ଓଡ଼ିଶାରେ ଇନ୍ଧନ ଯୋଗାଣ ସ୍ଥିର ରହିଛି

ଓଡ଼ିଶାରେ ଇନ୍ଧନ ଯୋଗାଣ ସ୍ଥିର ରହିଛି l ଖାଉଟି ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ସୁଦୃଢ କଲା ଇଣ୍ଡିଆନ୍‌ ଅଏଲ୍ଜାରି ରହିଥିବା ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ଉର୍ଜ୍ଜା ବଜାର ପ୍ରଭାବିତ ହେବାସତ୍ତ୍ବେ ଓଡ଼ିଶାରେ ଏଲପିଜି, ପେଟ୍ରୋଲ୍ ଓ ଡିଜେଲ ଯୋଗାଣ ସ୍ବାଭାବିକ ଓ ସ୍ଥିର ରହିଛି ବୋଲି ଇଣ୍ଡିଆନ୍‌ ଅଏଲ୍‌ ସ୍ପଷ୍ଟ କରିଛି । ରାଜ୍ୟବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ଇନ୍ଧନର ନିରବଚ୍ଛିନ୍ନ ଉପଲବ୍ଧତା ବଜାୟ ରଖିବାକୁ ପରିସ୍ଥିତି ଉପରେ ନିୟମିତଭାବେ ନଜର ରଖାଯାଇଛି। କର୍ପୋରେସନ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଇଣ୍ଡେନ୍‌ ଏଲପିଜି ଗ୍ରାହକଙ୍କ ସୁବିଧା ଓ ସେମାନଙ୍କ ଅଭିଯୋଗଗୁଡ଼ିକର ସମାଧାନ ଲାଗି ଏକ ଦୃଢ ତଥା ସହଜ ଅଭିଯୋଗ ପଂଜୀକରଣ ଓ ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ଗ୍ରାହକମାନେ ୨୪ ଘଣ୍ଟିଆ ଏଲପିଜି ସହାୟତା ନମ୍ବର ୧୯୦୬କୁ ଫୋନ କରିପାରିବେ। ଗ୍ୟାସ୍‌ ଲିକ୍‌ ଓ ନିରାପତ୍ତା ସଂପର୍କିତ ସମସ୍ୟା ପାଇଁ ଏହା ଏକ ସମର୍ପିତ ସର୍ବଭାରତୀୟ ସହାୟତା ନମ୍ବର ଅଟେ। ଏହା ସହିତ, ସାଧାରଣ ଅଭିଯୋଗ ଏବଂ ସେବା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ ସକାଳ ୮ଟାରୁ ରାତି ୮ଟା ମଧ୍ୟରେ ଶୁଳ୍କମୁକ୍ତ ଗ୍ରାହକସେବା ନମ୍ବର (୧୮୦୦-୨୩୩୩-୫୫୫) ମାଧ୍ୟମରେ ପଞ୍ଜୀକୃତ କରାଯାଇପାରିବ।ଗ୍ରାହକମାନେ ଡିଜିଟାଲ୍‌ ପ୍ଲାଟଫର୍ମ ମାଧ୍ୟମରେ ବି ଅଭିଯୋଗ ଦାଖଲ କରିପାରିବେ। ଇଣ୍ଡିଆନ ଅଏଲର ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ରେ ଏକ ସ୍ବତନ୍ତ୍ର ମତାମତ ଓ ଅଭିଯୋଗ ପୋର୍ଟାଲ ରହିଛି। ଉପଭୋକ୍ତାମାନେ ସେଠାରେ ନିଜର ୧୭ ଅଙ୍କ ବିଶିଷ୍ଟ ପଂଜୀକୃତ ଏଲପିଜି ଆଇଡି କିମ୍ବା ଉପଭୋକ୍ତା ନମ୍ବର ବ୍ୟବହାର କରି ନିଜର ଅଭିଯୋଗ ଦାଖଲ କରିପାରିବେ। ଏହାଛଡ଼ା ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ପ୍ଲାଟଫର୍ମରେ ଉପଲବ୍ଧ ଇଣ୍ଡିଆନ ଅଏଲ୍‌ ଓ୍ବାନ୍‌ ମୋବାଇଲ୍‌ ଆପ୍‌ ବ୍ୟବହାର କରି ଅଭିଯୋଗ ଦାଖଲ କରାଯାଇପାରିବ ଓ ଅଭିଯୋଗର ସ୍ଥିତି ଜାଣିହେବ। ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଲାଗି ହେଲପଲାଇନ ଓ ଅନଲାଇନ ପୋର୍ଟାଲ୍ ମାଧ୍ୟମରେ କରାଯାଉଥିବା ପ୍ରତ୍ୟେକ ଅଭିଯୋଗ ସହ ଏକ ୟୁନିକ୍‌ ସର୍ଭିସ ରିକ୍ବେଷ୍ଟ ନମ୍ବର (ଏସଆରଏନ) ପ୍ରଦାନ କରାଯାଇଥାଏ। ଏହା ଦ୍ବାରା ଉପଭୋକ୍ତାମାନେ ଅଫିସିଆଲ୍‌ ଟ୍ରାକିଂ ସିଷ୍ଟମ ମାଧ୍ୟମରେ ନିଜ ଅଭିଯୋଗର ସ୍ଥିତି ଜାଣିପାରିବେ। ପ୍ରତ୍ୟେକ ଅଭିଯୋଗର ଜବାବ ଓ ସମାଧାନ ଅତି ବେଶୀରେ ତିନିଦିନ ମଧ୍ୟରେ ପ୍ରଦାନ କରିବାକୁ ଉଦ୍ୟମ କରାଯାଉଥିବା ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ନିରବଚ୍ଛିନ୍ନ ଯୋଗାଣ ଜାରି ରଖିବା ସହ ଗ୍ରାହକ ସନ୍ତୁଷ୍ଟି ଓ ଦକ୍ଷ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି କର୍ପୋରେସନ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *