ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୀ ପୋଲିସର ବିଚ୍ ପେଟ୍ରୋଲିଂ

ପର୍ଯ୍ୟଟକମାନଙ୍କ ସୁରକ୍ଷା, ସାଧାରଣ ଆଇନ ଶୃଙ୍ଖଳା ରକ୍ଷା ଏବଂ ପୁରୀ ସମୁଦ୍ର ବେଳାଭୂମିରେ ଏକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ସହର ଅଞ୍ଚଳରେ ଏକ ବ୍ୟାପକ ବିଚ୍ ପେଟ୍ରୋଲିଂ ଏବଂ ସ୍ପେଶାଲ ସୁରକ୍ଷା ଅଭିଯାନ କରାଯାଇଥିଲା। ଏହି ଅଭିଯାନକୁ ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ନେତୃତ୍ୱ ନେଇ କରିଥିଲେ । ଏହି ବିଶେଷ ପେଟ୍ରୋଲିଂ ଅଭିଯାନରେ ସି ବିଚ୍ ଥାନା ଆଇଆଇସି ଶ୍ରୀ ମାନସ ଚକ୍ର, ଟାଉନ ଥାନା ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ ଆଇଆଇସି ଶ୍ରୀମତୀ ସଙ୍ଗୀତା ଦାଶ, ବାଳିଆପଣ୍ଡା ଥାନା ଆଇଆଇସି ଶ୍ରୀ ସୁନୀଲ ଯାଦବ, ତାଳବଣିଆ ଥାନା ଆଇଆଇସି ଶ୍ରୀ ଅଭିନବ ମିଶ୍ରଙ୍କ ସହ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।ପୁରୀ ସମୁଦ୍ର ବେଳାଭୂମିକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ଭକ୍ତ ଏବଂ ଦେଶ ବିଦେଶର ଅତିଥିମାନେ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ପୁରୀ ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ ରହିଛି। ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟରେ ବେଳାଭୂମିରେ ଭିଡ଼ ବୃଦ୍ଧି ପାଉଥିବାରୁ ଅପରାଧମୂଳକ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱଙ୍କ ଗତିବିଧି, ଅସଦାଚରଣ, ନିଶାସକ୍ତ ଅବସ୍ଥାରେ ଅନିୟନ୍ତ୍ରିତ ବ୍ୟବହାର ଓ ଅନ୍ୟାନ୍ୟ ଅପ୍ରୀତିକର ଘଟଣାକୁ ରୋକିବା ନିମନ୍ତେ ଏହି ସ୍ପେଶାଲ ପେଟ୍ରୋଲିଂ କରାଯାଇଥିଲା। ଏହି ଅଭିଯାନ ସମୟରେ ପୋଲିସ ପକ୍ଷରୁ ସମୁଦ୍ର ବେଳାଭୂମିର ବିଭିନ୍ନ ସେନ୍ସିଟିଭ୍ ସ୍ଥାନରେ ଗସ୍ତ ବଢ଼ାଯାଇଥିଲା। ବିଶେଷଭାବେ ATV (All Terrain Vehicle) ଯାନ ମାଧ୍ୟମରେ ବେଳାଭୂମିର ବିସ୍ତୃତ ଅଞ୍ଚଳରେ ଦ୍ରୁତ ଓ ସକ୍ରିୟ ପେଟ୍ରୋଲିଂ କରାଯାଇଥିଲା। ATV ପେଟ୍ରୋଲିଂ ଦ୍ୱାରା ସମୁଦ୍ର କୂଳର ଭିଡ଼ପୂର୍ଣ୍ଣ ଏବଂ ଦୁର୍ଗମ ସ୍ଥାନଗୁଡ଼ିକରେ ପୋଲିସ ଶୀଘ୍ର ପହଞ୍ଚି ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ କରିପାରୁଛି। ଏହା ଫଳରେ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିଛି। ଅଭିଯାନ ସମୟରେ ପୋଲିସ ଅଧିକାରୀମାନେ ବେଳାଭୂମିର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଥିଲେ ଏବଂ ପର୍ଯ୍ୟଟକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା, ଅଭିଯୋଗ ଓ ମତାମତ ଶୁଣିଥିଲେ। ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତାମୂଳକ ପରାମର୍ଶ ମଧ୍ୟ ଦିଆଯାଇଥିଲା। ବିଶେଷତଃ ରାତ୍ରି ସମୟରେ ସତର୍କ ରହିବା, ଅଜଣା ବ୍ୟକ୍ତିଙ୍କ ସହ ଅତ୍ୟଧିକ ସମ୍ପର୍କ ନ ରଖିବା, ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଭାବେ ରଖିବା, ଶିଶୁମାନଙ୍କୁ ଏକାକୀ ଛାଡ଼ି ନ ଦେବା ଏବଂ ସମୁଦ୍ରର ବିପଦଜନକ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେଥିସହ ସମୁଦ୍ରରେ ସ୍ନାନ ସମୟରେ ଲାଇଫଗାର୍ଡ ଏବଂ ସତର୍କତା ସୂଚନାକୁ ମାନିବାକୁ ମଧ୍ୟ ସଚେତନ କରାଯାଇଥିଲା।ଏହାସହ ବେଳାଭୂମି ଅଞ୍ଚଳରେ ଥିବା ଦୋକାନୀ, ହୋଟେଲ ବ୍ୟବସାୟୀ, ସ୍ଥାନୀୟ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ମଧ୍ୟ ସନ୍ଦେହଜନକ ବ୍ୟକ୍ତି କିମ୍ବା ଅସାମାଜିକ ଗତିବିଧି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଥିଲା। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ବଢ଼ାଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଏହି ପ୍ରୟାସ କରାଯାଇଛି। ପୁରୀ ପୋଲିସ ଦ୍ୱାରା ସମୁଦ୍ର ବେଳାଭୂମିରେ ନିୟମିତ ଫୁଟ୍ ପେଟ୍ରୋଲିଂ, ମୋବାଇଲ ଭ୍ୟାନ ପେଟ୍ରୋଲିଂ, ATV ପେଟ୍ରୋଲିଂ ଓ ଗୁପ୍ତ ନଜରଦାରୀ ବ୍ୟବସ୍ଥା ଜାରି ରହିଛି। ଏହା ଫଳରେ ବେଳାଭୂମି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଉଛି ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି।ପର୍ଯ୍ୟଟକମାନେ ମଧ୍ୟ ପୁରୀ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ପୋଲିସର ସକ୍ରିୟ ଉପସ୍ଥିତି ଦ୍ୱାରା ସେମାନେ ଅଧିକ ସୁରକ୍ଷିତ ଓ ନିର୍ଭୟ ଅନୁଭବ କରୁଥିବା କହିଥିଲେ। ପୁରୀ ପୋଲିସ ସଦା ସର୍ବଦା ପର୍ଯ୍ୟଟକ, ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ସୁରକ୍ଷାମୂଳକ ଅଭିଯାନ, ସ୍ପେଶାଲ ପେଟ୍ରୋଲିଂ ଓ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିବ।

Leave a Reply

Your email address will not be published. Required fields are marked *