ପୁଣି ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ଉତ୍ପାତ।

ପୁଣି ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ଉତ୍ପାତ। ଏଥର ୧୦୦ କି ୫୦୦ ନୁହେଁ ବରଂ ସହଜରେ ଦର୍ଶନ କରାଇବା କଥା କହି ୧୩୦୦୦ ଟଙ୍କା ଚୂନ ଲଗାଇଲେ ଜଣେ ନକଲି ଗୁମାସ୍ତା। ଏଭଳି ସାଂଘାତିକ ଅଭିଯୋଗ ଜଣେ ମହିଳା ଶ୍ରଦ୍ଧାଳୁ କରିଛନ୍ତି। ଶ୍ରୀମନ୍ଦିର ଉତ୍ତରଦୁଆର ନିକଟରେ ନକଲି ଗୁମାସ୍ତା ଜଣକ ଜଣେ ଭକ୍ତଙ୍କ ମୁଣ୍ଡପିଛା ୧୦୦୦ ଟଙ୍କା ହିସାବରେ ୧୩ ଜଣଙ୍କ ଠାରୁ ୧୩୦୦୦ ଟଙ୍କା ନେଇ କୁଆଡେ ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି। ସେପଟେ ପଞ୍ଚୁକ ସମୟରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଥିବା ବେଳେ ସହଜରେ ଦର୍ଶନ କରାଇବା କହି ନକଲି ଗୁମାସ୍ତା ମାନେ ଭକ୍ତଙ୍କୁ ଶୋଷଣ କରୁଛନ୍ତି। କିଛିଦିନ ପୂର୍ବରୁ ସିଂହଦ୍ଵାର ଥାନା ପୋଲିସ ୯ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଥିବା ବେଳେ ଆଜି ଆଉଜଣେ ନକଲି ଗୁମାସ୍ତା ଭକ୍ତଙ୍କ ଠାରୁ ୧୩୦୦୦ ଟଙ୍କା ହଡପ୍ କରିବା ଘଟଣା ସବୁ ସୀମା ପାର୍ କରିଛି। ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ନକଲି ଗୁମାସ୍ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସେପଟେ ସମ୍ପୃକ ନକଲି ଗୁମାସ୍ତାଙ୍କୁ କିଛି ଲୋକ ଅଟକ ରଖିଥିବା ଜଣାପଡିଛି। କଳା ଜ୍ୟାକେଟ୍ ପିନ୍ଧା ବ୍ୟକ୍ତି ଜଣକ ନକଲି ଗୁମାସ୍ତା ସାଜି ବହିରାଗତ ଭକ୍ତଙ୍କ ଠାରୁ ୧୩୦୦୦ ଟଙ୍କା ନେଇ ଦର୍ଶନ କରାଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *