ଫାଇନାନ୍ସ କର୍ମଚାରୀଙ୍କୁ ହାଣି ଲୁଟିନେଲେ ଟଙ୍କା ଓ ମୋବାଇଲ ଫୋନ
-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ପାଖ କେନାଲ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ଲୁଟିନେଲେ ୫୦ ହଜାର ଟଙ୍କା ସହ ମୋବାଇଲ ଫୋନ। ଗୁରୁତର ଫାଇନାନ୍ସ କର୍ମଚାରୀ କାମାକ୍ଷାନଗର ଅନନ୍ତପୁର ସ୍ଥିତ ଦ୍ୱାର କ୍ଷେତ୍ରୀୟ ଅର୍ଥ ଲଗାଣକାରୀ ସଂସ୍ଥାର ହୋଇଥିବା ଜଣାପଡିଛି। ଫାଇନାନ୍ସ କର୍ମଚାରୀ ଜଣଙ୍କ ଭଦ୍ରକ ମଟୋ ଗାଁର ଲାଲମୋହନ ପ୍ରଧାନ। ଲାଲମୋହନ ନିଜ ବାଇକ ଯୋଗେ ଗ୍ରୁପ ମହିଳା ମାନଙ୍କ ଠାରୁ ଅର୍ଥ ସଂଗ୍ରହ କରି କାମାକ୍ଷାନଗରକୁ ଫେରୁଥିବା ବେଳେ ଘଟିଛି ଅଘଟଣ। ୪ ରୁ ୫ ଜଣ ଦୁର୍ବୁତ୍ତ ବନ୍ଧୁକ ଓ ମାରଣାସ୍ତ୍ର ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଲାଲମୋହନଙ୍କୁ ଗୁରୁତର ଅବସ୍ଥାରେ ମହୁଲପାଳ ଗାଁର ନେହେରୁ ଯୁବକ ସଂଘର ସଦସ୍ୟ ମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ କରି ଦେଇଛି ପୋଲିସ।
