ଗ୍ରାମୀଣ ନାଟ୍ୟ ସଂସ୍କୃତିର ବିକାଶ ପୁରୁଷ ଥିଲେ ଦାମ ମାଷ୍ଟ୍ରେ : ମହାସଂଘ

ବ୍ରହ୍ମପୁର, ତା. ୧୧/୦୨ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ସ୍ଥାନୀୟ ବାଲାଜୀପେଣ୍ଠ ସାହି ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ, ପ୍ରହଲ୍ଲାଦ ନାଟକ କଳାକାର ଦୀନବନ୍ଧୁ ପାତ୍ର, ଗାହାଣ ଗୁରୁ ଜି. କାମରାଜୁ ପାତ୍ର, ପାଲା କଳାକାର ଆନନ୍ଦ ମହାରଣା ପମୁଖ ମଂଚାସୀନ ଥିଲେ। ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଦେବା ପରେ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଉଦ୍ଦେଶ୍ୟ ଜ୍ଞାପନ କ୍ରମରେ ଆଜି ପୂର୍ବାହ୍ନ ନଅ ଘଟିକା ସମୟରେ ପ୍ରଥିତଯଶା ଗ୍ରାମୀଣ ନାଟ୍ୟଗୁରୁ ଦାମୋଦର ବାଡ଼ତ୍ୟାଙ୍କ ବିୟୋଗ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଗ୍ରାମୀଣ ନାଟ୍ୟ ସଂସ୍କୃତି ବିକାଶ କ୍ଷେତ୍ରରେ ଦାମ ମାଷ୍ଟ୍ରଙ୍କ ଅନେକ ଅବଦାନ ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ଚଉରାଶି ବର୍ଷ ହୋଇଥିଲା।

ଏହି ବର୍ଷିୟାନ୍ ଗୁରୁଙ୍କ ବିୟୋଗରେ ଗ୍ରାମୀଣ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରକୃତପକ୍ଷେ ଦାମ ମାଷ୍ଟ୍ରେ ଗ୍ରାମୀଣ ନାଟ୍ୟ ଜଗତର ଜନୈକ ବିକାଶ ପୁରୁଷ ଥିଲେ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜସାମନ୍ତ ଭିଡିଓ କନଫରେନ୍ସ ଯୋଗେ ଆପଣା ଆପଣା ଶୋକ ବ୍ୟକ୍ତ କରିଥିଲେ । ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାଥନା କରାଯାଇଥିଲା। ମହାସଂଘର ବହୁ ସଦସ୍ୟ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଉପ-ମହାସଚିବ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *