ପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଉନ୍ମୋଚିତ


ନୟାଗଡ଼,୧୯/୧୧: ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ ମହାପାତ୍ର, ଏମ. ଆଉରେଙ୍ଗଜେବ, ମଦନ ମଲ୍ଲିକ, ସମ୍ବାଦିକ ସୁରେନ୍ଦ୍ର ପ୍ରଧାନ, କିଶୋର ମହାପାତ୍ର, ଗୋକୁଳ ଷଡଙ୍ଗୀ, ଜିତେନ୍ଦ୍ର ମହାପାତ୍ର, ପ୍ରଭାତ ମହାପାତ୍ର, ବିକ୍ରମ କେଶରୀ ନାୟକ, ମଧୁସୂଦନ ପରିଡ଼ା ଯୋଗ ଦେଇଥିଲେ। ଜଗତ ଏକ ଜ୍ଞାନର ଭଣ୍ଡାର ସେହି ଗଚ୍ଛିତ ଜ୍ଞାନକୁ ସଂଗ୍ରହ କରି ସମାଜ ଉପକାରରେ ପ୍ରୟୋଗ କରିଥିବା ଉଭୟ ଶିକ୍ଷକ ଦମ୍ପତିଙ୍କୁ ପ୍ରଶଂସା କରିବା ସହ ନିଜ ନିଜର ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିଲେ ଯୋଗଦେଇଥିବା ବିଶିଷ୍ଟ ଅତିଥି ବୃନ୍ଦ। ପରିଶେଷରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଯଯାତି କେଶରୀ ମହାପାତ୍ର ପରିଚାଳନା କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ,ତୀର୍ଥକ୍ଷେତ୍ର ନୟାଗଡ଼।

Leave a Reply

Your email address will not be published. Required fields are marked *