ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ବିଜେପିର ମିଶ୍ରଣ ପର୍ବଶତାଧିକ କର୍ମୀଙ୍କ ବିଜେପିରେ ଯୋଗଦାନ
ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୪୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପ୍ରସାରଣ ସହ ଜଗନ୍ନାଥପୁର ମଣ୍ଡଳ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ କର୍ମୀ ବିଜେପିରେ ଯୋଗଦେଇଥିବା ବେଳେ ବିପୁଳ ଜନସମାଗମ ହୋଇଥିଲା।ମଣ୍ଡଳ ପ୍ରଭାରୀ ପ୍ରଦୀପ କୁମାର ଲେଙ୍କା ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଯୁବନେତା ତଥା ମିଶ୍ରଣ ପର୍ବର ଆବାହକ ମାନସ ରଞ୍ଜନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ନେତା ତଥା ଆଇନଜୀବୀ ରାଜକିଶୋର ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚାର ସହପ୍ରଭାରୀ ବିବେକାନନ୍ଦ ହୋତା ଓ ସାଂସଦଙ୍କ ପ୍ରତିନିଧି ସୁନନ୍ଦ ବିଶ୍ୱାଳ ମଞ୍ଚାସୀନ ଥିଲେ।ଅତିଥିମାନେ ଭାରତମାତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଭାରତମାତାଙ୍କ ଜୟଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା।ମୁଖ୍ୟଅତିଥି ସାଂସଦ ଶ୍ରୀ ତରାଇ ନିଜ ଅଭିଭାଷଣରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ୱପ୍ନ ଓ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବହୁ ବ୍ୟକ୍ତି ସ୍ୱତଃପ୍ରବୃତ୍ତ ଭାବେ ବିଜେପିରେ ଯୋଗଦେଉଛନ୍ତି।

ସେମାନଙ୍କ ଆଗ୍ରହ ଓ ଦଳ ପ୍ରତି ଆନୁଗତ୍ୟକୁ ସେ ଉଚ୍ଚପ୍ରଶଂସା କରିଥିଲେ। ଏଥିସହ ନିଶାମୁକ୍ତ ଭାରତ ଗଠନ ଦିଗରେ ଆଗେଇ ଆସିବାକୁ ଉପସ୍ଥିତ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଜଗନ୍ନାଥପୁର ମଣ୍ଡଳ ଅନ୍ତର୍ଗତ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷାବିତ୍ ଶରତ ଚନ୍ଦ୍ର ତାରେଣିଆ, ରମେଶ ଚନ୍ଦ୍ର ଦାସ, ମହାବୀର ନାୟକ, ଜଗନ୍ନାଥ ସ୍ୱାଇଁ, ନାରାୟଣ ମଲ୍ଲିକ, ଉଲ୍ଲାସ କୁଅଁର, ଅଶୋକ ଦାସ, ବାବାଜୀ ମଲ୍ଲିକ, ଲକ୍ଷ୍ମୀକାନ୍ତ ନାୟକ, ଅଭିରାମ ସାହୁ, ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, ବାବାଜୀ ସାହୁ, ସୁଦାମ ଚରଣ ସାହୁ ଓ ପ୍ରସନ୍ନ କୁମାର ସେଠୀଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ଯୋଗଦେଇଥିଲେ। ଅତିଥିମାନେ ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ।ଯୁବନେତା ମାନସ ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଆଗାମୀ ଦିନରେ ଜଗନ୍ନାଥପୁର ମଣ୍ଡଳରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ଦଳୀୟ କର୍ମୀଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଥିଲା।
