ବ୍ରହ୍ମପୁର ବିମାନ ବନ୍ଦର ଶୀଘ୍ର ପ୍ରତିଷ୍ଠା କରିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ସାମ୍ବାଦିକ ସମ୍ମିଳନୀରେ ଦାବି; ୩୦ ରୁ ଗଞ୍ଜାମ ଜିଲ୍ଲାରେ ବିରାଟ ଜନ ସଚେତନତା ଅଭିଯାନ
ଏହାସତ୍ତ୍ଵ ବିମାନ ବନ୍ଦର ପ୍ରତିଷ୍ଠା ବିଳମ୍ବ ହେଲେ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ବନ୍ଦ। ଅନିର୍ଦ୍ଦିଷ୍ଟ କାଳ ଆମରଣ ଅନଶନ ରେ ବସିବାକୁ ODF ର ନିଷ୍ପତ୍ତିଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ରେ ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ର ବିକାଶ ପାଇଁ ବ୍ରହ୍ମପୁର ଠାରେ green field Civilian & Cargo ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଆଜି ବ୍ରହ୍ମପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପୁନର୍ବାର ଦାବି କରିଛି।ଫୋରମ୍ ସଭାପତି ଙ୍କ ସୂଚନା ଅନୁଯାୟୀ, ଗତ ଦିନରେ ଫୋରମ୍ କାର୍ଯ୍ୟକର୍ତ୍ତା ମାନନୀୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲା ର ସମସ୍ତ ଜନ ପ୍ରତିନିଧି ଓ ଜିଲ୍ଲପାଳ ଙ୍କୁ ଦାବିପତ୍ର ଦେଇଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଭିନ୍ନ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କୋୖଣସି ପ୍ରସ୍ତାବ ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି। କିନ୍ତୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଏଥିରେ ସହଯୋଗ କରିବା ପାଇଁ ପ୍ରତିଶୃତ ଦେଇଥିବା ସେ ସୂଚନା ଦେଇଥିଲେ। ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଜିଲ୍ଲାରୁ ୬ ଥର ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଓ ୫ ଥର ମୁଖ୍ୟମନ୍ତ୍ରୀ ହେବାପରେ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ନବୀନ ବାବୁ ପଛଘୁଞ୍ଚା ଦେଉଥିବା କାରଣ କଣ? ଗତ ୨୧ ବର୍ଷରେ ଗଞ୍ଜାମ ଜିଲ୍ଲା ପାଇଁ କୌଣସି ବଡ଼ ବିକାଶ କାମ କରି ନଥିବା ବେଳେ ଜିଲ୍ଲା କୁ ବ୍ୟାପକ ଅବହେଳା କରାଯାଉ ଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ କ୍ଷମା କରିବେ ନାହିଁ ବୋଲି ସେ କହିଥିଲେ।ଗତ ୨୨ ବର୍ଷ ରେ ରାଜ୍ୟ ସରକାର ଭୁବେନଶ୍ବର-କଟକ-ପୁରୀ ଓ ପଶ୍ଚିମ ଓଡ଼ିଶା ର ବିକାଶ କରୁଛନ୍ତି କିନ୍ତୁ ଦକ୍ଷିଣ ଓଡ଼ିଶା ପାଇଁ ମୁହଁ ମୋଡୁଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଖୋର୍ଦ୍ଧା ରେ ୨ଟି ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ସମ୍ବଲପୁରରେ ରାଜ୍ୟ ସରକାର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି। ଉତ୍କେଳା, ଜୟପୁର, ବାରିପଦା, ଧାମରା ପ୍ରଭୃତି ଅନେକ ଛୋଟ ସହର ରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ବି ଓଡ଼ିଶା ସରକାର ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି ।ଯେଉଁ ଜାଗା Berhampur Master plan ରେ ଚିହ୍ନଟ ହୋଇଛି ତାହା ଗଞ୍ଜାମ ଜିଲ୍ଲା ନେତାଙ୍କ ହିନ ରାଜନୈତିକ ଚକ୍ରାନ୍ତ ଯୋଗୁଁ ସରକାରୀ ମାନ୍ୟତା ପାଇ ପାରୁନାହିଁ।ତେଣୁ ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରୁ ନାହିଁ।ଦୁଃଖ ର ବିଷୟ, ଏହି ସବୁ ତଥ୍ୟ ଓ ଗତ ୨୦ ବର୍ଷର ଆନ୍ଦୋଳନ କୁ ଧ୍ୟାନ ନଦେଇ ହଠାତ୍ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଗତ କିଛି ଦିନ ତଳେ ଘୋଷଣା କରିଛନ୍ତି ଯେ ରଙ୍ଗେଇଲୁଣ୍ଡା ରୁ ଶୀଘ୍ର ଭୁବନେଶ୍ୱର ଓ ବିଶାଖାପାଟଣା କୁ ୧୦ ସିଟ୍ ର ଏକ ଖେଳନା ବିମାନ ଉଡ଼ିବ। ୨୦୦୮ ରେ ଏହି ଯୋଜନା ଅସଫଳ ହେବା ପରେ ପୁଣି ଗଞ୍ଜାମ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ନବୀନ ସରକାର ଚେଷ୍ଟା କରୁଛି। ଏହା କରି କେବଳ ପୌର ଓ ପଞ୍ଚାୟତ ନିର୍ବାଚନ ବୈତରଣୀ ପାରହେବା ଓଡ଼ିଶା ସରକାରଙ୍କ ଲକ୍ଷ ଥିବା ପରି ମନେ ହେଉଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ସଭାପତି ରାମ ପ୍ରସାଦ ତ୍ରିପାଠୀ ଗଞ୍ଜାମ ଜିଲ୍ଲପାଳ ଗତ ବର୍ଷ ଦେଇଥିବା ପ୍ରତଶୃତି ରକ୍ଷା କରି ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ର ସ୍ଥିତି ସଂପର୍କରେ ଜନସାଧାରଣ ଙ୍କୁ ଅବଗତ କରି ନଥିବା ଓ ମୂଖ୍ୟମନ୍ତ୍ରୀ ଅଦ୍ୟାବଧି କୌଣସି ନିଷ୍ପତି ନେଇ ନଥିବା ଯୋଗୁଁ ଆସନ୍ତା ୩୦ ତାରିଖରୁ ଜିଲ୍ଲାରେ ବିରାଟ ଜନ ସଂପର୍କ ଅଭିଯାନ ଆରମ୍ଭ କରିବା କୁ ସୂଚନା ପ୍ରଦାନ କରିଥିଲେ। ଏହା ସତ୍ତ୍ଵ ବିମାନ ବନ୍ଦର ପ୍ରତିଷ୍ଠା ବିଳମ୍ବ ହେଲେ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ବନ୍ଦ କରିବା ଓ ଅନିର୍ଦ୍ଦିଷ୍ଟ କାଳ ଆମରଣ ଅନଶନ ରେ ବସିବାକୁ ନିଷ୍ପତି ନେଇ ଥିବା ସେ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ସଚିବ ସ୍ଵରାଜ୍ୟ ସାହୁ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V ସୋମେଶ୍ୱର ରାଓ, ପ୍ରିତିଶ୍ ପାଣିଗ୍ରାହୀ, ବାଳ କୃଷ୍ଣ ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ସାହୁ, ଅମ୍ବିକା ପଣ୍ଡା, ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, MVS ଭାସନ୍, ପ୍ରଶାନ୍ତ କୁମାର ପଣ୍ଡା ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ରିପୋର୍ଟର – ସୀମାଞ୍ଚଳ ବାଡ଼ତ୍ୟା।
