ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଦୁଇଟି ଡ୍ରୋନ୍ ଉଡ଼ୁଥିବା ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନଜରକୁ ଆସିଥିଲା
ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଦୁଇଟି ଡ୍ରୋନ୍ ଉଡ଼ୁଥିବା ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ଏକ ସ୍ୱତନ୍ତ୍ର ପୋଲିସ ଟିମ୍କୁ ଡ୍ରୋନ୍ ଅପରେଟରମାନଙ୍କୁ ଚିହ୍ନଟ ଓ କାବୁ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସିଂହଦ୍ୱାର ଥାନାକୁ ମଧ୍ୟ ଅବଗତ କରାଇଥିଲେ।ସ୍ୱତନ୍ତ୍ର ଟିମ୍ ଏବଂ ସିଂହଦ୍ୱାର ଥାନା ପୋଲିସ ତୁରନ୍ତ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ କରି କାକୁଡ଼ିଖାଇ ଛକ ନିକଟରୁ ଦୁଇଜଣ ଡ୍ରୋନ୍ ଅପରେଟରଙ୍କୁ ଚିହ୍ନଟ କରି ଅଟକ ରଖିଥିଲେ। ଅଟକ ବ୍ୟକ୍ତିମାନେ ହେଲେ ମାଣିକାନ ସ୍ୱାମୀ (ଆନ୍ଧ୍ରପ୍ରଦେଶ) ଏବଂ ଶୁଭମ ଶର୍ମା (ଦିଲ୍ଲୀ)। ବର୍ତ୍ତମାନ ଉଭୟଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି।

ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପ୍ରଚଳିତ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଏହାର ସୁରକ୍ଷା ପରିସରରେ ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇବା ସମ୍ପୂର୍ଣ୍ଣ ନିଷିଦ୍ଧ। ସମସ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି।
