ଛତୁ ଚାଷ ପାଇଁ ରଖିଥିବା ନଡାରେ ଦୁର୍ବୁତ୍ତ ଲଗାଇଲେ ନିଆଁ
ଗଣିଆ – ଗଣିଆ ପଞ୍ଚାୟତ ଏରୁଣ୍ଡିପଥର ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ଛତୁ ଚାଷ ପାଇଁ ରଖିଥିବା ୫୦ ହଜାରରୁ ଅଧିକ ନଡ଼ା । ରାତି ଗୋଟାଏରୁ ଦିନ ୯ ଘଟିକା ପର୍ଯ୍ୟନ୍ତ ଦମକଳ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଜେସିପି ସାହାର୍ଯ୍ୟରେ ନଡ଼ା ଗଦାକୁ ଭାଙ୍ଗି ଲିଭାଇବାକୁ ଚେଷ୍ଟା ଜାରି ରହିଛି । ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା ଏବଂ କର୍ମଚାରୀ ମାନେ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଗ୍ରାମର ଜଗବନ୍ଧୁ ପଣ୍ଡା ୠଣ କରି ଦୀର୍ଘ ଦିନ ହେବ ଛତୁ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସବୁବେଳେ ନଡ଼ା ମିଳୁନଥିବାରୁ ଏକାଥରକେ ୫୦ ହଜାରରୁ ଅଧିକ ନଡ଼ା ସଂଗ୍ରହ କରି ଭାଡିଆ କରି ରଖିଥିଲେ । ତେବେ ସୋମବାର ବିଳମ୍ବିତ ରାତ୍ରୀରେ କେହି ଦୁର୍ବୁତ୍ତ ଆସି ନଡ଼ା ଗଦାଧର ଚାରିପଟୁ ନିଆଁ ଲଗାଇ ଦେଇଛନ୍ତି । ଗଣିଆ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଲାଗିଛନ୍ତି । ୫୦ ହଜାର ନଡାବିଡା,କାଠ,ପାଲ ଜଳି ଯାଇଥିବା ବେଳେ ଆନୁମାନିକ ୩ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ତେବେ ଛତୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଜଗବନ୍ଧୁ ଏବେ ସର୍ବସ୍ବାନ୍ତ ହୋଇପଡିଥିବାରୁ କିଭଳି ଋଣ ସୁଝିବେ ସେ ଚିନ୍ତାରେ ଅଛନ୍ତି । ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
