ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳନ
ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳନ
ବ୍ରହ୍ମପୁର, ତା. ୪.୨.୨୦୨୬ :
ଓଡ଼ିଆ ସ୍ୱାଭିମାନର ପ୍ରତୀକ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ ତମ ତିରୋଧାନ ଦିବସ ଅବସରରେ ଆଜି ସ୍ଥାନୀୟ ଗାନ୍ଧୀନଗର ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମାଲ୍ୟାର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ସମାଜସେବୀକା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କୁନି କୁମାରୀ ଦେବୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତୀୟ ଆନ୍ଦୋଳନର ଅଗ୍ରଣୀ ପୁରୋଧା ଥିଲେ। ସେ ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପାଇଁ ଅବିରତ ସଂଘର୍ଷ କରିଥିଲେ। ଉତ୍କଳ ସମ୍ମିଳନୀ ଗଠନ କରି ଓଡ଼ିଆ ଭାଷାଭିତ୍ତିକ ରାଜ୍ୟ ଦାବିକୁ ସଂଗଠିତ ରୂପ ଦେଇଥିଲେ। ଓଡ଼ିଆ ଭାଷାର ସ୍ୱାଭିମାନ ଓ ଅଧିକାର ସୁରକ୍ଷା ପାଇଁ ତାଙ୍କର ଅବଦାନ ଅତୁଲନୀୟ। ସାମାଜିକ ସୁଧାର, ଶିକ୍ଷା ଓ ଆଇନ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଚୀରସ୍ମରଣୀୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ସଭାରେ ସମାଜସେବୀ ମନୋଜ କୁମାର ତରାଇ, ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ସାହୁ, ଚାଷୀ ନେତା ବୃନ୍ଦାବନ ଖଟେଇ, ଶିକ୍ଷକ ସଂଗଠନ ନେତା ଅଶୋକ କୁମାର ଦଳାଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅର୍ଚ୍ଚନା ପଣ୍ଡା, ଆୟାଂଶ ଅରିଜିତ ପାଣିଗ୍ରାହୀ, ଆଇନଜୀବୀ ରାଜେନ୍ଦ୍ର ଦାସ, ଦିନବନ୍ଧୁ ଶ୍ରୀପଲ୍ଲଭ ପ୍ରମୁଖ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ l
