ବିଦ୍ୟାଳୟ ଖୋଲିବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
ଗଣିଆ -ଗଣିଆ ବ୍ଳକ ବେଲପଡାପାଟଣା ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଭୋଳାନାଥ ମଳିକ ଗତ ୩ ତାରିଖରେ ଝାଡା ଯିବାକୁ କହି ବିଦ୍ୟାଳୟରୁ ଆସିଥିବା ବେଳେ ଆଉ ଫେରି ନଥିଲେ । ତା ପର ଦିନ ସକାଳୁ ଏକ ଖୋଲା କୂଅରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ପୁଅକୁ କେହି ହତ୍ୟା କରି ସେଠାରେ ପକାଇ ଦେଇଥିବା ଅଭିଯୋଗ କରି ଗ୍ରାମବାସୀ ରାସ୍ତାରୋକ କରିବା ସହିତ ନ୍ୟାୟ ପ୍ରଦାନ ଦାବି କରିଥିଲେ । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ସେହିଦିନଠାରୁ ବେଲପଡା ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଛି । ଭୋଳାନାଥଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବେ ନାହିଁ ବୋଲି ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ତେବେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ୬ ତାରିଖ ଠାରୁ ମୈଖିକ ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଠାରୁ ପରୀକ୍ଷା କରିବା ପାଇଁ ଚିଠି କରାଯାଇଥିଲା । ସେଥିପାଇଁ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଭିଭାବକ ମାନଙ୍କ ସହିତ ପରୀକ୍ଷା ଦେବାକୁ ଆସିଥିବା ବେଳେ ମୃତ ଛାତ୍ରଙ୍କ ପରିବାର ଲୋକେ ଆସି ବିରୋଧ କରିଥିଲେ । କିଛି ସମୟ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ଗଣ୍ଡଗୋଳ ହୋଇଥିଲା । ତେବେ ଘଟଣାସ୍ଥଳରେ ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍, ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଅପରାହ୍ନରେ ବେଲପଡାପାଟଣା ଗ୍ରାମର ପ୍ରାୟ ୨ ଶହରୁ ଅଧିକ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ଗ୍ରାମରୁ ଏକ ଶୋଭାଯାତ୍ରା କରି ଗଣିଆ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ତାଙ୍କ ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ସେମାନଙ୍କ ଛାତ୍ର ଛାତ୍ରୀ ପାଠପଢାରୁ ବଞ୍ଚିତ ହେଉଥିବାରୁ ତୁରନ୍ତ ଉକ୍ତ ବିଦ୍ୟାଳୟ ଖୋଲି ପରୀକ୍ଷା କରାଯାଉ । ଗ୍ରାମର ପୂଜକ ପ୍ରଭାସ କୁମାର ପଣ୍ଡାଙ୍କୁ ମୃତ ଛାତ୍ରଙ୍କ ପରିବାର ଲୋକେ ଆକ୍ରମଣ କରିଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ଉପସ୍ଥିତ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନଶୁଣିବା ସହିତ ଗଣିଆ ମୁଖ୍ୟ ବଜାର ଉପରେ ରାସ୍ତାରୋକ କରିଛନ୍ତି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ରାସ୍ତାରୋକ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ପ୍ରଶାସନ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ କାହିଁକି ସମାଧାନ କରିପାରୁ ନାହାଁନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଖବର ଲେଖା ହେଲା ବେଳକୁ ରାସ୍ତାରୋକ ଚାଲୁ ରହିଥିଲା ।
