ଦେବର୍ଷି ନାରଦ ଜୟନ୍ତୀ ପାଳିତ

ବ୍ରହ୍ମପୁର: ବିଶ୍ବ ସମ୍ବାଦ କେନ୍ଦ୍ର ବ୍ରହ୍ମପୁର ଶାଖା ଦ୍ବାରା ଆଜି ବିଶ୍ବର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ ହୋଇଛି। ବ୍ରହ୍ମପୁର ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନଗର ପ୍ରଚାର ପ୍ରମୁଖ ସୁକାନ୍ତ ଗୈାଡ ସଭାପତିତ୍ବ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜେ.ଶେଷଗିରି ରାଓ ଏବଂ ବିଶିଷ୍ଟ ମଞ୍ଚ ଉପସ୍ଥାପକ ତଥା ସୁନାମଧନ୍ୟ ସଂସ୍କୃତି ଗବେଷକ ଶ୍ରୀ ହୃଷିକେଶ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ। ଡ. ରାଓ ଉଦବୋଧନ ଦେଇଥିଲେ ଯେ ଜଗତ କଲ୍ୟାଣ ସକାଶେ ଶ୍ରୀ ନାରଦ ସର୍ବଦା ପ୍ରୟାସରତ ଥିଲେ। ତାଙ୍କ ନିକଟରେ ସମସ୍ତ ସୂଚନା ଉପଲବ୍ଧ ରହୁଥିଲା ଯାହାକୁ ସେ କେଉଁଠି କେତେବେଳେ ଓ କିଭଳି ପ୍ରୟୋଗ କରି କଲ୍ୟାଣମୂଳକ କାର୍ଯ୍ୟ କରିହେବ ସେହି ପ୍ରଚେଷ୍ଟା କରୁଥିଲେ। ଆଜିକା ଯୁଗରେ ସାମ୍ବାଦିକମାନେ ତାଙ୍କ ପ୍ରେରଣାରେ ସତ୍ୟତା ଓ ନିରପେକ୍ଷତା ଅବଲମ୍ବନ କରି ଖବର ପରିବେଷଣ କରିବା ଉଚିତ। ଶ୍ରୀ ପାଣିଗ୍ରାହୀ ନିଜ ଉଦବୋଧନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ମଧ୍ୟ ଦେବର୍ଷି ନାରଦଙ୍କ ପ୍ରାସଙ୍ଗିକତା ରହିଥିବା ଦର୍ଶାଇଥିଲେ। ଆଜିକାର ସମୟରେ ସମାଜ କଲ୍ୟାଣ ତଥା ଜନସମୂହର ଉନ୍ନତି ନିମନ୍ତେ ଭଲ ଖବର ପରିବେଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସାମ୍ବାଦିକମାନେ ଏଥିପାଇଁ ପ୍ରୟାସ କରିବାକୁ ମତ ରଖିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ବ ସମ୍ବାଦ କେନ୍ଦ୍ର ସଂଯୋଜକ ପ୍ରହଲ୍ଲାଦ ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ। ପ୍ରସନ୍ନ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ମାଧବ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ରମେଶ ପାତ୍ର, ଏନ୍.ଲିଙ୍ଗରାଜ, ପ୍ରୀତମ ପାଣିଗ୍ରାହୀ, ସମୀର ଆଚାର୍ଯ୍ୟ, ରାମ ପାତ୍ର, ସନ୍ତୋଷ ପାଣିଗ୍ରାହୀ, ଅଭୟ କୁମାର, ମୂରଲୀଧର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗୋସାଇଁନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *