ବନ ବିଭାଗ ଚେତାବନୀ: ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ନିଷେଧ : ପଶୁପ୍ରେମୀଙ୍କ ଚିନ୍ତା

ବ୍ରହ୍ମପୁର, ୧୨/୧୧ : ବନ ବିଭାଗ ତରଫରୁ “ମାଙ୍କଡ଼ମାନଙ୍କୁ ଖାଦ୍ୟ ଦିଅନ୍ତୁ ନାହିଁ” ବୋଲି ବିଭିନ୍ନ ସ୍ଥାନରେ ସତର୍କତା ସୂଚନା ଫଳକ ଟଙ୍ଗାଯାଇଥିବାରୁ ପଶୁପ୍ରେମୀଙ୍କ ମଧ୍ୟରେ ଆଲୋଚନା ଓ ଉତ୍ସୁକତା ଦେଖାଦେଇଛି। ପଶୁପ୍ରେମୀଙ୍କ ମତ ଅନୁସାରେ, ବନାଞ୍ଚଳରେ ଖାଦ୍ୟ ଓ ଜଳସ୍ରୋତର ଅଭାବ ହେତୁ ମାଙ୍କଡ଼ମାନେ ମନୁଷ୍ୟ ବସତି ଅଞ୍ଚଳକୁ ଆସି ଖାଦ୍ୟ ଖୋଜୁଛନ୍ତି। ଏହି ପରିସ୍ଥିତିରେ ଯଦି ମନୁଷ୍ୟ ସେମାନଙ୍କୁ ଖାଇବା ଦିଅନ୍ତି ନାହିଁ, ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ପଡ଼ିପାରେ ବୋଲି ଆଶଙ୍କା ଜନ୍ମିଛି। ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଏହି ବିଷୟକୁ ଗୁରୁତ୍ୱର ସହ ନେଇ, ସ୍ଥାନୀୟ ବନାଞ୍ଚଳ ଅଧିକାରୀ (DFO)ଙ୍କ ସହ ଯୋଗାଯୋଗ କରିଥିଲେ। ସେ ମାଙ୍କଡ଼ଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା ସମ୍ବନ୍ଧରେ ଚିନ୍ତା ପ୍ରକାଶ କରିଥିଲେ। ଏହା ଉପରେ DFO ସ୍ପଷ୍ଟ କରିଥିଲେ ଯେ, ମନୁଷ୍ୟଙ୍କ ସୁରକ୍ଷା ଓ ମାଙ୍କଡ଼ଙ୍କ ସଂସ୍ପର୍ଶରେ ଆସି ଜନ ସାଧାରଣଙ୍କୁ ରୋଗ ବ୍ୟାପିବା ରୋକିବା ଦୃଷ୍ଟିରୁ ଏହି ସତର୍କତା ବୋର୍ଡ ଟଙ୍ଗା ଯାଇଛି। କାରଣ, ଅନେକ ସମୟରେ ମାଙ୍କଡ଼ମାନେ ଲୋକଙ୍କୁ ଆକ୍ରମଣ କରିଥିବା ଓ ଖାଦ୍ୟ ଝାମ୍ପି ନେଇଥିବା ଘଟଣା ଘଟିଛି। ତଥାପି, ପଶୁପ୍ରେମୀମାନେ ମତ ପ୍ରକାଶ କରିଛନ୍ତି ଯେ, ଏହି ନିଷେଧ ପଦକ୍ଷେପରେ ଏହି ସମସ୍ୟାର ସମାଧାନ ହେବ ନାହିଁ। ବନ ବିଭାଗ ଯଦି ମାଙ୍କଡ଼ଙ୍କ ପାଇଁ ବିଶେଷ “ଖାଦ୍ୟ ଜୋନ” କିମ୍ବା “ପଶୁ ଖାଦ୍ୟ ଆଶ୍ରୟ କେନ୍ଦ୍ର” ସୃଷ୍ଟି କରନ୍ତି, ତେବେ ସେମାନେ ବଣ ଛାଡ଼ି ମନୁଷ୍ୟ ଅଞ୍ଚଳକୁ ଆସିବେ ନାହିଁ ଏବଂ ମନୁଷ୍ୟ–ପଶୁ ସମନ୍ୱୟ ରହିପାରିବ। ଏହି ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ମିଳି ମାଙ୍କଡ଼ଙ୍କ ସୁରକ୍ଷା, ଖାଦ୍ୟ ଯୋଗାଣ ଓ ଆଶ୍ରୟ ବ୍ୟବସ୍ଥା ପାଇଁ ଏକ ସଂଘଟିତ ପ୍ରୟାସ ଆରମ୍ଭ କରିବା ଆବଶ୍ୟକ। ଏହିପରି ପଦକ୍ଷେପ ନିଆଗଲେ ମାଙ୍କଡ଼ମାନେ ଭୋକ ଓ ଉପବାସରେ ମୃତ୍ୟୁ ମୁଖରୁ ବଞ୍ଚି ନିରାପଦ ଜୀବନ ବିତାଇ ପାରିବେ।

Leave a Reply

Your email address will not be published. Required fields are marked *