ଦିବ୍ଯାଙ୍ଗ ଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ୨୧/୧ ଦିବ୍ଯାଙ୍ଗ ମାନଙ୍କ ପ୍ରତିଭାର ବିକାଶ ଘଟିଲେ ସେମାନେ ସମାଜ ପାଇଁ ସମ୍ବଳ ପାଲଟିବେ।ତେବେ ସଚେତନତା ଅଭାବରୁ ଅନେକ ଦିବ୍ଯାଙ୍ଗ ବିବିଧ ସୁବିଧା ସୁଯୋଗ ସମ୍ପର୍କରେ ଅଜ୍ଞ ରହୁଛନ୍ତି।ସମସ୍ତଙ୍କୁ ସଚେତନ କରାଇ ତାହାର ସୁଫଳ ହାସଲ ପାଇଁ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଛନ୍ତି ବକ୍ତା ମାନେ।ଆଜି ପୂର୍ବାହ୍ନରେ ୟୁଥ ହଷ୍ଟେଲ ପରିସରରେ ଶ୍ରୀକ୍ଷେତ୍ର ଦିବ୍ଯାଙ୍ଗ ସେବା ସଂଗଠନ ଓ ଏନବେଲ ଇଣ୍ଡିଆ ପକ୍ଷରୁ ହମାରି ବାଣୀ ଦିବ୍ଯାଙ୍ଗ କା ଆପନା ମଞ୍ଚ ନାମ ରେ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଦିବ୍ଯାଙ୍ଗ ମାନେ ସମାଜର ଏକ ଅଙ୍ଗ।ସେମାନଙ୍କ ମଧ୍ୟରେ ଦକ୍ଷତା ଓ ପ୍ରତିଭା ରହିଛି।ତାହାର ପରିପ୍ରକାଶ ହୋଇ ପାରିଲେ ସେମାନେ ସମାଜର ସମ୍ବଳ ପାଲଟିବେ ବୋଲି କହିଥିଲେ।ସମାଜର ବିଭିନ୍ନ କ୍ଷେତ୍ରରେ ଦିବ୍ଯାଙ୍ଗ ମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିବା ସହ ଅନ୍ୟ ମାନଙ୍କ ପାଇଁ ସେମାନେ ପ୍ରେରଣା ବୋଲି କହିଥିଲେ।

ଶ୍ରୀକ୍ଷେତ୍ର ଦିବ୍ଯାଙ୍ଗ ସେବା ସଂଗଠନ ର ସଭାପତି ଗଜଲକ୍ଷ୍ମୀ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ଅନୁଷ୍ଠାନ ର ସଦସ୍ୟ କୃତିବାସ ଦାସ,ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଦିବ୍ଯାଙ୍ଗ ମାନଙ୍କ ଆବଶ୍ୟକତା, ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରଶିକ୍ଷକ ଏବଂ ମେଣ୍ଟ ର ଭାବେ ଏନବେଲ ଇଣ୍ଡିଆ ର ମୁଖ୍ୟ ତଥା ହୁଇଲ ଚେୟାର କ୍ରୀଡ଼ାରେ ବିଶ୍ବ ରେକର୍ଡ ଧାରୀ କମଳାକାନ୍ତ ନାୟକ ଓ ନରହରି ବେହେରା ନିଜ ଅଭିଜ୍ଞତା, ଅନୁଭବ ଓ ସଂଘର୍ଷ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ନିଜେ ଦିବ୍ଯାଙ୍ଗ ହେଲେ ମଧ୍ୟ ଦୃଢ ମାନସିକତା ଓ ଆତ୍ମବିଶ୍ୱାସ ପାଇଁ ସେମାନେ କିପରି ସଫଳ ହୋଇ ପାରିଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ଦିବ୍ଯାଙ୍ଗ ମାନେ ନିଜର ଦକ୍ଷତା ଓ ପ୍ରତିଭା ଆଧାର ରେ ଆଗଭର ହେବାକୁ ସେମାନେ ଅନୁରୋଧ କରିଥିଲେ।ଏହି ଅବସରରେ ମାଷ୍ଟର ଟ୍ରେନର ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଦିବ୍ଯାଙ୍ଗ ମାନଙ୍କୁ ବିବିଧ ସହାୟତା ଉପକରଣ ପ୍ରଦାନ କରାଯାଇଥିଲା।
