ଗୌରବିହାର ଆଶ୍ରମ ରେ ବ୍ୟଞ୍ଜନ ଦ୍ଵାଦଶୀ ପାଳିତ
-ପୁରୀ ଗୌରବିହାର ଆଶ୍ରମ ମାତା ମଠ ପରିସରରେ ବ୍ୟଞ୍ଜନ ଦ୍ଵାଦଶୀ ପାଳିତ ହୋଇଯାଇଛି ।ରାଧା କୃଷ୍ଣଙ୍କୁ ଲାଗି ହେଲା ୮୭୫ ପ୍ରକାର ବ୍ୟଞ୍ଜନ।ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଏ। ଏହି ଦିନ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି। ଏହି ଅବସରରେ ପୁରୀର ଗୌରବିହାର ଆଶ୍ରମଠାରେ ଖୁବ୍ ଧୁମଧାମରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଛି। ରାଧାକୃଷ୍ଣଙ୍କ ପାଖରେ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା ।ଚଳିତ ବର୍ଷ ମାତା ମଠ ରେ ବ୍ୟଞ୍ଜନ ଦ୍ଵାଦଶୀ ଦିନ ଶତାଧିକ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଶ୍ରୀରାଧା କୃଷ୍ଣଙ୍କୁ ଅର୍ପଣ କରାଯାଇଥିଲା।ବିଭିନ୍ନ ପ୍ରକାର ଅର୍ଣ୍ଣ,ଖେଚୁଡ଼ି,କାନେକା,ପଲାଉ,ଡାଲି,ଡାଲମା,ବେସର,ମହୁର ଭଜା,ତରକାରୀ,ଅମାଲୁ,ଖିରି,ପୂରୀ ,ଶାଗ,ବିଭିନ୍ନ ସାଧା ତରକାରୀ,ପିଠା,ଆଦି ଠାକୁରଙ୍କୁ ଅର୍ପଣ କରାଯାଇଥିଲା .ଶ୍ରୀ ଗୌର ବିହାର ବା ମାତା ମଠରେ ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ ,୨୦୧୭ରେ ୬୧୧ ପ୍ରକାର ,୨୦୧୮ରେ ୬୩୫ ପ୍ରକାର ଓ ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରି ରେକର୍ଡ କରାଯାଇଥିଲା ।

ହେଲେ ୨୦୨୦ରେ ବ୍ୟଞ୍ଜନ ଦ୍ୱାଦଶୀରେ ୧୫୧ ପ୍ରକାର ବ୍ୟଞ୍ଜନ କରି ମାତା ମଠ ପକ୍ଷରୁ କୋଭିଡ କଟକଣାରେ ମହୋତ୍ସବ କରିବା ବେଶ କଷ୍ଟସାଧ୍ୟ ହୋଇଥିଲା। ୨୦୨୧ ମସିହାରେ ୭୦୧ ପ୍ରକାରର ୨୦୨୨ ମସିହାରେ ୮୨୧ ପ୍ରକାର,୨୦୨୩ ମସିହାରେ ୮୫୧,୨୦୨୪ ରେ ୮୫୫ ପ୍ରକାର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା।ଶତାଧିକ ଶ୍ରଦ୍ଧାଳୁ ଏହି ଅବସରରେ ପ୍ରସାଦ ସେବନ କରିଥିଲେ।ମହନ୍ତ ସୁବଳ ଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।ଶତାଧିକ କର୍ମୀ ମାନଙ୍କ ସହଯୋଗରେ ୮୭୫ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥିଲା ।ମଠ ପକ୍ଷରୁ ପ୍ରତ୍ୟୁକ ବର୍ଷ ଶତାଧିକ ଜନସାଧାରଣଙ୍କୁ ଏହି ପ୍ରସାଦ ଖାଇବା ନିମନ୍ତେ ନିମନ୍ତ୍ରଣ କରାଯାଇଥାଏ ବୋଲି ସୂଚନା ମିଳିଛି ।
