଲୋକାଲ୍’ ମନ୍ତ୍ରକୁ ଆପଣାଇବା ସହ ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ଓ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ଉତ୍ପାଦ କିଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଉଦ୍‌ଘାଟନୀ ସମାରୋହରେ ହିନ୍ଦୋଳ ବିଧାୟିକା ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ ଏବଂ ଢେଙ୍କାନାଳ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ। ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍), ଭୁବନେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଏହି ମେଳା ଆୟୋଜିତ ହେଉଛି। ଏଥିରେ ପଞ୍ଚାୟତିରାଜ ବିଭାଗ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ବିଭାଗ, ମିଶନ ଶକ୍ତି ଏବଂ ବୟନ ଶିଳ୍ପ ବିଭାଗ ସହଯୋଗୀ ଭାବେ ସାମିଲ ହୋଇଛନ୍ତି।ଚଳିତବର୍ଷ ମେଳାରେ ୧୫ଟି ରାଜ୍ୟ, ଓଡ଼ିଶାର ୩୦ଟି ଜିଲ୍ଲା, ୩୫୨ଟି ଗୋଷ୍ଠୀ ଓ ଅନୁଷ୍ଠାନରୁ ମୋଟ ୬୫୮ ଜଣ ଅଂଶଗ୍ରହଣ କରୁଛନ୍ତି। ମେଳାରେ ୨୭୫ଟି ବିକ୍ରୟ ଓ ପ୍ରଦର୍ଶନୀ ଷ୍ଟଲ୍, ୨୮ଟି ଖାଦ୍ୟ ଷ୍ଟଲ୍ ଏବଂ ୫ଟି ସୁଭଦ୍ରା ଶକ୍ତି ଫୁଡ୍ ଷ୍ଟଲ୍ ସ୍ଥାନ ପାଇଛି। ଏହି ଷ୍ଟଲ୍‌ଗୁଡ଼ିକରେ ବିଭିନ୍ନ ରାଜ୍ୟର ପାରମ୍ପରିକ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ସାମଗ୍ରୀ ଓ ଗ୍ରାମୀଣ ଉଦ୍ୟୋଗର ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ କରାଯାଉଛି।ମେଳାର ଅନ୍ୟତମ ଆକର୍ଷଣ ଭାବେ ତେଲେଙ୍ଗାନାର ପଂଚମପାଲି ହସ୍ତତନ୍ତ, ପଶ୍ଚିମବଙ୍ଗର ବାଉଁଶ ତନ୍ତୁରେ ପ୍ରସ୍ତୁତ ହସ୍ତତନ୍ତ ଓ ଶୁଖିଲା ଫୁଲ, ତାମିଲନାଡୁର ଶାଢ଼ି ଓ ହସ୍ତତନ୍ତ, ମଣିପୁରର ଉଲ୍‌ନ୍ ଉତ୍ପାଦ, ଆସାମର ବାଉଁଶ ହସ୍ତଶିଳ୍ପ, କର୍ଣ୍ଣାଟକର ମହୀଶୂର ଚନ୍ଦନ ଧୂପ ଏବଂ ଜମ୍ମୁ-କାଶ୍ମୀରର ହସ୍ତତନ୍ତ ସାମଗ୍ରୀ ରହିଛି। ଏହାଦ୍ୱାରା ଗ୍ରାମୀଣ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦର ବଜାର ସୁଯୋଗ ପାଇପାରିବେ।ଉଦ୍‌ଘାଟନ ପୂର୍ବରୁ ମନ୍ତ୍ରୀ ଶ୍ରୀ ପାତ୍ର ମହିଷାପାଟଠାରେ ହସ୍ତଶିଳ୍ପ ବଜାର ଷ୍ଟୋର୍‌ର ରିବନ୍ କାଟି ଶୁଭାରମ୍ଭ କରିଥିଲେ।ଏହି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳନ କରାଯିବ।ଉଲ୍ଲେଖଯୋଗ୍ୟ ଯେ, ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବ ଅବସରରେ ଆୟୋଜିତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଜିଲ୍ଲାର ସାଂସ୍କୃତିକ ଓ ବାଣିଜ୍ୟିକ ପରିବେଶକୁ ଅଧିକ ସମୃଦ୍ଧ କରିବା ସହ ଗ୍ରାମୀଣ ଉତ୍ପାଦକୁ ବ୍ୟାପକ ବଜାର ସହ ଯୋଡ଼ିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *