ଜାତୀୟ ସ୍ତରକୁ ମନୋନୀତ ପୁରୀ ପିଏମଶ୍ରୀ ବିଶ୍ଵମ୍ବର ବିଦ୍ୟାପୀଠ ର ଛାତ୍ରୀ ଅର୍ପିତା

ପୁରୀ: ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ପୁରୀ ଜିଲ୍ଲାର ୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ଅଂଶଗ୍ରହଣ କରିଥିବାବେଳେ, ୨୦୨୬ ନଭେମ୍ବର ୨୭ ଓ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ଡୁନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ଠାରେ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲାର ୭ ଜଣ ଶିଶୁ ବୈଜ୍ଞାନିକ ନିଜ ନିଜର ବିଜ୍ଞାନ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏଥିରେ ପିଏମ୍‌ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠ, ପୁରୀର ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଜାତୀୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତଥା ମାର୍ଗଦର୍ଶିକା କଲ୍ୟାଣୀ ସାହୁ ଓ ଶିଶୁ ବିଜ୍ଞାନ କଂଗ୍ରେସ ର ଜିଲ୍ଲା ସଂଯୋଜିକା ପ୍ରିୟଦର୍ଶିନୀ ସାହୁ ଙ୍କ ମାର୍ଗଦର୍ଶନରେ ଅର୍ପିତା ପ୍ରସ୍ତୁତ କରିଥିବା ପ୍ରକଳ୍ପର ଶୀର୍ଷକ ଥିଲା “ବର୍ଜ୍ୟରୁ ସର୍ଜନ: ଟେରାକୋଟାର ନୂଆ ଜୀବନ”। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୁମ୍ଭକାର ମାଟିର ସଂରକ୍ଷଣ ଏବଂ ଟେରାକୋଟା ବା ପୋଡ଼ାମାଟିର ଗୁଣ୍ଡକୁ ପୁନଃବ୍ୟବହାର କରି ମାଟିର ଅପଚୟ ରୋକିବା।ପ୍ରକଳ୍ପରେ ଟେରାକୋଟା ଗୁଣ୍ଡକୁ ବିଭିନ୍ନ ଅନୁପାତରେ କଞ୍ଚା ମାଟି ସହ ମିଶାଇ ବିଭିନ୍ନ ମାଟିପାତ୍ର ଓ ଉପଯୋଗୀ ସାମଗ୍ରୀ ତିଆରି କରିବାର ପ୍ରୟାସ କରାଯାଇଥିଲା। ଏହାଦ୍ୱାରା ବର୍ଜ୍ୟ ଟେରାକୋଟାକୁ ସମ୍ପଦରେ ପରିଣତ କରିବା ସହ ମାଟିର ସଂରକ୍ଷଣ ଓ ପରିବେଶ ସୁରକ୍ଷାର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି।ଏହି ପ୍ରକଳ୍ପ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ୧୨—“ଦାୟିତ୍ୱପୂର୍ଣ୍ଣ ଉପଭୋଗ ଓ ଉତ୍ପାଦନ” ଅନ୍ତର୍ଗତ। ବର୍ଜ୍ୟବସ୍ତୁର ପୁନଃବ୍ୟବହାର, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସ୍ଥାୟୀ ଉତ୍ପାଦନ ପ୍ରଣାଳୀ ଉପରେ ଏହି ପ୍ରକଳ୍ପ ଗୁରୁତ୍ୱ ଦେଇଛି।ଅର୍ପିତାଙ୍କ ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନେ ଆନନ୍ଦ ପ୍ରକାଶ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *