ସ୍ୱାଧୀନତା ଦିବସ ୨୦୨୬ ଅବସରରେ ମହାପ୍ରବନ୍ଧକଙ୍କ ବାର୍ତ୍ତା
ସ୍ୱାଧୀନତା ଦିବସ ୨୦୨୬ ଅବସରରେ ମହାପ୍ରବନ୍ଧକଙ୍କ ବାର୍ତ୍ତା l ପୂର୍ବ ତଟ ରେଳପଥ ପରିବାରର ମୋର ପ୍ରିୟ ସଦସ୍ୟବୃନ୍ଦ,୮୦ତମ ସ୍ୱାଧୀନତା ଦିବସ ଅବସରରେ ପୂର୍ବ ତଟ ରେଳପଥ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆଜି ଆମେ ଗର୍ବ ଓ ଶ୍ରଦ୍ଧାର ସହିତ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅସାଧାରଣ ସାହସ ଓ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ । ସେମାନଙ୍କର ମହାନ ତ୍ୟାଗ ଆଜି ମଧ୍ୟ ଆମ ପଥକୁ ଆଲୋକିତ କରିବା ସହିତ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଆମକୁ ପ୍ରେରଣା ଯୋଗାଇ ଆସୁଛି । ଏହି ବର୍ଷ ଆମେ “ବନ୍ଦେ ମାତରମ୍”ର ୧୫୦ତମ ବର୍ଷପୂର୍ତ୍ତି ମଧ୍ୟ ପାଳନ କରୁଛୁ ।ପୂର୍ବ ତଟ ରେଳପଥର ନେତୃତ୍ୱ ନେବା ମୋ ପାଇଁ ଏକ ଗୌରବ ଓ ସମ୍ମାନର ବିଷୟ । ଆମେ ଯେତେବେଳେ ଭାବାବେଗ ସହ ସ୍ୱାଧୀନତା ଦିବସକୁ ପାଳନ କରୁଛୁ, ସେତେବେଳେ ନିରାପତ୍ତା, କାର୍ଯ୍ୟଦକ୍ଷତା ଓ ସେବାରେ ଉତ୍କର୍ଷର ନୂତନ ମାନଦଣ୍ଡ ସ୍ଥାପନ କରିବା ପାଇଁ ଆପଣମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଁ ଆଗ୍ରହୀ । ୨୦୨୫-୨୬ ବର୍ଷ ପୂର୍ବ ତଟ ରେଳପଥ ପାଇଁ ଏକ ସଫଳତାଭରା ବର୍ଷ ରହିଛି । ପୂର୍ବ ତଟ ରେଳପଥ ପରିବାରର ସଦସ୍ୟମାନଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ସମର୍ପଣର ପ୍ରତିଫଳନ ସ୍ୱରୂପ ହାସଲ ହୋଇଥିବା ଅନେକ ଉଲ୍ଲେଖନୀୟ ସଫଳତାକୁ ମୁଁ ଗର୍ବର ସହ ଉପସ୍ଥାପନ କରୁଛି ।ପୂର୍ବ ତଟ ରେଳପଥ କ୍ରମାଗତ ୯ମ ବର୍ଷ ପାଇଁ ଭାରତୀୟ ରେଳପଥର ସର୍ବାଧିକ ପଣ୍ୟ ବୋଝେଇ କରୁଥିବା ଜୋନ୍ ଭାବେ ନିଜର ଗୌରବମୟ ସ୍ଥାନ ବଜାୟ ରଖିଛି । ୨୦୨୫-୨୬ରେ ପୂର୍ବତଟ ରେଳପଥ ଐତିହାସିକ ଭାବେ ୨୮୬.୨୬ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ କରିଛି। ଯାହା ଗତବର୍ଷର ୨୫୯.୨୫ ମେଟ୍ରିକ୍ ଟନ୍ ତୁଳନାରେ ୧୦.୪୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ସେହିପରି, ମୋଟ ପଣ୍ୟ ଅନଲୋଡିଂ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ ସହ ୨୫୮.୫୬ ମେଟ୍ରିକ୍ ଟନ୍ ହାସଲ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୯.୨୪ ପ୍ରତିଶତ ବୃଦ୍ଧି ଅଟେ ।ଯାତ୍ରୀ ପରିବହନ କ୍ଷେତ୍ରରେ, ୨୦୨୫-୨୬ରେ ପୂର୍ବ ତଟ ରେଳପଥ ୯୭.୭୧ ନିୟୁତ ଯାତ୍ରୀ ପରିବହନ କରିଛି । ୨୦୨୪-୨୫ରେ ଏହି ସଂଖ୍ୟା ୯୩.୫୨ ନିୟୁତ ଥିଲା ଯାହାକି ଆମ ସେବା ପ୍ରତି ଯାତ୍ରୀମାନଙ୍କର ବଢୁଥିବା ବିଶ୍ୱାସର ପ୍ରମାଣ ଅଟେ । ଆମର ରାଜସ୍ୱ ₹୩୨,୮୩୭.୬୭ କୋଟିରେ ପହଞ୍ଚିଛି, ଯାହା ୨୦୨୪-୨୫ ର ₹୨୯,୫୬୨.୮୫ କୋଟି ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ଅଟେ । ଗତ ଆର୍ଥିକ ବର୍ଷରେ ଆମର ପୁଞ୍ଜିଗତ ବ୍ୟୟ ବିନିଯୋଗ ₹୧୨,୨୨୧.୮୧ କୋଟି ରହିଥିଲା, ଯାହା ₹୧୧,୫୫୧.୬୪ କୋଟିର ମୋଟ ବଜେଟ୍ ଅନୁଦାନର ୧୦୫.୮୦ ପ୍ରତିଶତ । ଏହା ଆମର ଲକ୍ଷ୍ୟଭିତ୍ତିକ ଓ ଯୋଜନାବଦ୍ଧ କାର୍ଯ୍ୟନ୍ୱୟନର ପ୍ରତିଫଳନ ଅଟେ । ଆର୍ଥିକ ଶୃଙ୍ଖଳା ଏବଂ ପରିଚାଳନାଗତ ଦକ୍ଷତା ସହିତ ୨୦୨୫-୨୬ ରେ ଆମର ପରିଚାଳନା ଅନୁପାତ ୫୫.୧୪ ପ୍ରତିଶତ ଥିଲା, ଯାହା ସମସ୍ତ ଜୋନାଲ ରେଳପଥ ମଧ୍ୟରେ ଦ୍ୱିତୀୟ ସର୍ବୋତ୍ତମ ।ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ନିରନ୍ତର ଭାବେ ଅଭିବୃଦ୍ଧିର ପଥରେ ଆଗେଇ ଚାଲିଛି । ଜୁଲାଇ ୨୦୨୬ ପର୍ଯ୍ୟନ୍ତ, ପୂର୍ବ ତଟ ରେଳପଥ ୮୮.୩୬ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ କରିବା ସହିତ ୩୦.୪୯ ନିୟୁତ ଯାତ୍ରୀ ପରିବହନ କରିଛି ଏବଂ ₹୮,୨୨୮.୮୬ କୋଟି ରାଜସ୍ୱ ଆୟ କରିଛି, ଯାହାକି ଆଗାମୀ ଦିନରେ ଆହୁରି ଉନ୍ନତି ଓ ସଫଳତା ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରୁଛି ।ପାର୍ବଣ ଋତୁ ଓ ଛୁଟିଦିନ ସମୟରେ ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ, ରଥଯାତ୍ରା ସ୍ପେଶାଲ୍ ଟ୍ରେନ୍ ସମେତ ମୋଟ ୪୬୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଛି ଏବଂ ନିୟମିତ ଟ୍ରେନ୍ଗୁଡ଼ିକରେ ୧,୫୦୧ଟି ଅତିରିକ୍ତ କୋଚ୍ ମଧ୍ୟ ସଂଯୋଗ କରାଯାଇ ଯାତ୍ରୀମାନଙ୍କ ଯାତାୟାତ ସୁଗମ କରାଯାଇଛି । ସମ୍ବଲପୁର ଦେଇ ପୁରୀ-କୋରାପୁଟ-ପୁରୀ ଏକ୍ସପ୍ରେସ୍ ସମେତ ସମୁଦାୟ ୧୬ ଯୋଡ଼ା ନୂଆ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । ଗୋଟିଏ ଯୋଡ଼ା ଟ୍ରେନ୍ର ସେବାର ସମ୍ପ୍ରସାରଣ କରାଯାଇଛି, ଏହାସହିତ ବ୍ରହ୍ମପୁର–ଉଧନା–ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ସାପ୍ତାହରେ ତିନି ଦିନରୁ ବୃଦ୍ଧି କରାଯାଇ ଦୈନିକ କରାଯାଇଛି । ଯାତ୍ରା ଅନୁଭୂତିକୁ ଅଧିକ ଆରାମଦାୟକ ଏବଂ ଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ତିନି ଯୋଡ଼ା ଟ୍ରେନ୍ରେ ଏଲଏଚବି (LHB)ରେକ୍ ପ୍ରଚଳନ କରାଯାଇଛି । ଆମର ସମ୍ପୂର୍ଣ୍ଣ ରେଳ ଚଳାଚଳ ବ୍ୟବସ୍ଥାରେ ଯାତ୍ରୀ ସୁବିଧାସୁଯୋଗର ଉଲ୍ଲେଖନୀୟ ଉନ୍ନତି କରାଯାଇଛି। ଏଥିମଧ୍ୟରେ ୧୪ଟି ଷ୍ଟେସନରେ ଯାତ୍ରୀ ଲିଫ୍ଟ, ୧୭ଟି ୱାଟର କୁଲର, ୫ଟି ଷ୍ଟେସନରେ ଫୁଟ୍ ଓଭରବ୍ରିଜ୍, ୧୩ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟଫର୍ମ ସେଡ, ପ୍ଲାଟଫର୍ମଗୁଡ଼ିକରେ ୨୮୭ଟି ଅତିରିକ୍ତ ବେଞ୍ଚ, ୨୮ଟି ଏସି, ୯ଟି ଷ୍ଟେସନରେ ଯାତ୍ରୀଙ୍କ ସୁଗମ ଯାତାୟାତ ପାଇଁ ରାମ୍ପ ଏବଂ ୧୮ଟି ଷ୍ଟେସନରେ ପ୍ଲାଟଫର୍ମ ଚଟାଣର ଉନ୍ନତୀକରଣ କରାଯାଇଛି । ଏହାସହିତ ୧୩ଟି ଷ୍ଟେସନରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରାଯିବା ସହ ପ୍ରତୀକ୍ଷାଳୟ ଓ ସର୍କୁଲେଟିଂ ଏରିଆର ଉନ୍ନତୀକରଣ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ୪ଟି ପାର୍ସଲ୍ ସ୍କାନର ମଧ୍ୟ ସ୍ଥାପନ କରାଯାଇଛି ।ଷ୍ଟେସନଗୁଡ଼ିକରେ ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବର୍ତ୍ତମାନ ୭୩ଟି ଷ୍ଟେସନରେ ହାଉସକିପିଂ ସେବା କାର୍ଯ୍ୟକାରୀ ହେଉଛି । ସେହିପରି, ୬୪ ଯୋଡ଼ା ଦୂରଗାମୀ ଟ୍ରେନ୍ରେ ଅନ୍ବୋର୍ଡ ହାଉସକିପିଂ ସେବା ଉପଲବ୍ଧ କରାଯାଇଛି । ପୂର୍ବ ତଟ ରେଳପଥ ଅଧୀନରେ ୫୬ ଯୋଡ଼ା ଟ୍ରେନ୍ରେ ଲିନେନ୍ ସେବା ମଧ୍ୟ ଉପଲବ୍ଧ କରାଯାଇଛି ।ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନର ବ୍ୟାପକ ଉନ୍ନତୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଯାଜପୁର, ଭଦ୍ରକ ଓ ବ୍ରହ୍ମପୁର ଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ତାଳଚେର, ବଲାଙ୍ଗୀର, ବରପାଲି, କେସିଙ୍ଗା ଓ ପାରଳାଖେମୁଣ୍ଡି ଷ୍ଟେସନ ଗୁଡିକର ରୂପାନ୍ତରଣ କରାଯାଇଛି ଓ ଏଗୁଡ଼ିକୁ ଆଧୁନିକ ଓ ଯାତ୍ରୀ-ଅନୁକୂଳ ପରିବହନ କେନ୍ଦ୍ରରେ ପରିଣତ କରାଯାଇଛି । ଏହାସହିତ ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଅନ୍ୟାନ୍ୟ ଷ୍ଟେସନଗୁଡିକର ପୁନଃ ବିକାଶ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ଆଗେଇ ଚାଲିଛି ।ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ପୂର୍ବ ତଟ ରେଳପଥ ପାଇଁ ଏକ ଅତ୍ୟନ୍ତ ଗୌରବମୟ ଓ ସ୍ମରଣୀୟ ଥିଲା । ଆମ ରେଳ କର୍ମଚାରୀମାନେ, ବିଶେଷକରି ଖୋର୍ଦ୍ଧା ରୋଡ଼ ମଣ୍ଡଳର ଟିମ୍, ଏହି ଅବସରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସୁଗମ ଯାତାୟାତ ସୁନିଶ୍ଚିତ କରିଥିଲେ । ଓଡ଼ିଶା ଓ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ୩୦୦ରୁ ଅଧିକ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୩ ଲକ୍ଷ ଶ୍ରଦ୍ଧାଳୁ ଯାତ୍ରା କରିଥିଲେ । ଏହି ସମଗ୍ର ପରିଚାଳନାରେ ଯାତ୍ରୀ ସୁବିଧା, ଟିକେଟ୍ ବ୍ୟବସ୍ଥା, ଟ୍ରେନ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି କରାଯାଇଥିଲା। ଚଳିତ ବର୍ଷର ରଥଯାତ୍ରା ପରିଚାଳନାର ଏକ ଐତିହାସିକ ବିଶେଷତା ଥିଲା ରିଅଲ୍-ଟାଇମ୍ ମନିଟରିଂ ପାଇଁ ଅତ୍ୟାଧୁନିକ ୨୪ ଘଣ୍ଟିଆ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ପ୍ରତିଷ୍ଠା। ଏହି କେନ୍ଦ୍ର ମାଧ୍ୟମରେ ୩୫୦ଟି CCTV କ୍ୟାମେରା, ରୋବୋଟିକ୍ ସିଷ୍ଟମ୍ ଓ ଡ୍ରୋନ୍ ସମେତ ଏକ ବ୍ୟାପକ ନିରୀକ୍ଷଣ ନେଟୱର୍କକୁ ଏକୀକୃତ କରାଯାଇଥିଲା । ଏହା ଦ୍ୱାରା ଭିଡ଼ର ବାସ୍ତବ ସମୟର ଆକଳନ, ତ୍ୱରିତ ପ୍ରତିକ୍ରିୟାର ସମନ୍ୱୟ ଏବଂ ସମଗ୍ର ଉତ୍ସବ ସମୟରେ ଶ୍ରଦ୍ଧାଳୁଙ୍କ ଯାତାୟାତର ସୁଚାରୁ ପରିଚାଳନା ସମ୍ଭବ ହୋଇଥିଲା । ଏହି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ବୃହତ୍ ଆୟୋଜନ-ଗୁଡ଼ିକରେ ପ୍ରଯୁକ୍ତିଭିତ୍ତିକ, ଆଗୁଆ ଓ ସକ୍ରିୟ ସୁରକ୍ଷା ଏବଂ ଭିଡ଼ ପରିଚାଳନା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱର ଅନ୍ୟତମ ବୃହତ୍ ଧାର୍ମିକ ସମାବେଶ ରଥଯାତ୍ରା ସମୟରେ ରେଳ ପରିଚାଳନା କ୍ଷେତ୍ରରେ ଏହା ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ।ଟ୍ରେନ ପରିଚାଳନାରେ ନିରାପତ୍ତା ଆମର ସର୍ବୋଚ୍ଚ. ପ୍ରାଥମିକତା ହୋଇ ରହିଛି । ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଅନେକ ଅଭିନବ ଓ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛୁ । ସାମ୍ପ୍ରତିକ ସମୟରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ହେଲା:✦ ୧୪୩ ରୁଟ୍ କିଲୋମିଟରରେ ‘କବଚ.’ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି ।✦ ଟ୍ରେନ୍ର ଗରମ ଆକ୍ସେଲ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ପାଇଁ ୨୫ଟି ହଟ୍ ଆକ୍ସେଲ୍ ବକ୍ସ ଡିଟେକ୍ଟର (HABD) ସ୍ଥାପନ କରାଯାଇଛି ।✦ ୪୯୬ କିଲୋମିଟର ରେଳପଥରେ ସୁରକ୍ଷା ବାଡ଼ (Safety Fencing) ନିର୍ମାଣ କରାଯାଇଛି ।✦ ହାତୀଙ୍କ ରେଳପଥରେ ପ୍ରବେଶ ଚିହ୍ନଟ ପାଇଁ ଏଲିଫାଣ୍ଟ ଇଣ୍ଟ୍ରୁଜନ୍ ଡିଟେକ୍ସନ୍ ସିଷ୍ଟମ୍ (EIDS) ସ୍ଥାପନ କରାଯାଇଛି।✦ ସୌର ଶକ୍ତିଚାଳିତ CCTV ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି ।✦ ୪ଟି ମାନବଚାଳିତ ଲେଭେଲ୍ କ୍ରସିଂ ଉଚ୍ଛେଦ କରାଯାଇଛି।✦ ୧ଟି ନୂତନ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସ୍ଥାପନ କରାଯିବା ସହିତ ପୂର୍ବରୁ ଥିବା ୧୧ଟି ଇଲେକ୍ଟ୍ରୋନିକ୍ ଓ ପ୍ୟାନେଲ୍ ଇଣ୍ଟରଲକିଂ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି ।✦ ୧୫ଟି ଲେଭେଲ୍ କ୍ରସିଂରେ ରବରଯୁକ୍ତ ରୋଡ଼ ସର୍ଫେସ୍ ନିର୍ମାଣ କରାଯାଇଛି ।✦ ୧୪ଟି ରୋଡ଼ ଓଭରବ୍ରିଜ୍ ଏବଂ ୩୬ଟି ରୋଡ଼ ଅଣ୍ଡରବ୍ରିଜ୍/ ଲିମିଟେଡ୍ ହାଇଟ୍ ସବୱେ ନିର୍ମାଣ କରାଯାଇଛି ।✦ ପଥର ଖସିବାର ବିପଦକୁ ଏଡ଼ାଇବା ପାଇଁ କୋରାପୁଟ– ରାୟଗଡ଼ା ଲାଇନ୍ରେ ରକ୍ଫଲ୍ ପ୍ରତିରୋଧ ଓ ତାର ଜାଲ ସ୍ଥାପନ କରାଯାଇଛି ।✦ ତାଳଚେର ରୋଡ ଓ ହିନ୍ଦୋଳ ରୋଡ ଷ୍ଟେସନରେ ବଜ୍ରପାତ ଓ ସର୍ଜ୍ ସୁରକ୍ଷା ପ୍ରଣାଳୀ ସ୍ଥାପନ କରାଯାଇଛି ।ଏହି ସମସ୍ତ ପଦକ୍ଷେପ ଫଳରେ ରେଳ ସମ୍ପତ୍ତି ଓ ଭିତ୍ତିଭୂମିର ବିଶ୍ୱସନୀୟତାରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ।ଆମର ମାଲବାହୀ ଟ୍ରେନ ରକ୍ଷଣାବେକ୍ଷଣ କ୍ଷମତା ମଧ୍ୟ ଉଲ୍ଲେଖନୀୟ ଭାବେ ସୁଦୃଢ଼ ହୋଇଛି। ପ୍ରତିଦିନ ହାରାହାରି ମାଲବାହୀ ରେକ୍ ପରୀକ୍ଷଣ ସଂଖ୍ୟାରେ ୩୪.୧୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ, ପ୍ରତିଦିନର ROH ଆଉଟଟର୍ଣ୍ଣରେ ୩୩.୯୫ ପ୍ରତିଶତ ଉନ୍ନତି ହୋଇଛି ।ବର୍ତ୍ତମାନ ପୂର୍ବ ତଟ ରେଳପଥରେ ୯୮ଟି ଇଲେକ୍ଟ୍ରୋନିକ୍ ଇନ୍-ମୋସନ୍ ୱେ ବ୍ରିଜ୍ (Electronic In-Motion Weigh Bridges) କାର୍ଯ୍ୟକ୍ଷମ ରହିଛି । ଏଥିମଧ୍ୟରୁ ୧୪ଟି ୱେ ବ୍ରିଜ୍କୁ ଚକ-ଭିତ୍ତିକ ଓଜନ ମାପ ବ୍ୟବସ୍ଥାରେ ଉନ୍ନତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୨ଟି ହ୍ୱିଲ ଇମ୍ପାକ୍ଟ ଲୋଡ୍ ଡିଟେକ୍ଟର (WILD) ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି ।ଯାତ୍ରୀ ଓ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଭିବୃଦ୍ଧିର ବିପୁଳ ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଆମେ ସୁଚିନ୍ତିତ ଯୋଜନା ଓ ଦୃଢ଼ ସଂକଳ୍ପର ସହିତ କାର୍ଯ୍ୟ କରୁଛୁ । ଚଳିତ ଆର୍ଥିକ ବର୍ଷରେ ହାସଲ ହୋଇଥିବା ପ୍ରମୁଖ ସଫଳତାଗୁଡ଼ିକ ହେଲା :-କାର୍ଯ୍ୟକ୍ଷମ ହୋଇଥିବା ସେକ୍ସନଗୁଡିକ :· ଜଗଦଲପୁର–କିରଣ୍ଡୁଲ୍ ଦୋହରୀକରଣ ପ୍ରକଳ୍ପର କାମଲୁର– ଭାନ୍ସି ସେକ୍ସନ· କୋରାପୁଟ–ସିଙ୍ଗାପୁର ରୋଡ ଦୋହରୀକରଣ ପ୍ରକଳ୍ପର ବାଇଗୁଡ଼ା-କାକିରିଗୁମା ସେକ୍ସନ· ୪୩.୭୯ ଟ୍ରାକ କିଲୋମିଟର ରେଳପଥର ବିଦ୍ୟୁତୀକରଣ · ଖୋର୍ଦ୍ଧା ରୋଡ–ବଲାଙ୍ଗୀର ନୂତନ ରେଳଲାଇନ୍ ପ୍ରକଳ୍ପ ଅଧୀନରେ ୧ଟି ରେଳ ଓଭର ବ୍ରିଜ ଓ ୧ଟି ରେଳ ଅଣ୍ଡର ବ୍ରିଜର ନିର୍ମାଣ· କୋରାପୁଟ–ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର କେଉଟଗୁଡ଼ା–ସିକରପାଇ ସେକ୍ସନରେ ୩ଟି ଟନେଲ୍ ଏବଂ କୋତ୍ତାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପର ବୋଡ୍ଡୱରା–ଶିବଲିଙ୍ଗପୁରମ୍ ସେକ୍ସନରେ ୧ଟି ଟନେଲର ସଫଳ ଭେଦନ ବା ବ୍ରେକଥ୍ରୁ ହୋଇଛି ।ଟ୍ରେନ୍ ଚଳାଚଳକୁ ଅଧିକ ସୁଗମ ଓ ଦ୍ରୁତ କରିବା ପାଇଁ ସମ୍ବଲପୁର–ବଲାଙ୍ଗୀର ସେକ୍ସନରେ ସର୍ବାଧିକ ଅନୁମୋଦିତ ଗତି ଘଣ୍ଟା ପ୍ରତି ୧୩୦ କିମିକୁ ବୃଦ୍ଧି କରାଯିବାସହ ୨୬୬.୩୫ ଟ୍ରାକ କିଲୋମିଟର ରେଳପଥକୁ ଘଣ୍ଟା ପ୍ରତି ୧୧୦ କିମିକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ, ୨୦୨୫–୨୬ ଆର୍ଥିକ ବର୍ଷରେ ୨୨ଟି ସ୍ଥାନରେ ଏବଂ ୨୦୨୬–୨୭ ଆର୍ଥିକ ବର୍ଷରେ ୨ଟି ସ୍ଥାନରେ ସ୍ଥାୟୀ ଗତି ପ୍ରତିବନ୍ଧକ (PSRs) କୋହଳ କିମ୍ବା ହଟାଯାଇଛି । ଆମର ନିଷ୍ଠାପର ଟିମ୍ ଦ୍ୱାରା ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ସଫଳତାଗୁଡ଼ିକ ଆମ ରେଳ ନେଟୱାର୍କର କ୍ଷମତା ଏବଂ ପହଞ୍ଚକୁ ଆହୁରି ବୃଦ୍ଧି କରିବ ।ଅନ୍ୟାନ୍ୟ କ୍ଷମତା ବୃଦ୍ଧି ପଦକ୍ଷେପ ମଧ୍ୟରେ, ଡିଷ୍ଟ୍ରିବ୍ୟୁଟେଡ୍ ପାୱାର ୱାୟାରଲେସ୍ କଣ୍ଟ୍ରୋଲ୍ ସିଷ୍ଟମ୍ (DPWCS) ଦ୍ୱାରା ଦୀର୍ଘ-ଦୂରଗାମୀ (Long-haul) ମାଲବାହୀ ଟ୍ରେନ୍ ପରିଚାଳନା କରିବାରେ ପୂର୍ବ ତଟ ରେଳପଥ ଭାରତୀୟ ରେଳବାଇର ପ୍ରଥମ ଜୋନ୍ ହୋଇଛି । ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା ମାଧ୍ୟମରେ ୮୯୫ଟି ଟ୍ରେନ୍ ସଫଳତାର ସହିତ ପରିଚାଳିତ ହୋଇଛି, ଯାହା ମାଲ ପରିବହନ କ୍ଷମତା ବୃଦ୍ଧିରେ ସହାୟକ ହୋଇଛି। ଆମେ ଯାନ୍ତ୍ରିକ ପଦ୍ଧତିରେ ଟ୍ରାକ୍ ରକ୍ଷଣାବେକ୍ଷଣ ଏବଂ ରିଲେଇଂ କାର୍ଯ୍ୟ, ଉପଯୋଗୀ ଟୁଲ୍ସ ଓ ଯନ୍ତ୍ରପାତି ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ ଭାବରେ ଆଗେଇ ନେଉଛୁ ।ମୁଁ ଆନନ୍ଦର ସହିତ ଜଣାଉଛି ଯେ, ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ସେଡ୍କୁ ୩-ଫେଜ୍ ଇଲେକ୍ଟ୍ରିକ୍ ଲୋକୋ-ମୋଟିଭ୍ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଲୋକୋମୋଟିଭ୍ ସେଡ୍ ଭାବେ ପୁରସ୍କୃତ କରାଯାଇଛି ଏବଂ କନଭେନସନାଲ୍ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହା ଆମର ଲୋକୋମୋଟିଭ୍ ରକ୍ଷଣାବେକ୍ଷଣ, ବିଶ୍ୱସନୀୟତା ଓ ପରିଚାଳନାଗତ ଦକ୍ଷତା କ୍ଷେତ୍ରରେ ଆମର ଉତ୍କର୍ଷତାର ଏକ ପ୍ରତିଫଳନ ଅଟେ । ପୂର୍ବ ତଟ ରେଳପଥ ପରିବେଶ ସୁରକ୍ଷା, ସବୁଜ ଶକ୍ତି ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପୂର୍ଣ୍ଣ ପ୍ରତିବଦ୍ଧ । ଚଳିତ ଆର୍ଥିକ ବର୍ଷରେ ୨,୮୭୪ଟି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଛି । ଆହୁରିମଧ୍ୟ ଚଳିତ ବର୍ଷ ୬ଟି ରେକ୍କୁ ହେଡ୍-ଅନ୍-ଜେନେରେସନ୍ (HOG) ବ୍ୟବସ୍ଥାରେ ସାମିଲ କରାଯାଇଛି । ଏହା ଫଳରେ ମୋଟ ହେଡ୍-ଅନ୍-ଜେନେରେସନ୍ (HOG) ରେକ୍ ସଂଖ୍ୟା ୭୨ରେ ପହଞ୍ଚିଛି ଏବଂ ଡିଜେଲ୍ ବ୍ୟବହାର ହ୍ରାସ ଯୋଗୁଁ ସମୁଦାୟ ₹୯୨.୯୨ କୋଟି ସଞ୍ଚୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୪୩୩ କିଲୋୱାଟ୍ ପିକ୍ (KWp) କ୍ଷମତାର ସୌର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକ ୪୮.୩୨ ଲକ୍ଷ ୟୁନିଟ୍ ସବୁଜ ଶକ୍ତି ଉତ୍ପାଦନ କରିଛନ୍ତି, ଯାହାଫଳରେ ₹୩.୧୫ କୋଟି ସଞ୍ଚୟ ହୋଇପାରିଛି । ଏହି ସମସ୍ତ ପଦକ୍ଷେପ ଏକ ସ୍ୱଚ୍ଛ, ସବୁଜ ଓ ପରିବେଶ ଅନୁକୂଳ ରେଳ ବ୍ୟବସ୍ଥା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ରେଳ ସୁରକ୍ଷା ବଳ ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ଅତ୍ୟନ୍ତ ପ୍ରଶଂସନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ଚଳିତ ବର୍ଷ ଯାତ୍ରୀ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବ ତଟ ରେଳପଥ ବିଭିନ୍ନ ସ୍ଥାନରେ “ଡିଏସସି ଅର୍ଜୁନ” ନାମକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ସଞ୍ଚାଳିତ ରୋବୋଟିକ୍ ନିରୀକ୍ଷଣ ପ୍ରଣାଳୀ ମୁତୟନ ଏକ ଐତିହାସିକ ପଦକ୍ଷେପ ଥିଲା। ବ୍ୟାପକ ଯାଞ୍ଚ ଅଭିଯାନ ଫଳରେ ରେଳବାଇ ଆଇନର ବିଭିନ୍ନ ଧାରା ଅଧୀନରେ ୯,୨୧୩ ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ୪,୨୮୬ ଜଣଙ୍କ ବିରୋଧରେ ଜୋରିମାନା ଲଗାଯାଇ ₹୨୨.୭୧ ଲକ୍ଷରୁ ଅଧିକ ଜରିମାନା ଆଦାୟ କରାଯାଇଛି । ‘ଅପରେସନ ଜୀବନ ରକ୍ଷା’ ଅଧୀନରେ ରେଳ ସୁରକ୍ଷା ବଳ ୨୮ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ସମୟ ମଧ୍ୟରେ ୪୭୧ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ସହ ମିଶାଯାଇଛି କିମ୍ବା ସାମାଜିକ ସଂଗଠନଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ୩୫ଟି ଚିହ୍ନଟ ହୋଇଥିବା ମାମଲାରେ ₹୧.୮୪ କୋଟି ମୂଲ୍ୟର ବେଆଇନ/ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି । ଏଥିସହ, ଯାତ୍ରୀମାନେ ଛାଡ଼ିଯାଇଥିବା ୫୪୮ଟି ସାମଗ୍ରୀ ଉଦ୍ଧାର କରାଯାଇ ସେଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି ।ଅର୍ଥ ବିଭାଗ ପୂର୍ବତଟ ରେଳପଥରେ ଆର୍ଥିକ ସ୍ୱଚ୍ଛତା ଓ ଶୃଙ୍ଖଳାର ମୁଖ୍ୟ ଆଧାର ଭାବେ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରିଛି। ପେନସନ୍ ପ୍ରଦାନ ସମ୍ବନ୍ଧୀୟ ମାମଲାଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଦ୍ୱାରା ₹୨.୮୧ କୋଟି ପୁନରୁଦ୍ଧାର କରାଯାଇଛି । ପ୍ରମୁଖ ବାକି ଥିବା ହିସାବଗୁଡ଼ିକର (suspense heads) ସଫଳ ସମାଧାନ କରାଯାଇଛି ଏବଂ ୯୪ ପ୍ରତିଶତରୁ ଅଧିକ ବାକି ଥିବା PPO ଗୁଡ଼ିକୁ ସଂଯୋଗ କରାଯାଇଛି । ଏଥିସହ, ପୂର୍ବ ତଟ ରେଳପଥର ରେଲନେଟ (Railnet) ୱେବସାଇଟ୍କୁ ନିଜସ୍ୱ ଉଦ୍ୟମରେ ପୁନର୍ଗଠନ କରାଯାଇ ଏଥିରେ ଡାଇନାମିକ୍ ରିପୋର୍ଟିଂ ସୁବିଧା ଯୋଡ଼ାଯାଇଛି, ଯାହା ବିଭାଗର ସ୍ୱଚ୍ଛତା ଓ ଡିଜିଟାଲ୍ ରୂପାନ୍ତରଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।ଭଣ୍ଡାର ବିଭାଗ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ₹୫୭.୮୦ କୋଟିର ସ୍କ୍ରାପ୍ ବିକ୍ରୟ କରିଛି, ଯାହା ପୂର୍ବବର୍ଷ ତୁଳନାରେ ୨୭.୫ ପ୍ରତିଶତ ଅଧିକ । ଏହା ସହିତ ରେଳ ବ୍ୟବସ୍ଥାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଏବଂ ଯାତ୍ରୀ ଆବଶ୍ୟକୀୟ ସାମଗ୍ରୀର ୧୦୦ ପ୍ରତିଶତ ଉପଲବ୍ଧତା ନିଶ୍ଚିତ କରାଯାଇଛି ।କାର୍ମିକ ବିଭାଗ କର୍ମଚାରୀ କଲ୍ୟାଣ ଓ ସାଂଗଠନିକ ବିକାଶ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ଚଳିତ ଆର୍ଥିକ ବର୍ଷରେ ୩୩୩ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ୨୧,୮୬୭ ଜଣ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ, ଅର୍ଥାତ୍ “ବିକଶିତ ଭାରତ @ ୨୦୪୭ ପାଇଁ ଯୁବ ଶକ୍ତି” ସଂକଳ୍ପ ଅନୁରୂପ ୧,୪୦୬ ଜଣ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ୩୩ଟି ଚୟନ ପ୍ରକ୍ରିୟା, ୪୬ଟି ଯୋଗ୍ୟତା ମୂଲ୍ୟାୟନ ଏବଂ ୮ଟି ଟ୍ରେଡ୍ ଟେଷ୍ଟ ସଫଳତାର ସହ ଆୟୋଜନ କରାଯାଇଛି । ପ୍ରମୁଖ କର୍ମଚାରୀ କଲ୍ୟାଣମୂଳକ ପଦକ୍ଷେପ ମଧ୍ୟରେ ୧୬ତମ ରୋଜଗାର ମେଳା, ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ କର୍ମକ୍ଷେତ୍ରରେ ସୁରକ୍ଷା ଏବଂ ‘ପୋଶ୍ ଆକ୍ଟ (POSH Act) ୨୦୧୩’ ଉପରେ ସଚେତନତା ଶିବିର ଅନ୍ତର୍ଭୁକ୍ତ ।ଆମର ଚିକିତ୍ସା ବିଭାଗ ୩୫,୦୦୦ରୁ ଅଧିକ କର୍ମଚାରୀ, ୧୨,୫୦୦ RELHS କାର୍ଡଧାରୀ ଏବଂ ସେମାନଙ୍କ ପରିବାର ପ୍ରତି ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବା ପାଇଁ ବିଶେଷ ପ୍ରଶଂସା ପାଇବାର ଯୋଗ୍ୟ । ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୨୪ଟି ସ୍ୱତନ୍ତ୍ର, ୨୮୦ଟି ବଡ଼, ୧୩୫ଟି ମୋତିଆବିନ୍ଦୁ ଏବଂ ୫୮୪ଟି ଛୋଟ ଅସ୍ତ୍ରୋପଚାର କରାଯାଇଛି । ୨୫ଟି ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୧,୩୬୫ ଜଣ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କର୍ମଚାରୀମାନଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଯାଇଛି ।କ୍ରୀଡ଼ା କ୍ଷେତ୍ରରେ ପୂର୍ବ ତଟ ରେଳପଥ ଗୌରବମୟ ପରମ୍ପରାକୁ ବଜାୟ ରଖି, ଆମର କ୍ରୀଡ଼ାବିତ୍ମାନେ ଜାତୀୟସ୍ତରରେ ଜୋନ୍ ପାଇଁ ସୁନାମ ଆଣିବା ଜାରି ରଖିଛନ୍ତି । ଆମେ ବିଶେଷ ଭାବେ ଗର୍ବିତ ଯେ, ଆମର କ୍ରୀଡ଼ା ଅଧିକାରୀ ଶ୍ରୀ ଅମିତ ରୋହିଦାସ (ଏଫଏଇଏଚ) ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ପୂର୍ବ ତଟ ରେଳପଥ କ୍ରୀଡ଼ା ସଂଘ (ECoRSA) ପକ୍ଷରୁ ଭଲିବଲ୍, ଜିମ୍ନାଷ୍ଟିକ୍ସ, ବାସ୍କେଟବଲ୍, କ୍ରିକେଟ୍ ଓ ଅନ୍ୟାନ୍ୟ କ୍ରୀଡ଼ା ପାଇଁ ଚୟନ ଏବଂ ପ୍ରଶିକ୍ଷଣ ଶିବିର ସଫଳତାର ସହିତ ଆୟୋଜିତ କରିଛି ।ଏହି ଗୌରବମୟ ଅବସରରେ, ମୁଁ ଆମର ସମସ୍ତ ହିତାଧିକାରୀ, ସ୍ୱୀକୃତିପ୍ରାପ୍ତ ୟୁନିଅନ୍ ଓ ଆସୋସିଏସନ୍ ଗୁଡ଼ିକୁ ସେମାନଙ୍କର ଗଠନମୂଳକ ସହଯୋଗ ଓ ନିରନ୍ତର ସମର୍ଥନ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ଆମ ରେଳ ପରିବାରର କଲ୍ୟାଣମୂଳକ କାର୍ଯ୍ୟକଳାପ ପ୍ରତି ନିରନ୍ତର ନିଷ୍ଠା ଓ ସମର୍ପଣ ପାଇଁ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ECoRWWO)ର ସମସ୍ତ ସଦସ୍ୟଙ୍କୁ ମଧ୍ୟ ମୁଁ ହୃଦୟରୁ ପ୍ରଶଂସା ଓ ଧନ୍ୟବାଦ ଜ୍ଞାପନ କରୁଛି । ୨୦୨୬ ମସିହା ଜୁନ୍ ୧ ତାରିଖରୁ ପୂର୍ବ ତଟ ରେଳପଥ ଏକ ପରିବର୍ତ୍ତନଶୀଳ ନୂତନ ଅଧ୍ୟାୟରେ ପ୍ରବେଶ କରିଛି। ଆମର ପ୍ରଶାସନିକ ସୀମା ପୁନର୍ଗଠନର ନୂତନ ଆହ୍ୱାନ ନେଇଆସିଛି । କିନ୍ତୁ ଆମେ ମନେରଖିବା ଉଚିତ ଯେ, ପ୍ରତ୍ୟେକ ଆହ୍ୱାନ ହେଉଛି ଆଗକୁ ବଢ଼ିବାର ଏକ ନିମନ୍ତ୍ରଣ । ପ୍ରତ୍ୟେକ ପରିବର୍ତ୍ତନ ନୂତନ ସମ୍ଭାବନାର ଦ୍ୱାରଖୋଲିଥାଏ, ଏବଂ ମୋର ଦୃଢ଼ ବିଶ୍ୱାସ ଯେ, ଆମର ସାମୂହିକ ଶକ୍ତି, ନିଷ୍ଠା ଓ ଦୃଢ଼ ସଂକଳ୍ପ ବଳରେ ଆମେ ପ୍ରତ୍ୟେକ ଆହ୍ୱାନକୁ ସୁଯୋଗରେ ପରିଣତ କରିବୁ ଏବଂ ଦେଶସେବାରେ ପୂର୍ବ ତଟ ରେଳପଥକୁ ଆହୁରି ଉଚ୍ଚ ଶିଖରକୁ ନେବା ଜାରି ରଖିବୁ ।ମୁଁ ପୁଣିଥରେ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରବର୍ଗଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ‘ବିକଶିତ ଭାରତ ୨୦୪୭’ ଆଡ଼କୁ ଆମର ଏହି ସାମୂହିକ ଯାତ୍ରାକୁ ଆଗେଇ ନେବା ସହିତ, ଏହି ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ମନରେ ନୂତନ ପ୍ରେରଣା ଓ ଉତ୍ସାହ ଜାଗ୍ରତ କରୁ – ଏହା ମୋର ଆନ୍ତରିକ କାମନା । ଜୟ ହିନ୍ଦ୍ !(ପରମେଶ୍ୱର ଫୁଙ୍କୱାଲ୍)ମହାପ୍ରବନ୍ଧକପୂର୍ବ ତଟ ରେଳପଥ
