କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ:
ଯାଜପୁର, ୦୪-୧୧-୨୬:* କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଓ ଜନକଲ୍ୟାଣକାରୀ ଯୋଜନାର ତ୍ୱରିତ କାର୍ଯ୍ୟାନ୍ୱୟନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ACDC) ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ଶ୍ରୀ ଦେବୀ ପ୍ରସାଦ ମହାନ୍ତି ଏବଂ ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବିଧାୟକ ଶ୍ରୀ ଆକାଶ ଦାସନାୟକ ପ୍ରତ୍ୟେକ ବିଭାଗର କାର୍ଯ୍ୟାବଳୀର ବିସ୍ତୃତ ସମୀକ୍ଷା କରିବା ସହ ଅଞ୍ଚଳର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ (CDMO) ସମ୍ପର୍କରେ ଆଲୋଚନା କରି ବିଧାୟକ ଶ୍ରୀ ଦାସନାୟକ କର୍ମଚାରୀ ନିଯୁକ୍ତି, ନୂତନ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ୧୫ ଦିନ ମଧ୍ୟରେ ହସ୍ତାନ୍ତର କରିବା, ନୂଆ ଭେଷଜ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଏବଂ ସୁରକ୍ଷା ଦୃଷ୍ଟିରୁ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପାଚେରୀ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ।ଜନସଂଖ୍ୟାକୁ ଆଖିଆଗରେ ରଖି ଅନୁପଯୁକ୍ତ ଆମ୍ବୁଲାନ୍ସଗୁଡ଼ିକୁ ବଦଳାଇ ନୂତନ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଘାଟ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରି ଟେଣ୍ଡର ପ୍ରକ୍ରିୟା ଶେଷ ହେବା ମାତ୍ରେ ଠିକାଦାରମାନଙ୍କୁ ଆସନ୍ତା ଜୁନ୍ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନୋଟିସ ଦେବା, ଜମି ଅଧିଗ୍ରହଣ ସମସ୍ୟାର ଶୀଘ୍ର ସମାଧାନ କରିବା ଓ ପିଚୁ ରାସ୍ତା କାମ ତୁରନ୍ତ ଆରମ୍ଭ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସରକାରୀ ସୌଧ ନିର୍ମାଣ କାର୍ଯ୍ୟକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ତ୍ୱରାନ୍ୱିତ କରିବା, ବ୍ୟାସନଗର ଷ୍ଟାଡିୟମର ପାଚେରୀ ନିର୍ମାଣ ଓ ଇନଡୋର ଷ୍ଟାଡିୟମରେ ସ୍ୱିମିଂ ପୁଲ୍ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ନିର୍ଦ୍ଦେଶ ଦେଇଥିଲେ।ପାନୀୟ ଜଳ ଓ ପରିମଳ ବିଭାଗର ଆଲୋଚନା ବେଳେ ବିଧାୟକ ସୌରଶକ୍ତି ପ୍ରକଳ୍ପର ଅଗ୍ରଗତି, ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଆକ୍ରମଣରୁ ସୁରକ୍ଷା ପାଇଁ ବ୍ୟାରିକେଡ୍ ନିର୍ମାଣ ଓ ସଚେତନତା ସୃଷ୍ଟି, ନୂତନ ନଳକୂପ ସର୍ଭେ ଏବଂ ରାସ୍ତା ଖୋଳାଯିବା ପରେ ତୁରନ୍ତ ମରାମତି କରିବାକୁ କହିଥିଲେ। ଜଳସେଚନ ବିଭାଗର ମାଥୁରାପୁର ସ୍ୱିଚ୍ ଗେଟ୍ର ସ୍ଥିତି, ଲିଫ୍ଟ ଜଳସେଚନ ବିଭାଗର ଅଚଳ ପ୍ରକଳ୍ପର ପୁନରୁଦ୍ଧାର ଏବଂ କ୍ଷୁଦ୍ର ଜଳସେଚନ ବିଭାଗର ଚେକ୍ଡ୍ୟାମ୍ ସମ୍ପର୍କରେ ବିଧାୟକ ପଚାରି ବୁଝିଥିଲେ। କୋରେଇ ଏବଂ ରସୁଲପୁର ବିଡ଼ିଓ ମାନଙ୍କ ସହ ଆଲୋଚନା କରି ବିଧାୟକ ଶ୍ରୀ ଦାସନାୟକ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା, କଲ୍ୟାଣ ମଣ୍ଡପ ନିର୍ମାଣ ଶେଷ କରିବା, “ଭିବି ଜି ରାମ ଜି” ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା, ସ୍ଥାନୀୟ ହାଟଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକ ଅନୁସାରେ ରାସନ ଦୋକାନୀମାନଙ୍କର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବ୍ୟାସନଗର ପୌରପାଳିକାର ସାଧାରଣ ବିକ୍ରେତା ଓ ପନିପରିବା ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ବିଭାଗକୁ ନିଶା ନିବାରଣ ପାଇଁ ସ୍ୱତନ୍ତ୍ର ଡ୍ରଗ୍ସ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିବା ସହ ରାତି ୧୦ଟା ସୁଦ୍ଧା ମଦ ଦୋକାନ ବନ୍ଦ କରିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଏହାସହ ଯୋଗାଣ ବିଭାଗର ଡିଲର ପଦବୀ ଓ ରାସନ କାର୍ଡ ଯାଞ୍ଚ, ଟ୍ରାନ୍ସଫର୍ମର ଓ ପାଣିକୋଇଲିଠାରେ ଡିଜିଟାଲ୍ ଗ୍ରୀଡ୍ ସ୍ଥାପନ ନେଇ ବିଦ୍ୟୁତ୍ ବିଭାଗ (TPNODL) ର କାର୍ଯ୍ୟ, ଜଙ୍ଗଲ ବିଭାଗର ବଜେଟ୍, ଏବଂ କୃଷି ଓ ଉଦ୍ୟାନ କୃଷି ବିଭାଗର ଯୋଜନାଗୁଡ଼ିକ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା ଓ ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ବିଧାୟକ ଗୁରୁତ୍ୱାରୋପ କରିଥିଲେ।ସମସ୍ତ ବିଭାଗର କାର୍ଯ୍ୟକାରିତା ଉପରେ ନିଜର ମାର୍ଗଦର୍ଶନ ଦେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ କହିଥିଲେ, *”ସାଧାରଣ କାର୍ଯ୍ୟରୁ ଊର୍ଦ୍ଧ୍ୱକୁ ଯାଇ କିଛି ଅସାଧାରଣ ଓ ଉତ୍କୃଷ୍ଟ କାମ କରି ଦେଖାଇବାକୁ ହେଲେ ଆମ ସମସ୍ତଙ୍କୁ ଆଉ ପାଦେ ଆଗକୁ ଯିବାକୁ ପଡ଼ିବ।”* ଆଗାମୀ ACDC ବୈଠକ ପୂର୍ବରୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସହ ନିୟମିତ ପ୍ରଗତି ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ନିଜର ବାର୍ତ୍ତାରେ କହିଥିଲେ ଯେ, ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜର ଉତ୍ତରଦାୟିତ୍ୱ ନେଇ ଉଚ୍ଚ ମାନର କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ ଏବଂ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ କୋରେଇର ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ।ଏହି ବୈଠକରେ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ପ୍ରାରମ୍ଭିକ ସ୍ୱାଗତ ଭାଷଣ ଦେଇଥିବା ବେଳେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଯୋଜନା ଓ ସମୀକ୍ଷା ୟୁନିଟ୍ର ଉପ-ନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ ) ଶ୍ରୀ ମନୋଜ କୁମାର ନାୟକ ବୈଠକ ସଞ୍ଚାଳନ କରିଥିଲେ।_*ଅଭିନାଶ ସାଗର*__ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ_ l,
