ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରୀ ଜିଲ୍ଲାର ଗୌରବମୟ ସଫଳତାଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେଲେ ଦୀପକ କୁମାର ପାଢ଼ୀ

ପୁରୀ, ୧୪ ନଭେମ୍ବର: ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ନେତୃତ୍ୱ ପାଇଁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ୨୦୨୫ ମସିହାର ମର୍ଯ୍ୟାଦାଜନକ ‘ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ’ ପୁରସ୍କାର ଲାଭ କରିଛନ୍ତି। ଆଜି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀ ପାଢ଼ୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଗରିମାମୟ ଉତ୍ସବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।ଏହି ଅବସରରେ ପୁରୀ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ୨୦୨୪ ଓ ୨୦୨୫ ବର୍ଷର ବିଭିନ୍ନ ବର୍ଗରେ ଅନେକ ବିଦ୍ୟାଳୟ, ଗ୍ରାମପଞ୍ଚାୟତ, ଶିକ୍ଷକ ଓ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି।୨୦୨୪ ମସିହାରେ ପ୍ରାଥମିକ ବିଦ୍ୟାଳୟ ବର୍ଗରେ ପତିତପାବନ NUPS, ପିତାବାସ UGUPS ଓ ଗୌଡ଼ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ଲାଭ କରିଥିବାବେଳେ ସତ୍ୟବାଦୀ ବ୍ଲକ୍‌ର ବିଦ୍ୟାଧରପୁର ଗ୍ରାମପଞ୍ଚାୟତ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ପୁରସ୍କାର ଏବଂ ପୁରୀ ଜିଲ୍ଲା ସ୍କୁଲ ଆଲୁମନି କମିଟି ପୁରସ୍କାର ହାସଲ କରିଛି।ସେହିପରି ୨୦୨୫ ମସିହାରେ ବ୍ରହ୍ମଗିରି ବ୍ଲକ୍‌ର ମାଣପଡ଼ା ଗ୍ରାମପଞ୍ଚାୟତ ଗ୍ରାମପଞ୍ଚାୟତ ପୁରସ୍କାର ଏବଂ ସତ୍ୟବାଦୀ ବ୍ଲକ୍‌ର ଶ୍ରୀମତୀ ଭବମ ପ୍ରଧାନ ଶ୍ରେଷ୍ଠ BEO ପୁରସ୍କାର ଲାଭ କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟ ବର୍ଗରେ ପତିତପାବନ NUPS, ଗୋପ ଓ ଗୋବିନ୍ଦପୁର NUPS, ପିପିଲି ପୁରସ୍କୃତ ହୋଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟ ବର୍ଗ ଓ ବିଦ୍ୟାଳୟ ପରିଚାଳନା କମିଟି (SMC) ବର୍ଗରେ କାକଟପୁର ହାଇସ୍କୁଲ ପୁରସ୍କାର ହାସଲ କରିଛି। ମାଧ୍ୟମିକ ଶିକ୍ଷକ (PET) ବର୍ଗରେ ପୁରୀ ଜିଲ୍ଲା ସ୍କୁଲର ଶ୍ରୀ ରଞ୍ଜନ ରେଡ୍ଡୀ ସମ୍ମାନିତ ହୋଇଛନ୍ତି। ଏଥିସହ ୧୧ ଜଣ ଛାତ୍ରଛାତ୍ରୀ ଶୈକ୍ଷିକ ପୁରସ୍କାର ଏବଂ ୨ ଜଣ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ବୃତ୍ତି ଲାଭ କରିଛନ୍ତି।ଏହି ଉଲ୍ଲେଖନୀୟ ସଫଳତା ପାଇଁ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ପୁରସ୍କୃତ ଶିକ୍ଷା ଅନୁଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୀ ଜିଲ୍ଲାର ଏହି ସାମୂହିକ ସଫଳତା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଗୌରବମୟ ଅଧ୍ୟାୟ। ଏହା ଜିଲ୍ଲାର ଶିକ୍ଷକ, ଶିକ୍ଷାବିତ୍, ଶିକ୍ଷା ପ୍ରଶାସକ ଓ ଛାତ୍ରଛାତ୍ରୀଙ୍କୁ ଅଧିକ ନିଷ୍ଠା, ଉତ୍ସାହ ଓ ସମର୍ପଣ ଭାବନାର ସହିତ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।

Leave a Reply

Your email address will not be published. Required fields are marked *