ପୁରୀରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ମହିଳା ସୁରକ୍ଷା, ସଶକ୍ତିକରଣ ଓ ସ୍ୱାସ୍ଥ୍ୟ ସେବା ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ, ୧୪ /୧୧: ଆଜି ପୂର୍ବାହ୍ନରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜାତୀୟ ମହିଳା କମିଶନର ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଜିଲ୍ଲାରେ ମହିଳାମାନଙ୍କ ସୁରକ୍ଷା, ନିରାପତ୍ତା, କଲ୍ୟାଣ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ତଥା ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା. ବୈଠକରେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତ ପରିଡା, ପି.ଏମ.ସି. କମିଶନର ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଜିଲ୍ଲା ମୁଖ୍ୟ ଚିକି୍ସାଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l ବୈଠକ ଅବସରରେ ପୁରୀ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଜୀବିକା ଅର୍ଜନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସମୀକ୍ଷା କରାଯାଇଥିଲା l ବ୍ୟାଙ୍କ ସଂଯୋଗ ମାଧ୍ୟମରେ କ୍ରମାଗତ ଋଣ ପ୍ରସାର ଜରିଆରେ ୨୦୨୫-୨୬ ଆର୍ଥିକ ବର୍ଷରେ ସର୍ବାଧିକ ₹୧,୩୭,୩୨୦.୪୦ ଲକ୍ଷ ଋଣ ପରିମାଣ ହାତକୁ ନିଆଯାଇଛି l ହାରାହାରି ଋଣ ଆକାର ₹୮.୨୫ ଲକ୍ଷକୁ ବୃଦ୍ଧି ପାଇଛି l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ବିଦ୍ୟାଳୟ ଓ ପ୍ରାକ୍-ବିଦ୍ୟାଳୟ ପୋଷାକ ପ୍ରସ୍ତୁତି, ହର ଘର ତିରଙ୍ଗା ଅଭିଯାନ, ଆହାର କେନ୍ଦ୍ର ପରିଚାଳନା, ମାଛ ଚାଷ, କୁକୁଡ଼ା ଓ ଛେଳି ପାଳନ, ମଶରୁମ ଏବଂ ପନିପରିବା ଚାଷ ସଫଳତାର ସହ କରାଯାଉଛି l

ମିଶନ ଶକ୍ତି କାଫେ, ମିଲେଟ୍ ଶକ୍ତି କାଫେ, ଆମ ହସ୍ପିଟାଲ୍ କାଫେ, ବିଦ୍ୟୁତ୍ ବିଲ୍ ସଂଗ୍ରହ, ସ୍ୱଚ୍ଛ ସାଥୀ କାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ବସ୍ ସେବା ପରିଚାଳନାରେ ମହିଳାମାନେ ସଫଳତାର ସହ ନେତୃତ୍ୱ ନେଉଛନ୍ତି l ପଟ୍ଟଚିତ୍ର, କାଠ ଖେଳନା, ପେପର ମାଚେ, ଜୁଟ୍ ଏବଂ କୋଇର୍ କ୍ରାଫ୍ଟ ଭଳି ପାରମ୍ପରିକ ହସ୍ତଶିଳ୍ପର ପ୍ରୋତ୍ସାହନ ସାଙ୍ଗସାଙ୍ଗେ ‘ଡିଜି ଶକ୍ତି’ ମାଧ୍ୟମରେ ଡିଜିଟାଲ୍ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଜିଲ୍ଲାରେ ମହିଳାମାନଙ୍କୁ ଏକ ସୁରକ୍ଷିତ, ନିରାପଦ ଏବଂ ସହାୟକ ପରିବେଶ ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନର ପ୍ରୟାସ ଏବଂ ମହିଳାମାନଙ୍କ ସଶକ୍ତିକରଣର ଏହି ସଫଳତାକୁ କମିଶନ ପକ୍ଷରୁ ବେଶ୍ ପ୍ରଶଂସା କରାଯାଇଥିଲା l ବୈଠକରେ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବା ଓ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ‘ନିରୀକ୍ଷଣ’ ଆପ୍ଲିକେସନ୍‌ର ଉପଯୋଗିତା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା l ପୁରୀ ଜିଲ୍ଲାପାଳ ମାନନୀୟା ଅଧ୍ୟକ୍ଷାଙ୍କୁ ‘ନିରୀକ୍ଷଣ’ ଆପ୍ଲିକେସନ୍ ସମ୍ପର୍କରେ ଅବଗତ କରାଇଥିଲେ l ଏହି ଆପ୍ଲିକେସନ୍ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ନିୟମିତ ତଦାରଖ ଏବଂ ସ୍ୱାସ୍ଥ୍ୟ ସେବାର ସୁପରିଚାଳନା କରାଯାଇଥାଏ l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସ ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l

Leave a Reply

Your email address will not be published. Required fields are marked *