କୁସୁପୁରରେ ବେଆଇନ ପ୍ୟାକେଜ୍ଡ ପାନୀୟଜଳ କାରଖାନା ଉପରେ ବିଆଇଏସ୍ର ଚଢ଼ାଉବିନା ବୈଧ ଲାଇସେନ୍ସରେ ମାନକ ଚିହ୍ନ ବ୍ୟବହାର ଅଭିଯୋଗରେ ବୋତଲ ସିଲ୍ ଓ ଜବତ;
ଗୋପ/ପୁରୀ, ୨୯ା୧୦: ପୁରୀ ଜିଲ୍ଲା ଗୋପ ଅଞ୍ଚଳର କୁସୁପୁର ମୌଜାରେ ଚାଲିଥିବା ପ୍ୟାକେଜ୍ଡ ପାନୀୟଜଳ ଉତ୍ପାଦନ କେନ୍ଦ୍ର ମା’ ଭଗବତୀ ଏଣ୍ଟରପ୍ରାଇଜେସ୍/ସଫ୍ଟ ଡ୍ରିଙ୍କ୍ସ ଏଣ୍ଟରପ୍ରାଇଜେସ୍ (‘ଶ୍ରଦ୍ଧା ନୀର’) ବିରୋଧରେ ହୋଇଥିବା ଅଭିଯୋଗ ପରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ପକ୍ଷରୁ ଚଢ଼ାଉ କରାଯାଇଛି। ବିଆଇଏସ୍ ପକ୍ଷରୁ ପ୍ରଶାନ୍ତ ସ୍ୱାଇଁଙ୍କୁ ଦିଆଯାଇଥିବା ଇ-ମେଲ୍ ଉତ୍ତର ଅନୁଯାୟୀ, ଗତ ୨୭ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ପରିସରରେ ଏନ୍ଫୋର୍ସମେଣ୍ଟ ଚଢ଼ାଉ କରାଯାଇ ବୈଧ ବିଆଇଏସ୍ ଲାଇସେନ୍ସ ବିନା ମାନକ ଚିହ୍ନ ଥିବା ପ୍ୟାକେଜ୍ଡ ପାନୀୟଜଳ ବୋତଲଗୁଡ଼ିକୁ ସିଲ୍ ଓ ଜବତ କରାଯାଇଛି। ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନଗତ ପଦକ୍ଷେପ ମଧ୍ୟ ଆରମ୍ଭ କରାଯାଉଥିବା ବିଆଇଏସ୍ ଅଧିକାରୀ ଜଣାଇଛନ୍ତି।ପୂର୍ବରୁ ଶ୍ରୀ ସ୍ୱାଇଁ ଏ ସମ୍ପର୍କରେ ବିଭିନ୍ନ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏବେ ଚଢ଼ାଉ ପରେ ସେ ଓଡ଼ିଶା ଖାଦ୍ୟ ସୁରକ୍ଷା କମିଶନର, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବିଆଇଏସ୍ ଭୁବନେଶ୍ୱର ଶାଖା ଏବଂ ଆଇନଗତ ମାପବିଜ୍ଞାନ ବିଭାଗଙ୍କୁ ପୁନର୍ବାର ଲିଖିତ ଭାବେ ଅବଗତ କରି ସମନ୍ୱିତ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ, ପ୍ଲଟ୍ ନଂ–୮୬୮(ପି), ମୌଜା–କୁସୁପୁରରେ ଥିବା ଉକ୍ତ କାରଖାନା ‘ଜଳାଶୟ–୨’ କିସମ ଜମିରେ ରହିଛି। ଏହାସହ କାରଖାନାର ନିର୍ମାଣ ପାଇଁ ଆବଶ୍ୟକ ଅନୁମୋଦିତ ନକ୍ସା ଓ ଉନ୍ନୟନ ଅନୁମତି ରହିଛି କି ନାହିଁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆବଶ୍ୟକ ଅନୁମତି ଏବଂ ଖାଦ୍ୟ ସୁରକ୍ଷା ସମ୍ପର୍କିତ ବୈଧ ଅନୁମୋଦନ ରହିଛି କି ନାହିଁ—ସେସବୁର ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।କେବଳ ବୋତଲ ଓ ଲେବଲ୍ ଜବତରେ କାର୍ଯ୍ୟାନୁଷ୍ଠାନ ସୀମିତ ନ ରଖି ସମସ୍ତ ଅଭିଯୋଗର ରାଜସ୍ୱ, ପରିବେଶ, ଖାଦ୍ୟ ସୁରକ୍ଷା ଓ ନିର୍ମାଣ ଆଇନ ଦୃଷ୍ଟିରୁ ମିଳିତ ତଦନ୍ତ କରାଯାଉ ବୋଲି ଶ୍ରୀ ସ୍ୱାଇଁ ଦାବି କରିଛନ୍ତି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କାରଖାନାକୁ ସ୍ଥାୟୀ ଭାବେ ସିଲ୍, ବେଆଇନ ନିର୍ମାଣ ଉଚ୍ଛେଦ, ବିଦ୍ୟୁତ୍ ଓ ଜଳ ସଂଯୋଗ ବିଚ୍ଛିନ୍ନ କରିବା ସହ ଜଳାଶୟ ଜମିକୁ ପୂର୍ବାବସ୍ଥାକୁ ଫେରାଇବା ପାଇଁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।ଏଥିସହ ଖାଦ୍ୟ ସୁରକ୍ଷା, ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଜନସ୍ୱାସ୍ଥ୍ୟ, ଉପଭୋକ୍ତାଙ୍କ ସୁରକ୍ଷା ଓ ଜଳାଶୟ ଜମିର ସୁରକ୍ଷା ଦୃଷ୍ଟିରୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ବୋଲି ପ୍ରଶାନ୍ତ ସ୍ୱାଇଁ ଦାବି କରିଛନ୍ତି।
