କାକଟପୁର ବ୍ଲକର ବିଭିନ୍ନ ସେବା ସମବାୟ ସମିତି ପକ୍ଷରୁ ସରକାରୀ ଧାନ କ୍ରୟ ଆରମ୍ଭ

କାକଟପୁର – ପୁରୀ ଜିଲ୍ଲା କାକଟପୁର ବ୍ଲକର ବିଭିନ୍ନ ସେବା ସମବାୟ ସମିତି ପକ୍ଷରୁ ବୁଧବାର ପୂର୍ବାହ୍ନରେ ସରକାରୀ ନିୟମାନୁସାରେ ସୁଲଭ ମୂଲ୍ୟରେ ଚାଷୀଙ୍କ ଠାରୁ ମଣ୍ଡି ଜରିଆରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବ୍ଳକ ଅନ୍ତର୍ଗତ ଲତାହରଣ, ବୁଭୂତିପୁର ଓ ସୁହାଗପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି। ଲତାହରଣ ସେବା ସମବାୟ ସମିତି ଧାନ ମଣ୍ଡି ଉଦଘାଟନ ଉତ୍ସବରେ ଅତିଥି ଭାବେ ପୂରୀ ନିମାପଡ଼ା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ଜିଲ୍ଲା ସଭାପତି କିଶୋର ଛୋଟରାୟ, ବ୍ଳକ ବିଡ଼ିଓ ନାରାୟଣ ଦିକ୍ଷୀତ, ଅଧକ୍ଷ ଶ୍ରୀଧର ନାୟକ, ଚାଷୀ ବିପିନ ମହାନ୍ତି, ପୂରୀ ନିମାପଡ଼ା କେନ୍ଦ୍ର ସମବାୟ ସମିତି କାକଟପୁର ବ୍ୟାଙ୍କ ପରିଚାଳକ ବାବାଜୀ ମୁଦୁଲି, ସୁପରଭାଇଜର ଚନ୍ଦନ ବାରିକ, ସମିତି ସଭାପତି ପ୍ରାଣନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ ସମିତି ସମ୍ପାଦକ ଇକବାଲ ହୋସେନ୍ ସମସ୍ତ ବ୍ୟବସ୍ଥା ପରିଚାଳନା କରିଥିଲେ। ଏହି ସମିତି ପକ୍ଷରୁ ଲତାହରଣ ଓ ଭଣ୍ଡାହର ପଞ୍ଚାୟତର ୧୩ ଗ୍ରାମରୁ ୭୩୮ ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇ ୨୫ ହଜାର କୁଇଣ୍ଟାଲ୍ ଧାନ କ୍ରୟ କରାଯିବ ବୋଲି ଆଶା ରହିଥିବା ସମ୍ପାଦକ ହୋସେନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଚିତ୍ରେଶ୍ୱରୀ ସମିତି ସମ୍ପାଦକ ତଥା ଯୁବ କବି ଶଶୀ ଭୂଷଣ ମିଶ୍ର ସୁନ୍ଦର ଭାବେ ମଞ୍ଚ ସଂଯୋଜନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ସେହିପରି ବିଭୂତିପୁର ସେବା ସମବାୟ ସମିତି ପକ୍ଷରୁ ମଧ୍ୟ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଛି। ସଭାପତି ପବିତ୍ର ଚାନ୍ଦ, କାର୍ଯ୍ୟକାରୀ ସମ୍ପାଦକ ହରେକୃଷ୍ଣ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକଣା ସରପଞ୍ଚ ରୁକ୍ସନା ବିବି ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବୋର୍ଡ଼ ମେମ୍ବର ଓ କର୍ମଚାରୀ ସେକ ମନିରୁଦ୍ଧିନ ଉପସ୍ଥିତ ଥିଲେ। ଏହି ସମିତିରେ ୧୨୮ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୧୦୦୦ କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ସୁଚନା ମିଳିଛି। ଅନୁରୂପ ଭାବେ ସୁହାଗପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦିବାକର ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ୍ ଚେୟାରମ୍ୟାନ ଶ୍ରୀଧର ନାୟକ, ଡାଇରେକ୍ଟର ପ୍ରାଣନାଥ ମଲ୍ଲିକ, ସରପଞ୍ଚ ଶେଖ୍ ଅବୁତାହାର, ଉପ ସଭାନେତ୍ରୀ ନର୍ଗିସ ବାହାର ,ବୋର୍ଡ ସଭ୍ୟ ନରେନ୍ଦ୍ର ପୃଷ୍ଟି , ସୁଧାକର ସାହୁ , ସାଧୁ ଚରଣ ସାହୁ, ବନୋଜ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ଧାନ ମଣ୍ଡିରେ ଧାନ କ୍ରୟ ବ୍ୟବସ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସମ୍ପାଦକ ଶୁଭ୍ରାଂଶୁ କୁମାର ରାଉତ ଓ ସହ ସମ୍ପାଦକ ସୂର୍ଯ୍ୟକାନ୍ତ ରାଉତ ପ୍ରମୁଖ ପରିଚାଳନା କରିଥିଲେ। ଉପରୋକ୍ତ ସମସ୍ତ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ଚାଷୀଙ୍କ ଧାନର ର ସୁରକ୍ଷା ଓ ନିୟମ ଅନୁସାରେ କିପରି ସୁରୁଖୁରୁରେ ଧାନ କ୍ରୟ ହୋଇ ପାରିବ ସମସ୍ତ ସମିତିର ସମ୍ପାଦକ ମାନେ ସରକାରୀ ନିର୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *