ଚା’ ଖଟିରେ ଓଜେସି ସୁପ୍ରିମୋ ମହମ୍ମଦ ମୋକିମ_ଚା’, ପୋକଡ଼ି ଖାଇ ଲୋକଙ୍କ ସହ କଲେ ରାଜନୈତିକ ଚର୍ଚ୍ଚା
ଯାଜପୁର: କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନୁହେଁ, ବରଂ ହଠାତ୍ ରାସ୍ତାକଡ଼ ଚା’ ଦୋକାନରେ ଅଟକି ସାଧାରଣ ଲୋକଙ୍କ ସହ ଚା’ ପିଇବା ସହ ପୋକଡ଼ି ଖାଇଲେ ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ନୂଆଗଡ଼ ଗୋଲେଇ ଛକରେ ତାଙ୍କର ଏହି ଅଚାନକ ଅଟକିବା ଓ ଚା’ ଖଟିରେ ସାଧାରଣ ଲୋକଙ୍କ ସହ ମିଶିବା ଏବେ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଗସ୍ତରୁ ଫେରିବା ସମୟରେ ଶ୍ରୀ ମୋକିମ ହଠାତ୍ ନୂଆଗଡ଼ ଗୋଲେଇ ଛକରେ ଗାଡ଼ି ଅଟକାଇ ଏକ ଚା’ ଦୋକାନରେ ପହଞ୍ଚିଥିଲେ। ସେଠାରେ ସାଧାରଣ ଲୋକଙ୍କ ସହ ବସି ଚା’ ପିଇବା ଓ ପକୁଡ଼ି ଖାଇବା ସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ରାଜନୈତିକ ପାଣିପାଗ ସମ୍ପର୍କରେ ଆଲୋଚନା କରିଥିଲେ।
ନେତା ଓ ଜନତାଙ୍କ ମଧ୍ୟରେ ଏଭଳି ଅନୌପଚାରିକ ଭାବବିନିମୟ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଥିଲା। ଏହି ଅବସରରେ ଯୁବନେତା ଶେଖ୍ ବଦିରୁଦ୍ଦିନ ଓ ବ୍ରଜବନ୍ଧୁ ପ୍ରଧାନ ଶ୍ରୀ ମୋକିମଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲ୍ଲା ଜନତା କଂଗ୍ରେସ ସଭାପତି ବିଦ୍ୟାଧର ମହାନ୍ତିଙ୍କ ସମେତ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ ଏହି ସମୟରେ ଉପସ୍ଥିତ ଥିଲେ। ଏକ ସାଧାରଣ ଚା’ ଖଟିରେ ଶ୍ରୀ ମୋକିମଙ୍କ ଏହି ଅଚାନକ ଉପସ୍ଥିତି ଓ ଲୋକଙ୍କ ସହ ମତ ବିନିମୟ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।
