ମୃତ ଛାତ୍ରଙ୍କୁ ନ୍ୟାୟ ଦାବିରେ ଭିମ ଆର୍ମି ସଗଠନର ରାସ୍ତାରୋକ
ଗଣିଆ – ଗଣିଆ ଥାନା ବେଲପଡାପାଟଣା ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଭୋଳାନାଥ ମଳିକଙ୍କର ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । ପରିବାର ତରଫରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦେକ୍ଷପ ଗ୍ରହଣ କରିନଥିବା ଅଭିଯୋଗ କରି ଶୁକ୍ରବାର ଅପରାହ୍ନରେ ଦଶପଲ୍ଲା ସ୍ବାଧୀନ ବିଧାୟକ ପ୍ରାର୍ଥୀ କାହ୍ନା ନାୟକଙ୍କ ନେତୃତ୍ୱରେ ଭୂବନେଶ୍ବର ଭୀମ ଆର୍ମି ସଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ସୁନିଲ ନାୟକ, ଉପସଭାପତି ଦୀପକ ଭୋଇ, ଓଡ଼ିଶା ଦଳିତ ସଂଘର ସଭାପତି ବିଜୟ ଭୋଇ, ସୁକାନ୍ତ ଭୋଇ, ପୀତବାସ ନାୟକ ଏବଂ ମୃତ ଛାତ୍ରଙ୍କ ପରିବାର ଗଣିଆ ବଜାରରେ ରାସ୍ତାରୋକ କରିଥିଲେ । ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଯଦି ପ୍ରଶାସନ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ, ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଖବର ଲେଖା ହେବା ବେଳକୁ ରାସ୍ତାରୋକ ଜାରି ରହିଥିଲା ।
