ବ୍ରିଟିଶ୍ ଅମଳର ଐତିହ୍ୟ ବହନ କରୁଥିବା ମଧୁପୁର ଗଡ଼ ଡାକ ଘର ଏବେ ଅବହେଳିତ ଭଙ୍ଗା ଆଜବେଷ୍ଟ ତଳେ ଅସୁରକ୍ଷିତ ଜନତାଙ୍କ ଜମା
ଧର୍ମଶାଳା = ଏ ଥିଲା ଗାଁ ର ଗର୍ବ, ଯାହା ବ୍ରିଟିଶ୍ ଅମଳରୁ ଲୋକଙ୍କ ସୁଖ ଦୁଃଖର ଚିଠି ବାର୍ତା ବୋହି ଆଣୁଥିଲା, ଆଜି ସେହି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁର ଗଡ଼ ଡାକ ଘର ନିଜେ ସହାୟତା ମାଗୁଛି। ଗାଁ ର ବୟୋଜ୍ୟେଷ୍ଠ ମାନେ କୁହନ୍ତି, ଏହା ହେଉଛି ବ୍ରିଟିଶ୍ ଶାସନ ସମୟର ଏକ ପୁରାତନ ପୋଷ୍ଟ ଅଫିସ। ସ୍ୱାଧୀନତା ପୂର୍ବରୁ ଏହି ଅଞ୍ଚଳର ଏକମାତ୍ର ଯୋଗାଯୋଗର ମାଧ୍ୟମ ଥିଲା ଏହି ଡାକ ଘର।ଆଜି ଡିଜିଟାଲ ଯୁଗରେ ମଧ୍ୟ ଏହି ଡାକ ଘରର ଗୁରୁତ୍ୱ କମିନାହିଁ। ଏଠାରେ ପ୍ରତିଦିନ ଶହ ଶହ ଲୋକ ନିଜର ସଞ୍ଚୟ ଖାତା, ଦୈନନ୍ଦିନ ଜମା, ଫିକ୍ସ ଡିପୋଜିଟ୍, ଆର ଡି ମନିଅର୍ଡର କରୁଛନ୍ତି। ଏହା ସହିତ ବ୍ୟାଙ୍କ ଠାରୁ ଆରମ୍ଭ କରି ବ୍ଲକ, ତହସିଲ, ପଞ୍ଚାୟତର ସମସ୍ତ ସରକାରୀ ଗୁରୁତ୍ୱପୂର୍ଣ୍ଣ ଚିଠି ଏହି ବାଟ ଦେଇ ଆସୁଛି।ବ୍ରିଟିଶ ଅମଳ ରେ ଜେନାପୁର ଡାକ ଘରକୁ ବିଭିନ୍ନ ଦେଶ ଓ ରାଜ୍ୟ ର ଚିଠି ପତ୍ର ଓ ଅନ୍ୟାନ୍ୟ ନଥି ପତ୍ର ରେଳ ଯୋଗେ ଆସେ ଏବଂ ସେହି ଚିଠି ଓ ନଥି ପତ୍ର ରେଳ ଯୋଗେ ଏହି ସର୍ବ ପୁରାତନ ମଧୁପୁରଗଡ଼ ଡାକ ଘରେ ପହଞ୍ଚେ ପରେ ସେଠାରୁ ନିକଟରେ ଥିବା ଗ୍ରାମାଞ୍ଚଳ ଡାକ ଘର ବାଟିଯୋଡ଼ା ଓ ମହିସରା କୁ ପଠାଯାଏ l ପ୍ରାୟ ଆଖ ପାଖ ୭ ପଂଚାୟତ ର ଜନତା ଉପକୃତ ହୋଇଥାନ୍ତି l କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି, ଯେଉଁ ଘରେ ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଶ୍ୱାସ ଜମା ଅଛି, ସେହି ଘରଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଡାକ ଘରର କାନ୍ଥ ସବୁ ଫାଟି ଆଁ କରିଛି, ଉପର ଆଜବେଷ୍ଟ ଛାତ ସବୁ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଛି। ବର୍ଷା ଦିନେ ଘର ଭିତରୁ ପାଣି ଗଳୁଛି, ଗ୍ରୀଷ୍ମ ଦିନେ ଖରା ପଶୁଛି। ଏଭଳି ଖୋଲା ଓ ଭଙ୍ଗା ଘରେ ସରକାରୀ କାଗଜପତ୍ର ରଖିବା କେତେ ଦୂର ସୁରକ୍ଷିତ, ତାହା ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି।ସ୍ଥାନୀୟ ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀମାନେ କହିଛନ୍ତି, ଯଦି ସରକାର ଏଥି ପ୍ରତି ଶୀଘ୍ର ଦୃଷ୍ଟି ନ ଦିଅନ୍ତି, ତେବେ ଦିନେ ଏହି ଐତିହ୍ୟ ଡାକ ଘର ସବୁଦିନ ପାଇଁ ନଷ୍ଟ ହୋଇଯିବ। ନଷ୍ଟ ହେବ ଲୋକଙ୍କ ବହୁ ମୂଲ୍ୟବାନ କାଗଜପତ୍ର। ତେଣୁ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ଓ ଓଡ଼ିଶା ସରକାର ମିଳିତ ଭାବେ ଏହି ଡାକ ଘର ପାଇଁ ଏକ ନୂତନ ପକ୍କା ଗୃହ ନିର୍ମାଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।
