ଧଉଳିକୁଦର ପ୍ରାଚୀନ “ବନଦୁର୍ଗା”ମୂର୍ତ୍ତି

ରଘୁନାଥପୁର -ତା ୪:୧୧ -ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଗ୍ରାମ ସମୀପ ଧଳତଙ୍ଗଡ଼ ଜଙ୍ଗଲ ଆରମ୍ଭ ସ୍ଥଳେ ଧଉଳିକୁଦରେ ଏକ ପ୍ରାଚୀନ ଓ ଦିବ୍ୟ ଦେବୀ ମୂର୍ତ୍ତି ଦେଖିବାକୁ ମିଳେ ଯାହା ସ୍ଥାନୀୟ ଅଞ୍ଚଳ ରେ “ବନଦୁର୍ଗା” ଭାବେ ପରିଚିତ । ଏହି ପ୍ରାଚୀନ ଦେବୀ ମୂର୍ତ୍ତି ପ୍ରାୟ ଅଷ୍ଟମ କିମ୍ବା ନବମ ଶତାବ୍ଦୀର ହୋଇଥିବାର ଅନୁମାନ କରାଯାଏ ଯେଉଁ ସମୟ ରେ ଭୌମକର ବଂଶର ଅଧୀନରେ ଶାକ୍ତ ପରମ୍ପରା ର ଅଭିବୃଦ୍ଧି ଘଟିଥିଲା। ଏଠାରେ ସୁଚନା ଥାଉ କି ଧଉଳିକୁଦ “ଧ୍ରୁବ ତପସ୍ୟା ସ୍ଥଳୀ” ଭାବେ ମଧ୍ୟ ପରିଚିତ ଯେଉଁଠାରେ ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ଧ୍ରୁବ ନାମକ ବାଳକ ଭକ୍ତ ଭଗବାନ ବିଷ୍ଣୁଙ୍କ ପାଇଁ ତପସ୍ୟା କରିଥିଲେ ଓ ଭଗବାନ ବିଷ୍ଣୁ ଙ୍କ ଦର୍ଶନ ପାଇଥିଲେ ଏହା ପରେ ବିଷ୍ଣୁ ଙ୍କ ଆଶୀର୍ବାଦ ରୁ ସେ ଧ୍ରୁବ ତାରା ହୋଇ ଆକାଶ ରେ ସ୍ଥାନ ପାଇଥିଲେ ଏପରି ଭକ୍ତି ର ପ୍ରତୀକ ରୂପେ ଧଉଳିକୁଦ ରେ କାହିଁ କେବେ ଠୁ ଏକ ଅଖଣ୍ଡ ଧୁନି ଜଳୁଛି। ଏହି ପବିତ୍ର ଜାଗାରେ ଥିବା ବନଦୁର୍ଗା ମୂର୍ତ୍ତି ଏକ ଆଧ୍ୟାତ୍ମିକ ଓ ଐତିହାସିକ ଗୁରୁତ୍ୱ ଦର୍ଶାଏ ।ଦେବୀ ଏଠାରେ ମହିଷମର୍ଦ୍ଦିନୀ ରୂପେ ପ୍ରତିଷ୍ଠିତ ଯେଉଁଠି ସେ ମହିଷାସୁର ଦୈତ୍ୟକୁ ବିନାଶ କରୁଛନ୍ତି । ମୂର୍ତ୍ତିଟି ହୁଏତ ଅଷ୍ଟଭୁଜା, କାଳ କ୍ରମେ ତାଙ୍କ ହାତ ଓ ଶସ୍ତ୍ରଗୁଡ଼ିକ ଅଂଶତଃ ଅଦୃଷ୍ୟପ୍ରାୟ । ତଥାପି ତ୍ରିଶୂଳ, ଖଡ଼ଗ ଓ ଢାଲର ଆକୃତି ଅସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଦୃଢ଼ ମୁଖଭାବ, ଅଳଙ୍କାର , ଗତିଶୀଳ ଦେହଭଙ୍ଗି ଅସ୍ତ୍ର ଶସ୍ତ୍ର ଧର୍ମ ର ବିଜୟ କୁ ସଂକେତ କରେ , ଯାହା ପ୍ରାଚୀନ ଶିଳ୍ପର ଅପୂର୍ବ ଦୃଷ୍ଟାନ୍ତ । ଗୋଟିଏ ପଥର ଖଣ୍ଡରୁ ଗଢ଼ା ଏହି ମୂର୍ତ୍ତି ଓଡ଼ିଶାର ପ୍ରାଚୀନ-ମଧ୍ୟଯୁଗୀୟ ଶିଳ୍ପଶୈଳୀର ଲକ୍ଷଣଗୁଡ଼ିକୁ ପ୍ରକାଶ କରେ ମୂର୍ତ୍ତିର ମୁଖରେ ଶାନ୍ତି ଓ ଶକ୍ତିର ଏକାତ୍ମ ସଂଯୋଗ ଦେଖିବାକୁ ମିଳେ, ସ୍ଥାନୀୟ ଲୋକମାନେ ଦେବୀଙ୍କୁ “ବନଦୁର୍ଗା” ଭାବେ ଅରାଧନା କରନ୍ତି ଜଙ୍ଗଲ ର ସୁରକ୍ଷାଦାତ୍ରୀ  ଭାବେ ତାଙ୍କ ପୂଜା ହୋଇଥାଏ । ଦୁର୍ଗା ପୂଜା ସମୟରେ ଓ ଅନ୍ୟ ଶୁଭ ଅବସରରେ ଲୋକେ ଏଠାକୁ ଆସି ଦେବୀଙ୍କ ଦର୍ଶନ ନିଅନ୍ତି । ଧଳତଙ୍ଗଡ଼ର ସବୁଜ ଜଙ୍ଗଲ ମଧ୍ୟରେ ଏହି ସ୍ଥଳୀ ଅତ୍ୟନ୍ତ ଶାନ୍ତ ପରିବେଶ ସୃଷ୍ଟି କରେ ।ଏହି ପ୍ରାଚୀନ ମୂର୍ତ୍ତି ଜଗତସିଂହପୁର ଜିଲ୍ଲାର କୋଣ କୋଣ ରେ  ପ୍ରାଚୀନ କାଳ ରେ ପ୍ରଚଳିତ ଥିବା ଶକ୍ତି ପୂଜା ର ଉଦାହରଣ।  ମା ଶାରଳା ଙ୍କୁ କେନ୍ଦ୍ର କରି ଆଖ ପାଖ ଅଞ୍ଚଳ ରେ ଶକ୍ତି ଉପାସନା ବୃଦ୍ଧି ପାଇଥିଲା। ଏହିଭଳି ଅନେକ ପ୍ରାଚୀନ ଶକ୍ତି ମା ନାରାୟଣୀ,ଦୁର୍ଗା,ପାର୍ବତୀ ଓ ଚାମୁଣ୍ଡା ମୂର୍ତ୍ତି ଗୁଡ଼ିକ ଜଗତସିଂହପୁର ର ପ୍ରତିଟି ଅଞ୍ଚଳ ରେ ଗ୍ରାମଦେବତୀ ଭାବରେ ଉପାସନା ହେଉଛନ୍ତି।

Leave a Reply

Your email address will not be published. Required fields are marked *