ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
କାମାକ୍ଷାନଗର ସ୍ଥିତ ଅଡିଟୋରିୟମରେ ଓଏଭିସ୍ ଢେଙ୍କାନାଳ ଶାଖା ତରଫରୁ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ୧୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଜନ୍ତାରିବୋଲ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାନ୍ତି ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବିନିତା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ,

ସମୟାନୁବର୍ତ୍ତିତା ହେବା ସହ , ଭଲ ପାଠପଢ଼ି ନିଜ ପ୍ରତିଭା ମାଧ୍ୟମରେ ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ସସ୍ମିତା ସାହୁ, କାମାକ୍ଷାନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, କାମାକ୍ଷାନଗର ବ୍ଲକ୍ ଚେୟାରମେନ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିତର୍କ, କୁଇଜ, ଲୋକ ନୃତ୍ୟ, ପାରମ୍ପରିକ ନୃତ୍ୟ ଆଦି ୧୧ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଜିଲ୍ଲାର ଆଠଟି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ଶେଷଭାଗରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରା ଯାଇଥିଲା । ବିଚାରକ ଭାବେ ଶ୍ରୀଯୁକ୍ତ ମନୋଜ କୁମାର ରାଉଳ, ଶ୍ରୀଯୁକ୍ତ ଗୋବର୍ଦ୍ଧନ ବାରିକ୍, ଶ୍ରୀଯୁକ୍ତ ବିଭୂତି ଭୂଷଣ ଗଡ଼ନାୟକ, ଶ୍ରୀଯୁକ୍ତ ଶ୍ରୀରାମ ରାଉତ, ଶ୍ରୀଯୁକ୍ତ ବଟକୃଷ୍ଣ ଦାସ, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଜୁଲି ଅଞ୍ଜଳି ବାଖଲା, ସୁଶାନ୍ତ ସାହୁ, ଇପ୍ସିତା ମିଶ୍ର, ବିକ୍ଷିପ୍ତା ସ୍ବାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚ ପରିଚାଳନା କରିଥିଲା ବେଳେ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ୮ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
