କର୍ଣ୍ଣାଟକର ମହୀଶୂର ଠାରେ କସ୍ମସ-ମହୀଶୂର ପ୍ଲାନେଟାରିୟମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
କର୍ଣ୍ଣାଟକର ମହୀଶୂର ଠାରେ କସ୍ମସ–ମହୀଶୂର ପ୍ଲାନେଟାରିୟମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ମହୀଶୂରରେ ସ୍ଥାପିତ ନୂତନ କସ୍ମସ ପ୍ଲାନେଟାରିୟମ୍ ବିଶ୍ୱବ୍ରହ୍ମାଣ୍ଡର ବିସ୍ମୟଗୁଡ଼ିକୁ ଯୁବ ପିଢ଼ିର ନିକଟତର କରିବ: ପ୍ରଧାନମନ୍ତ୍ରୀ
ଭାରତରେ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରାଚାର୍ଯ୍ୟ ଏବଂ ନୀଳକଣ୍ଠ ସୋମାଯାଜୀଙ୍କ ଭଳି ଅନେକ ମହାନ ଜ୍ୟୋତିର୍ବିଜ୍ଞାନୀ ଥିଲେ। ସେହି ସମୟରେ ଆଜି ଭଳି ଉନ୍ନତ ଉପକରଣ କିମ୍ବା ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ନଥିଲା; ତଥାପି, ସେମାନେ ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ ଏବଂ ଜଟିଳ ଗଣନା ସମ୍ପାଦନ କରିଥିଲେ: ପ୍ରଧାନମନ୍ତ୍ରୀ
ଆମ ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଛନ୍ତି; ଏହା ଘରୋଇ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକୁ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିଛି: ପ୍ରଧାନମନ୍ତ୍ରୀ
୧୩.୧୧.୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମହୀଶୂର ଠାରେ ଭାରତର ପ୍ରଥମ ଏଲ୍ଇଡି ଡୋମ୍ ପ୍ଲାନେଟାରିୟମ୍ କସମସ୍ ମହୀଶୂର ପ୍ଲାନେଟାରିୟମର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କନ୍ନଡ଼ ଭାଷାରେ ଅଭିବାଦନ ଜଣାଇଥିଲେ। ବିବେକ ସ୍ମାରକର ଉଦ୍ଘାଟନର ମାତ୍ର କିଛି ମାସ ପରେ, କସମସ୍ ପ୍ଲାନେଟାରିୟମକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ପୁନର୍ବାର ମହୀଶୂର ଆସିଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। ବିବେକ ସ୍ମାରକ ଆତ୍ମ-ଅନୁସନ୍ଧାନ ଏବଂ ଆଧ୍ୟାତ୍ମିକ ସାଧନା ପାଇଁ ପ୍ରେରଣା ଯୋଗାଉଥିବା ବେଳେ, କସମସ୍ ପ୍ଲାନେଟାରିୟମ୍ ବିଶାଳ ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ଆମ ଦୃଷ୍ଟିକୁ ଆକାଶ ଆଡ଼କୁ ଆକର୍ଷିତ କରିଥାଏ ବୋଲି ଉଲ୍ଲେଖ କରିଥିଲେ ଓ ଉଭୟ ସ୍ଥଳୀ ମାଧ୍ୟମରେ ପ୍ରକାଶ ପାଉଥିବା ଗଭୀର ସାଂସ୍କୃତିକ ବାର୍ତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଲେ, “ଏହା ଏକ ଉଦାହରଣ ଯେ ଭାରତରେ ଆଧ୍ୟାତ୍ମିକତା ଏବଂ ବିଜ୍ଞାନର ପରମ୍ପରା ସର୍ବଦା ଏକାଠି ଆଗକୁ ବଢ଼ିଆସିଛି।”
ପ୍ରାଚୀନ ଭାରତୀୟ ପୂର୍ବପୁରୁଷମାନେ କିପରି ଆକାଶକୁ ଅତି ସୂକ୍ଷ୍ମ ଭାବେ ଅଧ୍ୟୟନ କରୁଥିଲେ, ଗ୍ରହ ଓ ନକ୍ଷତ୍ରମାନଙ୍କ ଗତିବିଧିକୁ ବୁଝୁଥିଲେ, କ୍ୟାଲେଣ୍ଡର (ପାଞ୍ଜି) ପ୍ରସ୍ତୁତ କରୁଥିଲେ ଏବଂ ସୂର୍ଯ୍ୟପରାଗ ତଥା ଚନ୍ଦ୍ରଗ୍ରହଣର ଗଣନା କରୁଥିଲେ, ସେ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରାଚାର୍ଯ୍ୟ ଏବଂ ନୀଳକଣ୍ଠ ସୋମାଯାଜୀଙ୍କ ଭଳି ମହାନ ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଲେ, “ସେହି ସମୟରେ ଆଜିର ଭଳି ଉନ୍ନତ ଯନ୍ତ୍ରପାତି କିମ୍ବା ପ୍ରଯୁକ୍ତିବିଦ୍ୟା ନଥିଲା; ତଥାପି ସେମାନେ ମହାନ ଆବିଷ୍କାର କରିଥିଲେ ଏବଂ ଜଟିଳ ଗଣନା ସମ୍ପାଦନ କରିଥିଲେ।”
ମହାରାଜା ନଲୱାଡି କୃଷ୍ଣରାଜା ୱାଡିୟାରଙ୍କ ଅଧୀନରେ ୟୁନିଭରସିଟି ଅଫ୍ ମହୀଶୂର ସ୍ଥାପନ ତଥା ବେଙ୍ଗାଲୁରୁରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ର ମୂଳଦୁଆ ପକାଇବାରେ ୱାଡିୟାର ରାଜପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ମହୀଶୂର ଜ୍ଞାନାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏକ ସମୃଦ୍ଧ ପରମ୍ପରା ବହନ କରେ। ସେ କହିଲେ ଯେ, ଯୁବପିଢ଼ି ଏବଂ ନାଗରିକମାନଙ୍କ ଉଦ୍ଦେଶ୍ୟରେ ଏହି ଅତ୍ୟାଧୁନିକ ପ୍ଲାନେଟାରିୟମକୁ ଉତ୍ସର୍ଗ କରିବା ମାଧ୍ୟମରେ ମହୀଶୂର ଭାରତର ବୈଜ୍ଞାନିକ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ୁଛି। ଏଲ୍ଇଡି ଡୋମ୍ ଭିତରେ କାର୍ଯ୍ୟକ୍ରମ ଦେଖିବା ଏକ ଚମତ୍କାର ଅନୁଭୂତି ବୋଲି ପ୍ରକାଶ କରି ସେ ଦେଶବାସୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ। ଶ୍ରୀ ମୋଦୀ କହିଲେ, “ମୁଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ, ୟୁନିଭରସିଟି ଅଫ୍ ମହୀଶୂର, ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଏହାର ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଉଛି।”
ଭାରତର ଜାତୀୟ ଆଦର୍ଶ ବାକ୍ୟର ବିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ‘ଜୟ ଜୱାନ, ଜୟ କିସାନ’ରୁ ଆରମ୍ଭ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଯୋଡ଼ା ଯାଇଥିବା ‘ଜୟ ବିଜ୍ଞାନ’ ଏବଂ ବର୍ତ୍ତମାନ ନିଜେ ଯୋଡ଼ିଥିବା ‘ଜୟ ଅନୁସନ୍ଧାନ’ – ଏହି ସବୁ ୨୧ଶ ଶତାବ୍ଦୀର ଭାରତକୁ ଦିଗ୍ଦର୍ଶନ ଦେଉଛି। ଗତ ବର୍ଷ ମୁମ୍ବାଇରେ ଆୟୋଜିତ ଇଣ୍ଟରନାସନାଲ୍ ଅଲିମ୍ପିଆଡ୍ ଅନ୍ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ରେ ଭାରତୀୟ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଚଳିତ ବର୍ଷ ଭିଏତନାମରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଲେ, “ଭାରତରୁ ପାଞ୍ଚ ଜଣ ଛାତ୍ର ଭିଏତନାମ ଯାଇଥିଲେ; ସେମାନଙ୍କ ମଧ୍ୟରୁ ଚାରି ଜଣ ସ୍ୱର୍ଣ୍ଣ ପଦକ ଏବଂ ଜଣେ ରୌପ୍ୟ ପଦକ ଜିତିଛନ୍ତି, ଯାହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ।”
ଚଳିତ ବର୍ଷର ଅନ୍ତର୍ଜାତୀୟ ଅଲିମ୍ପିଆଡ୍ଗୁଡ଼ିକରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଷୟରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ରେକର୍ଡ ସୃଷ୍ଟିକାରୀ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଯେତେବେଳେ ଭାରତୀୟ ଯୁବବର୍ଗଙ୍କୁ ଶିକ୍ଷାଗତ ସମ୍ବଳ, ପ୍ରଯୁକ୍ତିବିଦ୍ୟା, ଉପକରଣ ଏବଂ ସାଂସ୍ଥାଗତ ସହାୟତା ଯୋଗାଇ ଦିଆଯାଏ, ସେତେବେଳେ ସେମାନେ ଅସାଧାରଣ ମାଇଲଖୁଣ୍ଟ ସ୍ଥାପନ କରିଥାନ୍ତି। ଶ୍ରୀ ମୋଦୀ ଦୃଢ଼ତାର ସହ କହିଲେ, “ଏହି କସ୍ମୋସ୍ ପ୍ଲାନେଟାରିୟମ୍ ବର୍ତ୍ତମାନ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ବହୁତ ସାହାଯ୍ୟ କରିବ।”
ଦ୍ରୁତ ବିଶ୍ୱ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ମଧ୍ୟରେ କୌଣସି ଦେଶ ଧୀରେ ଧୀରେ ଆଗକୁ ବଢ଼ିପାରିବ ନାହିଁ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଗତ ଦଶନ୍ଧିରେ ନୂତନ ଟେଲିସ୍କୋପ ଏବଂ ଐତିହାସିକ ଇସ୍ରୋ ମିଶନ ମାଧ୍ୟମରେ ଭାରତର ଅଭୂତପୂର୍ବ ଗତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, ଯେଉଁଥିରେ ଚନ୍ଦ୍ରାୟଣ-୩ ସହିତ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ଦେଶ ହେବା ଏବଂ ଭାରତର ପ୍ରଥମ ମହାକାଶ ସୌର ଅବଜରଭେଟୋରୀ, ଆଦିତ୍ୟ-ଏଲ୧ ଉନ୍ମୋଚନ ଅନ୍ତର୍ଭୁକ୍ତ। “ଗତ ବର୍ଷ ହିଁ, ଭାରତ ମହାକାଶରେ ଡକିଂ ଏବଂ ଅନଡକିଂ କରିବାର କ୍ଷମତା ପ୍ରଦର୍ଶନ କରିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଥିଲା,” ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ଏହି ସମୟ ମଧ୍ୟରେ ଜଣେ ଭାରତୀୟ ମହାକାଶଚାରୀ ସମ୍ପ୍ରତି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରି ନୂତନ ପରୀକ୍ଷଣ କରିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମିଶନର ତଥ୍ୟର ରଣନୈତିକ ମୂଲ୍ୟ ଉପରେ ଆଲୋକପାତ କରିଥିଲେ। “ଏହି ମିଶନରୁ ପ୍ରାପ୍ତ ଅଭିଜ୍ଞତା ଆମର ନିଜସ୍ୱ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ, ଗଗନଯାନ ପାଇଁ ମଧ୍ୟ ଉପଯୋଗୀ ପ୍ରମାଣିତ ହେଉଛି,” ଶ୍ରୀ ମୋଦୀ କହିଥିଲେ।
ଘରୋଇ ଅଂଶଗ୍ରହଣ ପାଇଁ ମହାକାଶ କ୍ଷେତ୍ରକୁ ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରି, ଯାହା ଭାରତୀୟ ଷ୍ଟାର୍ଟଅପ୍ ଏବଂ ଯୁବପିଢ଼ିଙ୍କୁ ଘରୋଇ ରକେଟ୍ ଉତକ୍ଷେପଣ ତଥା କକ୍ଷପଥରେ ଉପଗ୍ରହ ସ୍ଥାପନ କରି ଏବଂ ଅଭୂତପୂର୍ବ ମହାକାଶ ଉଦ୍ୟମ କରି ସେମାନଙ୍କର କ୍ଷମତା ପ୍ରଦର୍ଶନ କରିବାକୁ ସକ୍ଷମ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନୂତନ ଭାରତର ବୈଜ୍ଞାନିକ ଆଭିମୁଖ୍ୟକୁ ପ୍ରତିଫଳିତ କରେ। “ଯେଉଁଠାରେ ନୂତନ ଆବିଷ୍କାରକୁ ପ୍ରୋତ୍ସାହିତ କରାଯାଉଛି, ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଛି, ଏବଂ ଆମ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି,” ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ।
ଭାରତ ସର୍ବଦା ‘ମାନବତା ପ୍ରଥମ’ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇଆସୁଛି ଏବଂ ମାନବ କଲ୍ୟାଣ ପାଇଁ ଏହାର ମହାକାଶ କାର୍ଯ୍ୟକ୍ରମକୁ ଉତ୍ସର୍ଗ କରିଛି ବୋଲି ବୁଝାଇ ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀମାନଙ୍କ ପାଇଁ ଇସ୍ରୋ-ବିକଶିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାର ଉଦାହରଣ ଦେଇଥିଲେ। “ଏହି ବ୍ୟବସ୍ଥା ସାହାଯ୍ୟରେ, ରିସିଭର ସହିତ ସଜ୍ଜିତ ଡଙ୍ଗା ପାଇଁ, ଅଧିକାରୀମାନେ ଝଡ଼ ସମୟରେ ସେମାନଙ୍କୁ ସମୟୋଚିତ ସତର୍କତା ପ୍ରଦାନ କରିପାରିବେ ଏବଂ କୂଳକୁ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ମଧ୍ୟ ଟ୍ରାକ୍ କରିପାରିବେ,” ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ଭାରତୀୟ ରେଳବାଇ ଏବଂ ଇସ୍ରୋ ଦ୍ୱାରା ବିକଶିତ ‘ରିଅଲ୍-ଟାଇମ୍ ଟ୍ରେନ୍ ଟ୍ରାକିଂ ସିଷ୍ଟମ୍’ (ଯାହା ମାଧ୍ୟମରେ ଟ୍ରେନର ସାମ୍ପ୍ରତିକ ଅବସ୍ଥିତି ଜାଣିହୁଏ) ଏବଂ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ଅଧୀନରେ ଫସଲ ଅମଳର ଆକଳନ କରିବା ଓ କୃଷି ବୀମା ଦାବିର ସମାଧାନ ପାଇଁ ଉପଗ୍ରହ ତଥ୍ୟ ସହ କ୍ଷେତ୍ରସ୍ତରୀୟ ତଥ୍ୟର ବ୍ୟବହାର ଭଳି ମହାକାଶ ପ୍ରଯୁକ୍ତିବିଦ୍ୟାର ଦୈନନ୍ଦିନ ପ୍ରୟୋଗଗୁଡ଼ିକ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ ଭାରତର ମହାକାଶ ସମ୍ବଳର ଦ୍ୱିବିଧ ପ୍ରଭାବକୁ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ଆମର ଉପଗ୍ରହଗୁଡ଼ିକ ମହାକାଶର ଉଚ୍ଚତମ ସ୍ଥାନକୁ ସ୍ପର୍ଶ କରୁଛି ଏବଂ ସେହି ସମୟରେ, ପୃଥିବୀରେ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ମଧ୍ୟ ସେଗୁଡ଼ିକର ବ୍ୟବହାର କରାଯାଉଛି।”
ସମାଜ ପାଇଁ ବିଜ୍ଞାନ – ସରକାରଙ୍କ ଏହି ମୂଳ ନୀତି ଦେଶବ୍ୟାପୀ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଛି ବୋଲି ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ଥିବା ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ରୁ ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇସାରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ଏହି ଲ୍ୟାବ୍ଗୁଡ଼ିକରେ ପିଲାମାନେ ନିଜର ଚିନ୍ତାଧାରା ଉପରେ କାମ କରିବା, ନୂତନ ପରୀକ୍ଷା-ନିରୀକ୍ଷା କରିବା ଏବଂ ନୂତନ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି।”
ଗବେଷଣାକୁ ଆଗକୁ ବଢ଼ାଇବା ପାଇଁ ଛାତ୍ରଛାତ୍ରୀ ଏବଂ ବିଦ୍ୱାନମାନଙ୍କୁ ବିଶ୍ୱର ସର୍ବୋତ୍ତମ ବୈଜ୍ଞାନିକ ତଥ୍ୟ ପାଇବା ଆବଶ୍ୟକ ବୋଲି କହି ପ୍ରଧାନମନ୍ତ୍ରୀ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ସୃଷ୍ଟି ସହିତ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ପ୍ରମୁଖ ବିଶ୍ୱସ୍ତରୀୟ ପତ୍ରିକା ପାଇବାରେ ସାହାଯ୍ୟ କରିବା ପାଇଁ ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍’ ଆରମ୍ଭ ଉପରେ ଆଲୋକପାତ କରିଥିଲେ। “ଏହା ମାଧ୍ୟମରେ, ଆମେ ସର୍ବାଧିକ ସଂଖ୍ୟକ ବିଶ୍ୱବିଦ୍ୟାଳୟକୁ ନୂତନ ଗବେଷଣା କରିବାରେ ସାହାଯ୍ୟ କରୁଛୁ,” ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ।
ଘରୋଇ ଗବେଷକମାନଙ୍କ ପାଇଁ ନିରନ୍ତର ପାଣ୍ଠି ସୁନିଶ୍ଚିତ କରିବା ପାଇଁ ଗତ ବର୍ଷ ଏକ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଏବଂ ନବସୃଜନ ଯୋଜନାର ଶୁଭାରମ୍ଭକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପର ବ୍ୟବହାରିକ ପ୍ରଭାବ ଉପରେ ଆଲୋକପାତ କରିଥିଲେ। “ଏହା ପରୀକ୍ଷାଗାରରୁ ନୂତନ ପ୍ରଯୁକ୍ତିବିଦ୍ୟାକୁ ବାହାର କରି ବ୍ୟବହାରିକ ବ୍ୟବହାରରେ ପହଞ୍ଚାଇବାରେ ସାହାଯ୍ୟ କରୁଛି,” ଶ୍ରୀ ମୋଦୀ କହିଥିଲେ।
ଭାରତର ବର୍ଦ୍ଧିତ ବିଜ୍ଞାନ ଏବଂ ଗବେଷଣା ଇକୋସିଷ୍ଟମ ମଧ୍ୟରେ ଯୁବପିଢ଼ିଙ୍କ ଜିଜ୍ଞାସାକୁ ଜାଗ୍ରତ କରିବାରେ ପ୍ଲାନେଟୋରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି କହି ତାଙ୍କ ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କସମସ୍ ସହିତ ଜଡିତ ବ୍ୟକ୍ତିମାନଙ୍କୁ ଏହି ଅଞ୍ଚଳରୁ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ନିମନ୍ତ୍ରଣ କରିବାକୁ ଅନୁରୋଧ କରିଥିଲେ ଏବଂ ଆଗାମୀ ଯାତ୍ରା ପାଇଁ ତାଙ୍କର ଶୁଭକାମନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଯେଉଁ ପିଲାମାନେ ଏଠାକୁ ବ୍ରହ୍ମାଣ୍ଡ ବିଷୟରେ ଶିଖିବାକୁ ଆସିଥାନ୍ତି, ସେମାନଙ୍କ ମଧ୍ୟରୁ କେହି ଏଠାକୁ ଫେରି ଆସି ଆମକୁ କହିପାରନ୍ତି ଯେ ସେମାନେ ବ୍ରହ୍ମାଣ୍ଡ ବିଷୟରେ କ’ଣ ନୂତନ ଆବିଷ୍କାର କରିଛନ୍ତି, ଏବଂ ଏହା ହିଁ ଏହି କସମସ୍ ପ୍ଲାନେଟୋରିୟମ୍ର ସବୁଠାରୁ ବଡ଼ ସଫଳତା ହେବ।”
