ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ
ଯାଜପୁର, ୦୬/୦୩/୨୬: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ଫାଷ୍ଟ ଆପିଲେଟ ଅଧିକାରୀ ଓ ଜନ ସୂଚନା ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ସୂଚନା ଅଧିକାର ଅଧିନିୟମ କର୍ମଶାଳା ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଲୋକଙ୍କ ସୂଚନା ଅଧିକାରକୁ ସମ୍ମାନ ଦେବା ସହ ପ୍ରଶାସନ ଉତ୍ତରଦାୟୀ ରହିବା ଉଚିତ ଏବଂ ସୂଚନା ଅଧିକାର ଆଇନ ନାଗରିକଙ୍କୁ ସଶକ୍ତ କରୁଛି ବୋଲି ଜିଲ୍ଲାପାଳ ଶ୍ରୀ କର କହିଥିଲେ। ସୂଚନା ଅଧିକାର ଗଣତନ୍ତ୍ରକୁ ସୁଦୃଢ଼ କରେ ଏବଂ ଶାସନରେ ସ୍ୱଚ୍ଛତା ଆଣେ ବୋଲି ଅତିଥିମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ, ତହସିଲ ଏବଂ ବିଭିନ୍ନ ବିଭାଗରୁ ଜନ ସୂଚନା ଅଧିକାରୀ (ପିଆଇଓ)ମାନେ ଯୋଗ ଦେଇଥିଲେ। ରିସୋର୍ସ ପର୍ସନ ଶ୍ରୀ ସଂଗ୍ରାମ ପୃଷ୍ଟି ସୂଚନା ଅଧିକାର ଆଇନ ୨୦୦୫ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସେଣ୍ଟ୍ରାଲ ମନିଟରିଂ ମେକାନିଜିମ୍ ସମ୍ପର୍କରେ ବୁଝାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ସୁଶ୍ରୀ ଅଲିଭା ଧଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। କର୍ମଶାଳା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସଚେତନତା ଜାଗରଣ କରିବା ପାଇଁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ପ୍ରଫେସର ଦାମୋଦର ବେହେରା, ସହକାରୀ ଜିଲ୍ଲାପାଳ ସୁଶ୍ରୀ ଅଲିଭା ଧଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ ବିଚାରକ ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ସହ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ।
