ସ୍ବପ୍ନ
ସ୍ବପ୍ନ
🖊️କବିରତ୍ନ ନୂତନ କୁମାର ବେହେରା
ସ୍ବପ୍ନ କେଉଁଠୁ… ହଠାତ୍ ଟପକି ପଡ଼େ
ଛାଇ ନିଦର ସୁକୋମଳ ଫୁଲର ବିଛଣାରେ
ରିକ୍ତ ମନକୁ କରେ ଆଶା ଆସକ୍ତିରେ ସିକ୍ତ
ଭାବନାର ରାଇଜରେ ହେବାକୁ ପଡ଼େ ନିମଗ୍ନ
ସହଜରେ ତାର ଭାବ ହୁଏନା ଭଗ୍ନ
ଆଖି ଆଗେ ଭାସେ ଅସରନ୍ତି ଦୃଶ୍ୟରାଜି
ଶୂନ୍ୟ ଆକାଶର ଭସା ବଉଦ ଭଳି
ଯାଉଥାଏ ସେ ଇଚ୍ଛା ମତରେ ଖେଳି ଖେଳି
ବିସ୍ତାରିତେ ପୁଳା ପୁଳା ଭେଳା ଭେଳା
ବସିଯାଏ ତାର ମନୋହରୀ ମେଳା
ଚକିତେ ତୁରିତେ କରାଏ ଭାବ ବିହ୍ଵଳ
ଦିଶେ ଭାରି ରଙ୍ଗୀନ୍ ଉଜ୍ଜ୍ଵଳ
ଆକର୍ଷିତ କରେ କାମିନୀ କାଞ୍ଚନର
ମୋହ ଆଡ଼କୁ ଟାଣି ନେଉଥାଏ ବାରମ୍ବାର
ଚିନ୍ତା ଚେତନାକୁ କରାଏ ଦିଗହରା
ନିୟନ୍ତ୍ରଣ ହରାଏ ବସେ ମନ ହୁଏ ସ୍ଵପ୍ନ ବିଳାସୀ
ସ୍ବପ୍ନ ସ୍ବପ୍ନରେ ହୁଏ ବିଭୋର ଭ୍ରମରେ ଭ୍ରମେ
ନ ବୁଝି ନ ବିଚାରି ସ୍ବପ୍ନର ମରମେ
ଅବାନ୍ତର ଭାବନା ଆସିଲେ ହୁଏ ତରସ୍ତ
ତଥାପି ମନ ତାର ନବ ନବ ଛବି ଆଙ୍କେ
ସମୟ ସୁଯୋଗ ହେଲେ ବି ବାଧାପ୍ରାପ୍ତ
ସ୍ବପ୍ନ ରାସ୍ତାକଡ଼ର ଅନାବନା
ନ ହୋଇଥିଲେ ବି ତାର ବୀଜ ବୁଣା
ଅଙ୍କୁରି ଉଠେ ଏଣେ ତେଣେ
ବର୍ଷାଦିନିଆଁର ସବୁଜ ଗୁଳ୍ମଲତା ପରି
ମନଟାକୁ ଜବରଦସ୍ତ ନିଅନ୍ତି ଘେରି
ଦିଶେ ଉଦ୍ଭଟ ସୁନ୍ଦର ଦୃଶ୍ୟ ଦୃଶ୍ୟାନ୍ତର ସବୁ
ଲାଗେ ତା’ଠାରୁ ବୋଧେ
ସଂସାରରେ ଭଲ ନାହିଁ କିଛି ଆଉ
ଅଦ୍ଭୁତ ଲାଗେ ତାର ରୂପରେଖ ଅପରୂପ
ଦିଏ ଅବାନ୍ତର ସମାଚାର କରି ନିଏ ଆକୃଷ୍ଟ
ନିଦ୍ରିତ ମୁଦ୍ରିତ ଆଖି ନିରନ୍ତର ଦେଖେ ସ୍ପଷ୍ଟ/ଅସ୍ପଷ୍ଟ
ସ୍ବପ୍ନ ବାସ୍ତବତାରୁ ଯେ ସଂପୂର୍ଣ୍ଣ ଭିନ୍ନ
ଏକା ଏକା ଜଣେ ମନରୁ କରିଥାଏ ସଂରଚନା
ପାର୍ଥିବ ସବୁ ସଂପର୍କକୁ କରି ଛିହ୍ନ ବିଚ୍ଛିନ୍ନ
ସ୍ବପ୍ନ ଅବଚେତନତାର ଏକ ଅହେତୁକ ଭାବନା
ଥାଏ କଳ୍ପନା ନଥାଏ ସମ୍ଭାବନା
ଏ ତୁଚ୍ଛ ମିଛ ଅସ୍ତିତ୍ଵହୀନ ସ୍ବପ୍ନକୁ ଭୁଲି
ଶାନ୍ତ ମନରେ କରେ ଯିଏ ତାର ଶ୍ରମ ସାଧନା
ମିଳେ ତାକୁ ଜୀବନର ପ୍ରକୃତ ଠିକଣା।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
