ପବିତ୍ର ପଞ୍ଚୁକ ରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ କାଳିଆ ଠାକୁର

ଭକ୍ତଙ୍କ ଦୁଃଖ ଲାଘବ ପାଇଁ ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ କାଳିଆ ଠାକୁର। ପୁଣ୍ୟ କାର୍ତ୍ତିକରେ ମହାପଞ୍ଚୁକର ଦ୍ୱାଦଶୀ କ୍ଷୟ ପଡିବାରୁ ଦ୍ୱିତୀୟ ଦିନରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ ।ମହାପ୍ରଭୁଙ୍କ ଅନେକ ନାମ ଭିତରୁ ଅନ୍ୟତମ ନାମ ତ୍ରିବିକ୍ରମ । ବିଶ୍ୱାସ ରହିଛି ଏହି ବେଶ ଦର୍ଶନରେ ଭକ୍ତଙ୍କ ତ୍ରିତାପ ଜନିତ କଷ୍ଟ ଯଥା ଆଦି ଭୌତିକ,ଆଦି ବୈଦିକ,ଆଦି ଆଧ୍ୟାତ୍ମିକ ଜନିତ କଷ୍ଟ ଲାଘବ ହୁଏ । ପୁଷ୍ପାଳକ ସେବକ ମାନଙ୍କ ଦ୍ଵାରା ଏହିବେଶ ଅବକାଶ ନୀତି ପରେ ସମ୍ପାଦିତ ହୋଇଥିବା ବେଳେ ଦ୍ବିପହର ଧୂପ ପର୍ଯ୍ୟନ୍ତ ରହିଥିଲା । ଅନେକ ଦୁର୍ମୂଲ୍ୟ ସୁନାରେ ଶ୍ରୀହସ୍ତ,ପାୟର,ହଳ,ମୁଷଳ, ଆଡ଼କାନି,ତ୍ରିଖଣ୍ଡି, ଅଳକା, ସାଙ୍ଗକୁ ଦୟାଣା,ତୁଳସୀ,ମାଳତୀ ଆଦି ବେଶ ଧାରଣ କରି ଅପୂର୍ବ ଦୃଶ୍ୟମାନ ହୋଇଥିଲେ ଶ୍ରୀଜୀଉ ।ପୌରାଣିକ କଥା ଅନୁସାରେ ବାମନ ଅବତାରରେ ମହାଦାନୀ ବଳି ଠାରୁ ତିନି ପାଦ ଭୂମି ଦାନ ମାଗିଥିଲେ ମହାପ୍ରଭୁ । ଗୋଟିଏ ପାଦରେ ସମଗ୍ର ଭୁମଣ୍ଡଳ, ଗୋଟିଏ ପାଦରେ ସ୍ୱର୍ଗ ଓ ଅନ୍ୟପାଦରେ ନାଭି ପ୍ରଦେଶରୁ କାଢି ବାଳିର ମୁଣ୍ଡରେ ରଖି ପାତାଳକୁ ଚାପି ଦେଇଥିଲେ ।ସେହି ଦିନଠାରୁ ମହାପ୍ରଭୁଙ୍କ ଅନ୍ୟ ନାମ ତ୍ରିବିକ୍ରମ ହୋଇଥିବା ବେଳେ ମାତୃଭୂମି ଠାରୁ ଦୂରରେ ରହି ସନ୍ତାପିତ ହେଉଥିବା ଭକ୍ତ ମାନଙ୍କର ଦୁଃଖ ଲାଘବ ପାଇଁ ଏହି କାର୍ତ୍ତୀକ ଶୁକ୍ଳ ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ସେପଟେ ଗତକାଲି ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହରିଙ୍କ ବାହାନ ଗରୁଡଙ୍କ ମଧ୍ୟ ଉତ୍ଥାପନ ନୀତି ସମ୍ପନ୍ନ ହେବ। ଯାହାକୁ ଗରୁଡ ଉତ୍ଥାପନ ନୀତି କୁହାଯାଏ। କାର୍ତ୍ତିକ ମାସର ଧାର୍ମିକ ପରମ୍ପରାରେ ରହିଛି ଗରୁଡ଼ ଉତ୍ଥାପନ ନୀତିର ବିଶେଷ ମହତ୍ତ୍ୱ।

ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଗରୁଡ଼ଙ୍କ ସହ ଜଡ଼ିତ ଏହି ଦିବସକୁ ଭକ୍ତି ଓ ଆସ୍ଥାର ସହ ପାଳନ କରନ୍ତି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏହି ଦିନକୁ ନେଇ ରହିଛି ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ। ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ଗରୁଡଙ୍କ ସ୍ନାନ ପରେ ଆଳତି, ବନ୍ଦାପନା, ମାଜଣା ଇତ୍ୟାଦି ନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ଆଜି ମଧ୍ୟ ପଞ୍ଚୁକର ଦ୍ୱିତୀୟ ଦିନ ରବିବାର ପଡିଥିବାରୁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ପୂର୍ବ ନିଷ୍ପତ୍ତି ମୁତାବକ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ରେ ଯାଇ ଏକମୁଖି ବ୍ୟବସ୍ଥା ମଧ୍ୟରେ କେବଳ ସିଂହଦ୍ବାରରେ ପ୍ରବେଶ କରି ଅନ୍ୟ ତିନିଦୁଆରରେ ପ୍ରସ୍ଥାନ କରିଥିଲେ । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଆଜି ମଧ୍ୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ପଞ୍ଚୁକର ତୃତୀୟ ଦିନରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ ପରଦିନ ଅର୍ଥାତ କାର୍ତ୍ତୀକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

Leave a Reply

Your email address will not be published. Required fields are marked *