ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିଥିବା ସିଜେଏମ୍‌ଙ୍କ ପଦୋନ୍ନତି ସ୍ଥଗିତ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ କରିଥିବା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ହରିଶ ହସ୍‌ମୁଖଭାଇ ବର୍ମାଙ୍କ ସମେତ ଗୁଜରାଟର ୬୮ ଜଣ ନିମ୍ନ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଜାରି କରିଛନ୍ତି। ଉକ୍ତ ନ୍ୟାୟିକ ଅଧିକାରୀମାନଙ୍କ ପଦୋନ୍ନତି ଗୁଜରାଟ ରାଜ୍ୟ ନ୍ୟାୟିକ ସେବା ନିୟମାବଳୀ, ୨୦୦୫(୨୦୧୧ରେ ସଂଶୋଧିତ)ର ଉଲ୍ଲଂଘନ କରୁଥିବା ଜଷ୍ଟିସ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଉକ୍ତ ନିୟମାବଳୀ ଅନୁଯାୟୀ ମେଧା ତଥା ବରିଷ୍ଠତା ଆଧାରରେ ଏବଂ ଉପଯୁକ୍ତତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ପଦୋନ୍ନତି ଦିଆଯାଇପାରିବ। ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ ତାଲିକା ଏବଂ ରାଜ୍ୟ ସରକାର ଜିଲା ଜଜ୍‌ମାନଙ୍କ ପଦୋନ୍ନତି ପାଇଁ ଦେଇଥିବା ନିର୍ଦ୍ଦେଶନାମା ବେଆଇନ ଏବଂ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିର ବିରୁଦ୍ଧାଚରଣ କରୁଥିବା ଖଣ୍ଡପୀଠ କହିଛନ୍ତି।

Leave a Reply

Your email address will not be published. Required fields are marked *