ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଭଦ୍ରକରେ ଜିଲ୍ଲାସ୍ତରୀୟ ପଞ୍ଚାୟତ ଦିବସ
ଭଦ୍ରକ, ୨୪/୦୪ : ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ବୋଧନକୁ ଭଦ୍ରକରେ ସିଧାପ୍ରସାରଣ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ସମ୍ମାନିତ ଅତିଥି ଭାବେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦେବବ୍ରତ ମହାପାତ୍ର ପ୍ରମୁଖ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଉପସ୍ଥିତ ଥିଲେ।ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଭଦ୍ରକ ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମୁଦାୟ ୫୭୭ ଜଣ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମୀଣ ବିକାଶ ଓ ସ୍ୱଚ୍ଛତା ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା।ଏହି ଅବସରରେ ଅନ୍ତ୍ୟୋଦୟ ଗୃହ ଯୋଜନା (AGY) ଅନ୍ତର୍ଗତ ୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସେହିପରି ପ୍ରୋତ୍ସାହନ ରାଶି ଭାବେ ୩ ଜଣ ହିତାଧିକାରୀଙ୍କୁ ପ୍ରତିଜଣ ୨୦ ହଜାର ଟଙ୍କା ଓ ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅନ୍ତର୍ଗତ ଜିଲ୍ଲାର ସାତଟି ବ୍ଲକର ଗ୍ରାମ ପଞ୍ଚାୟତକୁ ସମ୍ମାନିତ କରାଯାଇଥିଲା। ଏଥିରେ ବାସୁଦେବପୁର ବ୍ଲକର ରାଜଘରପୋଖରୀ, ଭଦ୍ରକ ବ୍ଲକର ଜଗଦଲପୁର, ଭଣ୍ଡାରିପୋଖରୀ ବ୍ଲକର ନେରଡା, ବନ୍ତ ବ୍ଲକର ତୋଡ଼ଗାଁ, ଚାନ୍ଦବାଲି ବ୍ଲକର ମୌସୁଧା, ଧାମନଗର ବ୍ଲକର ଅସୁରାଳି ଓ ତିହିଡ଼ି ବ୍ଲକର ମଙ୍ଗଳପୁର ଗ୍ରାମ ପଞ୍ଚାୟତ ସାମିଲ ରହିଥିଲା।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଗ୍ରାମୀଣ ଉନ୍ନୟନରେ ଜନସାମାନ୍ୟଙ୍କ ସକ୍ରିୟ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।ଜାତୀୟ ପଞ୍ଚାୟତିରାଜ ଦିବସ–୨୦୨୬ ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଯୋଜନାରେ କୃତୀତ୍ୱ ହାସଲ କରିଥିବା ଗ୍ରାମପଞ୍ଚାୟତମାନଙ୍କୁ ପୁରସ୍କୃତ କରାଯାଇଛି। ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ (୧୫th CFC) ଖର୍ଚ୍ଚ କ୍ଷେତ୍ରରେ ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ଗ୍ରାମପଞ୍ଚାୟତ ପ୍ରଥମ ସ୍ଥାନ, ଭଦ୍ରକ ବ୍ଲକର ହରିପୁର ଦ୍ୱିତୀୟ ସ୍ଥାନ ଏବଂ ଧାମନଗର ବ୍ଲକର ଫତେପୁର ତୃତୀୟ ସ୍ଥାନ ଅଧିକାର କରିଛି।ସେହିପରି ୫ମ ରାଜ୍ୟ ଅର୍ଥ କମିଶନ (୫th SFC) ଖର୍ଚ୍ଚ କ୍ଷେତ୍ରରେ ତିହିଡ଼ି ବ୍ଲକର ମଙ୍ଗଳପୁର ଗ୍ରାମପଞ୍ଚାୟତ ପ୍ରଥମ ସ୍ଥାନ, ଚାନ୍ଦବାଲି ବ୍ଲକର ନନ୍ଦପୁର ଦ୍ୱିତୀୟ ସ୍ଥାନ ଓ ବାସୁଦେବପୁର ବ୍ଲକର ନରସିଂହପୁର ତୃତୀୟ ସ୍ଥାନ ହାସଲ କରିଛି।୨୦୨୫–୨୬ ଆର୍ଥିକ ବର୍ଷରେ ଗ୍ରାମପଞ୍ଚାୟତମାନଙ୍କ ନିଜସ୍ୱ ରାଜସ୍ୱ (OSR) ଆଦାୟ କ୍ଷେତ୍ରରେ ତିହିଡ଼ି ବ୍ଲକର ଭଟାପଡା ପ୍ରଥମ ସ୍ଥାନ, ବାସୁଦେବପୁର ବ୍ଲକର ପଦ୍ମପୁର ଦ୍ୱିତୀୟ ସ୍ଥାନ ଓ ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଦ ତୃତୀୟ ସ୍ଥାନ ଅର୍ଜନ କରିଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ ଗ୍ରାମପଞ୍ଚାୟତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଗ୍ରାମୀଣ ବିକାଶ ଓ ସ୍ୱଚ୍ଛ ଶାସନ ବ୍ୟବସ୍ଥାରେ ଏହି ସଫଳତା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ହେବ ।
