ଗୋପାଳପୁର-ସମ୍ବଲପୁର ରେଳପଥ ଡବଲ ଇଞ୍ଜିନ ସରକାର ଗଠନ ପରେ ବଢ଼ିଲା ଆଶା
ଭଞ୍ଜନଗର,୨୧/୦୬( ବହୁ ପ୍ରତୀକ୍ଷିତ ଗୋପାଳପୁର – ସମ୍ବଲପୁର ରେଳ ପ୍ରକଳ୍ପ ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଏହି ରେଳ ପ୍ରକଳ୍ପ ଦେଇ ଯିବାକୁ ଥିବା ଚାରି ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା,କନ୍ଧମାଳ ଓ ସମ୍ବଲପୁର ରେ ବିଜେପି ସାଂସଦ ନିର୍ବାଚିତ ହୋଇଥିବା ବେଳେ ଅଞ୍ଚଳବାସୀ ଏହାର ଅଗ୍ରଗତି ନେଇ ଆଶାବାଦୀ ଅଛନ୍ତି। ଏହି ନୂତନ ପ୍ରକଳ୍ପ ନିମନ୍ତେ ୨୦୧୦-୧୧ ରେ ସର୍ଭେ ପାଇଁ କେନ୍ଦ୍ର ସରକାର ପୂର୍ବତଟ ରେଳବାଇ କୁ ଅନୁମତି ଦେଇଥିଲେ। କିଛି ବର୍ଷ ଧରି ଏହି ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡି ରହିଥିବା ବେଳେ ରେଳପଥ ଯାଉଥିବା ଅଞ୍ଚଳର ଜନପ୍ରତିନିଧି ଙ୍କୁ ଏକତ୍ରିତ କରି କ୍ରିୟାନୁଷ୍ଠାନ କମିଟି ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା।

୨୦୧୯-୨୦ ରେଳ ବଜେଟ ରେ ଏକ କୋଟିର ଟୋକନ୍ ବଜେଟ ପରବର୍ତ୍ତୀ ସମୟରେ ୨୦୨୩-୨୪ ରେଳ ବଜେଟ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇ ଏହି ପ୍ରକଳ୍ପକୁ ଜୀବିତ ରଖାଯାଇଛି। ଏପରିକି ଫାଇନାଲ ଲୋକେସନ୍ ସର୍ଭେ,ଜମି ଚିହ୍ନଟ ପ୍ରକ୍ରିୟା,ଡିପିଆର ଆଦି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଓରିଡିଏଲ୍ ସଂସ୍ଥା ପକ୍ଷରୁ ରେଳପଥର ବିସ୍ତୃତ ପ୍ରକଳ୍ପ ରିପୋର୍ଟ( ଡିପିଆର) ପ୍ରସ୍ତୁତ ସରିଛି । ଏହି ରେଳ ଲାଇନ୍ ବୋର୍ଡର ଅନୁମୋଦନ ଅପେକ୍ଷାରେ ଥିବାବେଳେ ଫୁଲବାଣୀ ସହରକୁ ଏହି ପ୍ରକଳ୍ପରେ ସାମିଲ କରିବା ପାଇଁ ଜିଲ୍ଲା ରେଳବାଇ କ୍ରିୟାନୁଷ୍ଠାନ କମିଟି ଦାବି କରିଥିଲା। ପ୍ରଥମେ ଯେଉଁ ଡିପିଆର ପ୍ରସ୍ତୁତ ହୋଇଥିଲା ସେଥିରେ ଫୁଲବାଣୀ ସହର ରହିଥିବା ବେଳେ ପରବର୍ତ୍ତୀ ଡିପିଆରରେ ଫୁଲବାଣୀକୁ ବାଦ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଫଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫୁଲବାଣୀ କୁ ଏଥିରେ ଯୋଡି ଡିପିଆର ପୁନର୍ବାର ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ଏଣୁ ଫୁଲବାଣୀ କୁ ଯୋଡି ଏହାର ଫାଇନାଲ ଡିପିଆର ପ୍ରସ୍ତୁତ ସହ ଏହି ରେଳପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରି ରେଳ ବଜେଟ୍ରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କଲେ ଏହି ମହତାକାଂକ୍ଷୀ ପ୍ରକଳ୍ପ ଦ୍ବାରା ରାଜ୍ୟର ଦକ୍ଷିଣାଞ୍ଚଳ ସହ ପଶ୍ଚିମାଞ୍ଚଳକୁ ସିଧାସଳଖ ସଂଯୋଗ ହୋଇପାରିବା ସହ ରେଳପଥ ବିକାଶଧାରାରେ ରାଜ୍ୟର ୪ଟି ଜିଲ୍ଲାର ବହୁ ଅଞ୍ଚଳ ସାମିଲ ହୋଇ ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ରରେ ଭାବ ବିନିମୟ ଘଟିବା ସହ ଏକ ବିକଶିତ ଅଞ୍ଚଳରେ ପରିଣତ ହୋଇପାରିବ। ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଜିଲ୍ଲା ହୋଇ ସମ୍ବଲପୁରର ରେଢ଼ାଖୋଲ କୁ ସଂଯୋଗ କରିବ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପର ରେଳ ଲାଇନ ପ୍ରାୟ ୧୦୫ କି.ମି ରୁ ଉର୍ଦ୍ଧ୍ବ ରହିବ। ଏ ନେଇ ଗଞ୍ଜାମ ଜିଲ୍ଲାବାସୀ ଏହି ପ୍ରକଳ୍ପର ସଫଳତା ନେଇ ଆଶାବାଦୀ ଅଛନ୍ତି। ରେଳ ପ୍ରକଳ୍ପ ଶୀଘ୍ର ଶେଷ କରିବା ଉଦ୍ଧେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ‘ଗତିଶକ୍ତି’ ଯୋଜନାରେ ସାମିଲ କରାଯାଇଛି। ଦେଶରେ ନିଆଯାଉଥିବା ବଡ଼ ବଡ଼ ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଥାଏ। ଗତ ୨୦୨୩ ଏପ୍ରିଲ୍ ୧ତାରିଖରୁ ପ୍ରକଳ୍ପ କାମ ଆରମ୍ଭ ହୋଇଛି ଏବଂ ଏହା ୨୦୨୮ ୩୧ତାରିଖ ସୁଦ୍ଧା ପ୍ରକଳ୍ପ କାମ ସମାପ୍ତ କରିବାକୁ ଗତିଶକ୍ତିରେ ଉଲ୍ଲେଖ କରାଯାଇଛି। ଫାଇନାଲ୍ ଲୋକେସନ୍ ସର୍ଭେକୁ ମଞ୍ଜୁରୀ ମିଳିବା ପରେ ପ୍ରକଳ୍ପକୁ କେନ୍ଦ୍ର ସରକାର ବଜେଟ୍ ମଞ୍ଜୁର କରିବେ ବୋଲି ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ଙ୍କ ତଥ୍ୟରୁ ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ରେଳଲାଇନ ଆରମ୍ଭ ହୋଇ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ କୁ ସଂଯୋଗ କରିବ । ଏହା ପାଖାପାଖି ୨୭୫ କିମି ରହିବା ସହ ଏହାରି ମଧ୍ୟରେ ପାଖାପାଖି ୧୬ଟି ରେଳ ଷ୍ଟେସନ ରହିବ ବୋଲି ସୂଚନା ମିଳିଛି। ଏଥିରେ ମୋଟ ୫-ଟି ଟନେଲ, ୩୮ଟି ବଡ ସେତୁ, ୧୮୪ଟି କ୍ଷୁଦ୍ର ସେତୁ ନିର୍ମାଣ ହେବ। ଏହି ରେଳପଥ ଗୋପାଳପୁର ଠାରୁ ବାହାରି କୁକୁଡାଖଣ୍ଡି, ହିଞ୍ଜିଳିକାଟୁ, ଆସିକା, ଖଣ୍ଡରାବଳୀ, ବାସୁଦେବପୁର, ଭଞ୍ଜନଗର, ମୁଜାଗଡ, ବଦାଙ୍ଗି, ଚକାପାଦ, ଜାଗରପଟା, ଫୁଲବାଣୀ, ଲକରାପାଳୁ, ସାନମୁଣ୍ଡା, ମୁଣ୍ଡାପଡା, ବୌଦ୍ଧ, କଦଳୀଗଡ ହୋଇ ଶେଷରେ ରେଢାଖୋଲରେ ମିଶିବ । ଏଥିପାଇଁ ମୋଟ ୧୬ଟି ରେଳଷ୍ଟେସନ୍ ନିର୍ମାଣ ହେବ ବୋଲି ଏହି ସର୍ଭେ ରିପୋର୍ଟରୁ ଜଣାପଡିଛି। ଏଥି ସହିତ ମୁଜାଗଡ଼ ଓ ଚଳାପାଦ ଠାରେ ଇଲିଫେଣ୍ଟ କରିଡର ନିର୍ମାଣ ହେବା ବୋଲି ଉଲ୍ଲେଖ ରହିଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଦେଇ ଯିବା କୁ ଥିବା ଅଞ୍ଚଳରେ ବର୍ତ୍ତମାନ ବିଜେପିର ଆସିକା, ସୋରଡା, ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ ବିଧାୟକ ଅଛନ୍ତି। ଏଥି ସହିତ ଆସିକା,ବ୍ରହ୍ମପୁର,କନ୍ଧମାଳ, ବରଗଡ ଓ ସମ୍ବଲପୁର ସାଂସଦ ରହିଛନ୍ତି। ଏଣୁ ଏହି ସବୁ ସଂସଦୀୟ କ୍ଷେତ୍ରର ଜନପ୍ରତିନିଧି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକାଠି ହୋଇ ଏହି ରେଳପ୍ରକଳ୍ପ ତ୍ବରିତ ବେଗରେ ଯେପରି କାର୍ଯ୍ୟଆରମ୍ଭ କରିବେ ସେଦିଗରେ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି। ରାଜ୍ୟ ପାଇଁ ଏହି ପ୍ରକଳ୍ପ ବେଶ ଗୁରୁତ୍ବ ବହନ କରୁଛି । କାରଣ ରେଳ ମାନଚିତ୍ରରୁ ବାଦ୍ ପଡ଼ିଥିବା ରାଜ୍ୟର ଏକ ବିରାଟ ଅଂଶକୁ ଏହି ଲାଇନ୍ ଯୋଡୁଥିବାବେଳେ ଯାତ୍ରୀ ସେବା ସହ ଏହି ଲାଇନ୍ର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଦିଗ ହେଲା ମାଲ୍ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ହିଣ୍ଡାଲ୍କୋ, ଆଦିତ୍ୟ ଆଲୁମିନିୟମ୍, ଏସିସି ସିମେଣ୍ଟ, ଟାଟା ଷ୍ଟିଲ୍, ଇଣ୍ଡିଆନ୍ ରେଆର୍ ଆର୍ଥ, ଆଦିତ୍ୟ ଥର୍ମାଲ୍ ଏନର୍ଜି, ଶ୍ୟାମ ମେଟାଲିକ୍ସ, ବେଦାନ୍ତ ଝାରସୁଗୁଡ଼ା, ଭୂଷଣ ଷ୍ଟିଲ୍, ଏମ୍ସିଏଲ୍, ଜିନ୍ଦଲ୍ ଭଳି ସଂସ୍ଥା ନିଜର ମାଲ ପରିବହନ ପାଇଁ ଏହି ଲାଇନ୍ର ଉପଯୋଗ କରିବେ। ଏହି ରେଳପଥ ଦେଇ ଧାନ, ଚାଉଳ, ଗହମ, ହଳଦୀ, ଅନ୍ୟାନ୍ୟ ମସଲା, ଲୁହା ପଥର, ଷ୍ଟିଲ୍, ସିମେଣ୍ଟ, ଆଲୁମିନିୟମ୍ ଓ କୋଇଲା ଆଦି ଆମଦାନୀ ଓ ରପ୍ତାନି ହେବ । ବିଶେଷ କରି ଗୋପାଳପୁର ବନ୍ଦର ଦେଇ କୋଇଲା, ଆଲୁମିନିୟମ୍, ଷ୍ଟିଲ୍ ଆଦିର ରପ୍ତାନି କରି ଗେଳବାଇ ଏହି ଲାଇନ୍ରୁ ଭଲ ଆୟ କରିପାରିବା। ବର୍ତ୍ତମାନ ରାଜନୈତିକ ମାନଚିତ୍ର ବଦଳି ଥିବା ବେଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆରମ୍ଭ ହୋଇଛି। ଏଥି ସହିତ ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ପୁନର୍ବାର ଦାୟିତ୍ବ ଗ୍ରହଣ କରିଥିବା ଯୋଗୁ ଚଳିତ ରେଳବଜେଟ୍ରେ ଏହି ରେଳପଥର ବିକାଶ ପାଇଁ ଅର୍ଥ ବ୍ୟୟ ବରାଦ ହେବା ଆଶା କରାଯାଉଛି।
