ଢେଙ୍କାନାଳରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତସାଧୁତା ଓ ସତ୍ୟନିଷ୍ଠା ସମୃଦ୍ଧିର ମୂଳଦୁଆ: ଜିଲ୍ଲାପାଳ
ଢେଙ୍କାନାଳ, ୨୯/୧୦/୨୦୨୬: ଭିଜିଲାନ୍ସ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଆଜି ଅପରାହ୍ନରେ ଢେଙ୍କାନାଳର ସଦ୍ଭାବନା ହଲ୍ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ସପ୍ତାହର ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପାଟିଲ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ।ସଭାରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ ଯେ ସାଧୁତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଏକ ସମୃଦ୍ଧ ସମାଜ ଗଠନର ମୂଳଦୁଆ। ସରକାରୀ କାର୍ଯ୍ୟରେ ନିଷ୍ଠା ଓ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଜନସାଧାରଣଙ୍କୁ ନିରପେକ୍ଷ ଓ ଦାୟିତ୍ୱପୂର୍ଣ୍ଣ ସେବା ଯୋଗାଇଦେବା ଦ୍ୱାରା ସମାଜରେ ବିଶ୍ୱାସ ବୃଦ୍ଧି ପାଏ ଏବଂ ପ୍ରକୃତ ସମୃଦ୍ଧିର ପଥ ପ୍ରଶସ୍ତ ହୁଏ। ଜନସାଧାରଣ ନିଜ ଅଧିକାର ପ୍ରତି ସଚେତନ ରହିବା ସହ ଦୁର୍ନୀତିକୁ କୌଣସି ରୂପରେ ପ୍ରଶ୍ରୟ ନ ଦେବାକୁ ସେ ଆହ୍ୱାନ ଦେଇଥିଲେ।ଓଡ଼ିଶା ଭିଜିଲାନ୍ସ ବିଭାଗ ସର୍ବଭାରତୀୟ ସ୍ତରରେ ଅନ୍ୟତମ ଉଚ୍ଚ ପ୍ରଦର୍ଶନକାରୀ ସଂସ୍ଥା ଭାବେ ପରିଗଣିତ ହେଉଥିବା ଉଲ୍ଲେଖ କରି ଜିଲ୍ଲାପାଳ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହାର ୬୦ ପ୍ରତିଶତରୁ ଅଧିକ ରହିବା ଭିଜିଲାନ୍ସ ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରୁଛି। ଏହା ଏକ ଦିଗରେ ସନ୍ତୋଷଜନକ ହୋଇଥିବାବେଳେ ସାଧାରଣ ଜୀବନର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଉପସ୍ଥିତିକୁ ମଧ୍ୟ ସୂଚାଉଛି। ତେଣୁ ଦୁର୍ନୀତି ନିରାକରଣ ଦିଗରେ ସମସ୍ତ ସରକାରୀ ବିଭାଗ, ଅଧିକାରୀ, କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ଆହୁରି ଉନ୍ନତିର ବ୍ୟାପକ ସୁଯୋଗ ରହିଛି। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତେ ନିଜ ନିଜ ସ୍ତରରେ ସଚ୍ଚୋଟତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ କହିଥିଲେ ଯେ ଭିଜିଲାନ୍ସ ସଚେତନତା କେବଳ ଗୋଟିଏ କିମ୍ବା ଦୁଇ ଦିନରେ ସୀମିତ ନ ରହି ଏହା ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ନିଜ ଆଚରଣ ଓ କାର୍ଯ୍ୟରେ ସାଧୁତା ଓ ସତ୍ୟନିଷ୍ଠା ଅବଲମ୍ବନ କଲେ ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ଏବଂ ଭିଜିଲାନ୍ସ ବିଭାଗ, ଢେଙ୍କାନାଳ ଶାଖାର ଡିଏସ୍ପି ଶ୍ରୀମତୀ ଅନସୂୟା ସେନାପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ଏହା ପୂର୍ବରୁ ଆଜି ସକାଳେ ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଢେଙ୍କାନାଳ ସହରର ବାଜିଚୌକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଓ ଭିଜିଲାନ୍ସ ବିଭାଗର ଡିଏସ୍ପି ଶ୍ରୀମତୀ ଅନସୂୟା ସେନାପତି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସାଧୁତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତାକୁ ଜୀବନର ଅଂଶ ଭାବେ ଗ୍ରହଣ କରିବା ସହ ଦୁର୍ନୀତି ବିରୋଧରେ ସାମୂହିକ ସଚେତନତା ସୃଷ୍ଟି କରିବା ଦ୍ୱାରା ଏକ ସମୃଦ୍ଧ ଓ ନ୍ୟାୟସଙ୍ଗତ ସମାଜ ଗଠନ ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
