ବ୍ରହ୍ମଗିରି ଐତିହ୍ଯପରିଷଦ ତରଫରୁ ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ।

ବ୍ରହ୍ମଗିରି ୩୧/୦୮ : ପବିତ୍ର ରାଧା ଅଷ୍ଟମୀ,ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଦିବସ l ଏହି ଦିନଟି ଉତ୍କଳର ପ୍ରାତଃ ସ୍ମରଣୀୟ ବାଣୀ ପୁତ୍ର,ଓଡ଼ିଆ ଭାଗବତର ସ୍ରଷ୍ଟା ଶ୍ରୀ ଜଗନ୍ନାଥ ଦାସଙ୍କ ମଧ୍ୟ ପୁଣ୍ୟ ଜନ୍ମଦିନ l ଖ୍ରୀଷ୍ଟିୟ ପନ୍ଦରଶହ ଶତାବ୍ଦୀରେ ଆବିର୍ଭୁତ ହୋଇ ଥିବା ତଥା ଉତ୍କଳ ଭୂମିରେ ଭକ୍ତି ରସର ଜାହ୍ନବୀ ପ୍ଲାବନ କରିଥିବା ପଞ୍ଚ ସଖା ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଦାସ ଅନ୍ୟତମ l 1492-93 ସାଲରେ ବ୍ରହ୍ମଗିରିର କପିଳେଶ୍ବର ପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତା ଥିଲେ ପୁରାଣ ପଣ୍ଡା ଶ୍ରୀ ଭଗବାନ ଦାସ। ମାତା ପଦ୍ମାବତୀ ଦେବୀ ।l ରାଧା ଅଷ୍ଟମୀରେ ଜନ୍ମ ହୋଇ ଥିବାରୁ ସେ ରାଧା ଅଂଶ ନେଇ ଜନ୍ମ ହୋଇ। ରାଧାଭାବ ଯୋଗୁଁ ସିଏ କୃଷ୍ଣରସ ରସାଣିତ ଅନନ୍ୟ ଭାଗବତଗ୍ରନ୍ଥ ଲେଖିବା ପାଇଁ ସମର୍ଥ ହୋଇଥିଲେ ବୋଲି ପ୍ରବାଦ ରହିଛି l ନିଜର ମାଆଙ୍କର ସମ୍ମାନ ପାଇଁ ପରମେଶ୍ଵର ଶ୍ରୀଜଗନ୍ନାଥଙ୍କ ନିର୍ଦେଶରେ ଲେଖିଥିଲେ ଶ୍ରୀମଦ୍ଭାଗବତ ମହାପୁରାଣ। ଯାହାର ପ୍ରତ୍ଯେକ ପଦ ସାରା ବିଶ୍ବକୁ ମାର୍ଗଦର୍ଶନ ଦେଉଛି। ଭାଗବତ ସହିତ ଅର୍ଦ୍ଧଶତାଧିକ ପୁସ୍ତକର ରଚୟିତା ହେଉଛି ଅତିବଡି। ତାଙ୍କର ପ୍ରତ୍ଯେକ ପୁସ୍ତକ ଓଡିଆ ଭାଷାକୁ ସମୃଦ୍ଧ କରୁଛି। ଜୀବଦ୍ଦଶାରେ ଅବହେଳାର ଶିକାର ହୋଇଥିବା ଏହି ମହାପୁରୁଷ ଆଜି ମଧ୍ଯ ଏ ରାଜ୍ଯ ସଠିକ ସମାନ ଦେଇ ନାହିଁ।

ବ୍ରହ୍ମଗିରି ମାଟିରେ ଜନ୍ମିତ ଏହି ମହାନ ପ୍ରଖ୍ୟାତ ଐତିହ୍ଯ ପୁରୁଷଙ୍କ ଜୟନ୍ତୀ ବ୍ରହ୍ମଗିରି ଐତିହ୍ଯ ପରିଷଦ ତରଫରୁ ପାଳିତ ହୋଇଯାଇଛି। ବ୍ରହ୍ମଗିରି ବଚପନ ସ୍କୁଲ ମିଟିଙ୍ଗ ହଲରେ ଆୟୋଜିତ ଏହି ସଭାରେ ବ୍ରହ୍ମଗିରି ଐତିହ୍ଯ ପରିଷଦର ସଭାପତି କାଶୀନାଥ ନାୟକ ସଭାପତିତ୍ବ କରିଥିଲେ। ଐତିହ୍ଯ ଗବେଷକ ଶ୍ରୀ ନୀଳମଣି ସୁଆର , ଭଜନ ତୀର୍ଥ ଶ୍ରୀ ଭାଗୀରଥି ଦଳାଇ, କବି ପର୍ଶୁରାମ ପାତ୍ର, କବି ଦେବସ୍ମୀତା ସାହୁ ପ୍ରମୁଖ ବକ୍ତବ୍ଯ ରଖି ଅତିବଡ଼ିଙ୍କ ଜୀବନୀ ସହିତ ଓଡିଆ ଜାତି ଏବଂ ଓଡିଆ ଭାଷା ପାଇଁ ତାଙ୍କର ଯୋଗଦାନ ସଂପର୍କରେ ଆଲୋକପାତ କରିଥିଲେ। ଐତିହ୍ଯପରିଷଦର ସଂପାଦକ ଶ୍ରୀ ପ୍ରିୟ ପ୍ରସାଦ ମିଶ୍ର ସଭା ପରିଚାଳନା କରିଥିଲେ। ପ୍ରାରମ୍ଭରେ ଭାଗବତ ପଠନ ସହିତ ଶେଷଭାଗରେ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *