ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ୱର, ୮ ଜୁଲାଇ: ୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ର ଅଗ୍ରଗତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦି କନଭର୍ଜେନ୍ସ ଫାଉଣ୍ଡେସନ୍ ( ଟିସିଏଫ୍ ) ଏବଂ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଯଥା ସେଣ୍ଟର ଫର୍ ଇଫେକ୍ଟିଭ୍ ଗଭର୍ନାନ୍ସ ଅଫ୍ ଇଣ୍ଡିଆନ୍ ଷ୍ଟେଟ୍ସ ( ସିଇଜିଆଇଏସ), ଫାଉଣ୍ଡେସନ୍ ଫର୍ ଇକନୋମିକ୍ ଡେଭେଲପମେଣ୍ଟ (ଏଫଇଡି), ଉଦୈତୀ, ପ୍ରସ୍ପେରିଟି, ରକେଟ୍ ଲର୍ଣ୍ଣିଂ, ସେଣ୍ଟ୍ରାଲ୍ ସ୍ଲୋୟାର ଫାଉଣ୍ଡେସନ୍, ଗତି ଫାଉଣ୍ଡେସନ୍ ଏବଂ ‘ଅତିଥି’ର ନେତୃତ୍ୱ ଦଳ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା ସରକାର ଏବଂ ଦି କନଭର୍ଜେନ୍ସ ଫାଉଣ୍ଡେସନ୍ ମଧ୍ୟରେ ୧୩ ଫେବୃଆରୀ ୨୦୨୫ରେ ସ୍ୱାକ୍ଷରିତ ବୁଝାମଣା ପତ୍ର ( ଏମଓୟୁ ) ଅନୁଯାୟୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଭବିଷ୍ୟତ ସହଯୋଗର କ୍ଷେତ୍ରଗୁଡ଼ିକର ସମୀକ୍ଷା କରାଯାଇଥିଲା । ତିନି ବର୍ଷିଆ ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ ହେଉଛି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ରଣନୀତିମୂଳକ ବୈଷୟିକ ସହଯୋଗ ପ୍ରଦାନ କରିବା । ଦି କନଭର୍ଜେନ୍ସ ଫାଉଣ୍ଡେସନ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରବୀଣ ଖାଙ୍ଗଠା ଏବଂ ପଲିସି ଓ ଗଭର୍ଣ୍ଣମେଣ୍ଟ ପାର୍ଟନରଶିପ୍ସର ନିର୍ଦ୍ଦେଶକ ଶ୍ରୀ ପରୀକ୍ଷିତ ଲୁଥ୍ରାଙ୍କ ସମେତ ଟିସିଏଫ୍ ସହଯୋଗୀ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ବୈଠକରେ ଯୋଗଦେଇଥିଲେ । ବର୍ତ୍ତମାନ ଟିସିଏଫ୍ ର ସହଯୋଗୀ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଶିଳ୍ପ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ମହିଳା ଓ ଶିଶୁ ବିକାଶ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପର୍ଯ୍ୟଟନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ।

ସେମାନଙ୍କର କାର୍ଯ୍ୟପରିସର ମଧ୍ୟରେ ସୁଶାସନ ସଂସ୍କାର, ଶିକ୍ଷା, ମହିଳା ସଶକ୍ତିକରଣ, ପର୍ଯ୍ୟଟନ, ଦକ୍ଷତା ବିକାଶ, ସହରୀ ସଂସ୍କାର, ମାନସିକ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ରେ ସ୍ଥିର କରାଯାଇଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଟିସିଏଫ୍ ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକର ରଣନୀତିମୂଳକ ବୈଷୟିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ସୁଦୃଢ ନିରୀକ୍ଷଣ ବ୍ୟବସ୍ଥା ସହିତ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଦ୍ୱାରା ମାପଯୋଗ୍ୟ ଫଳାଫଳ ଏବଂ ସମୟସୀମା ମଧ୍ୟରେ ଅଗ୍ରଗତି ସୁନିଶ୍ଚିତ କରାଯାଇପାରିବ । ବୈଠକରେ ଓଡ଼ିଶା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ଉଚ୍ଚ ଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବବୃନ୍ଦ, ନିର୍ଦ୍ଦେଶକ, ପୌର ପ୍ରଶାସନ, ସମାଜ ମଙ୍ଗଳ ନିର୍ଦ୍ଦେଶକା ଏବଂ ଯୋଜନା ଓ ସମନ୍ୱୟ ବିଭାଗ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ବରିଷ୍ଠ ପରାମର୍ଶଦାତା ଶ୍ରୀ ଦେବେନ୍ଦ୍ର କୁମାର ଜେନା ବୈଠକ ଆୟୋଜନରେ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *