ଜରାଶ୍ରମରେ ଅସହାୟ ଭିନ୍ନକ୍ଷମ କାଳିଆ
ଜରାଶ୍ରମରେ ଅସହାୟ ଭିନ୍ନକ୍ଷମ କାଳିଆ
ଦୀର୍ଘବର୍ଷ ହେବ ଭିକ୍ଷା ମାଗି ଚଳୁଥିଲେ
ଦେହ ଖରାପ ଯୋଗୁଁ ଚାଲି ପାରୁ ନଥିଲେ
ସହଯୋଗର ହାତ ବଢ଼ାଇଲେ ସାମାଜିକକର୍ମୀ
କୋଣାର୍କ,୦୯.୧୨- ଦୀର୍ଘ ବର୍ଷ ହେବ ଭିକ୍ଷା ବୃତ୍ତି କରି ଜୀବନ ବିତାଉଥିବା ଅସହାୟ ଭିନ୍ନକ୍ଷମ କାଳିଆ ଶେଷରେ ସାମାଜିକ କର୍ମୀଙ୍କ ସହଯୋଗରେ ଜରାଶ୍ରମରେ ଆଶ୍ରୟ ନେଇଛି। ସୁଚନା ଅନୁଯାୟୀ ଗୋପ ବ୍ଲକ ନୟାହାଟ ଅଞ୍ଚଳର ଭିନ୍ନକ୍ଷମ ଅସହାୟ ବ୍ୟକ୍ତି କାଳିଆ ଦୀର୍ଘ ବର୍ଷ ହେବ କୋଣାର୍କ, ଗୋପ, ନିମାପଡ଼ା, ଚାରିଛକ ଓ କାକଟପୁର ବଜାରରେ ବସଷ୍ଟାଣ୍ଡ ନିକଟରେ ଭିକ୍ଷା ମାଗି ନିଜର ଜୀବନ ବଞ୍ଚାଇ ଆସୁଥିଲା।

ତାର ପିତା ମାତା ମୃତ୍ୟୁ ବରଣ କରିଥିବା ବେଳେ ତାର ବଡ ଭାଇ ମଧ୍ୟ ଭିନ୍ନକ୍ଷମ। ଘର ନାହିଁ କି ଦୁଆର ନାହିଁ। ମାଗି ମାଗି କାହା ଘରେ ଖାଏ ଯେଉଁଠି ପାଏ ଶୋଇପଡେ। ହେଲେ ବୟସ ଓ ଦେହ ଅସୁସ୍ଥତା କାରଣରୁ ଚାଲିବା ଓ ଖାଇବା ସମସ୍ୟାରେ ଜର୍ଜରିତ ହେଉଥିଲା ଅସହାୟ ଭିନ୍ନକ୍ଷମ କାଳିଆ। ପିଲାଟି ଦିନରୁ ସେ ଜଣେ ଭିନ୍ନକ୍ଷମ ତାର ଶରୀର ଗଠନ ଛୋଟ ଓ ହାତ ଗୋଡ ଭିନ୍ନକ୍ଷମ। ଏଥି ସହିତ ତାର ଏକ ଆଖି ମଧ୍ଯ ଖରାପ। ଯାହା ଫଳରେ ସେ କେବେ ଆଧାର କାର୍ଡ କରି ପାରି ନାହିଁ । ଯାହା ଦ୍ଵାରା ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ କାର୍ଡ, ରାସନ୍ କାର୍ଡ, ସାମାଜିକ ସୁରକ୍ଷା ଭତ୍ତା କି ରହିବା ପାଇଁ ଆବାସ ଘରେ ଟିଏ ପାଇ ପାରିନାହିଁ। ସ୍ଥାନୀୟ ସରପଞ୍ଚ ଠାରୁ ବ୍ଳକ ଓ ଜିଲାପାଳ ଙ୍କ ପର୍ଯ୍ୟନ୍ତ ଧାଇଁ ଧାଇଁ ଥକି ଯାଇଥିଲେ ମଧ୍ଯ କୌଣସି ସୁଫଳ ପାଇ ପାରି ନଥିଲା । ତେଣୁ ସେ ବସଷ୍ଟାଣ୍ଡ ନିକଟରେ ଲୋକଙ୍କୁ ଭିକ୍ଷା ମାଗି ନିଜ ଜୀବନ କାଟି ରାତିରେ କେଉଁଠି ମୁଣ୍ଡ ଗୁଞ୍ଜି ଶୋଇ ପଡୁଥିଲା। ଉପଯୁକ୍ତ ଖାଦ୍ୟ, ଔଷଧ ଓ ଶାରୀରିକ ଅସୁସ୍ଥତା ହେତୁ କିଛି ଦିନ ହେବ ସେ ଚାଲିବା ପାଇଁ କଷ୍ଟ ଅନୁଭବ କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ସାମ୍ବାଦିକ ତଥା ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ପ୍ରତାପ କାଣ୍ଡି ବସଷ୍ଟାଣ୍ଡ ନିକଟରେ ତାକୁ ଅସହାୟ ଅବସ୍ଥାରେ ଶିତରେ ଥରିଥରି ବସି ରହିଥିବା ଦେଖିବାକୁ ପାଇଥିଲେ। ତାକୁ ଅବସ୍ଥା ବୁଝିବାରୁ ସେ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣି ଅସହାୟତା ପ୍ରକାଶ କରିଥିଲା। ସାମାଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ତାର ଫୋଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମ ଫେସବୁକ୍ ଜରିଆରେ ପୋଷ୍ଟ କରି ସହାୟତା ପାଇଁ ନିବେଦନ କରିଥିଲେ। ପୋଷ୍ଟ ଦେଖି ରେଡ଼ିଓ ନମସ୍କାର କାର୍ଯକ୍ରମ ପରିଚାକିକା ରୋଜାଲିନ ପ୍ରଧାନ ତୁରନ୍ତ ଶ୍ରୀଯୁକ୍ତ ବିଶ୍ଵାଳଙ୍କ ସହ ଯୋଗାଯୋଗ କରି ଏଲ୍ଡର ଲାଇନ୍ ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ। ଏଲ୍ଡର ଲାଇନ୍ ହେଲ୍ପଲାଇନ ଫିଲ୍ଡ ରେସ୍ପନ୍ସ ଲିଡର ସୁନୀତା ରାଣୀ ବାରିକ ଏହି ଅଭିଯୋଗ କୁ ଗୁରୁତ୍ଵ ଦେଇ ତୁରନ୍ତ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଅଧିକାରୀ ମାନଙ୍କୁ ଯୋଗାଯୋଗ କରିଥିଲେ। ଅଭିଯୋଗ ଦୁଇ ଘଣ୍ଟା ମଧ୍ୟରେ ଜିଲ୍ଲା ଜରାଶ୍ରମ ପକ୍ଷରୁ ଏସଏସଓ ଚନ୍ଦନ ବାରିକଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ କୋଣାର୍କ ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଅସହାୟ ଭିନ୍ନକ୍ଷମ କାଳିଆ କୁ ଉଦ୍ଧାର କରି ଅଟୋ ଯୋଗେ ସୁରକ୍ଷିତ ଭାବେ ଜରାଶ୍ରମରେ ନେଇ ଆଶ୍ରୟ ଦେଇଥିଲେ। ଯାହାକୁ ନେଇ ଫେସବୁକ୍ ଜରିଆରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ୍ କରିଛନ୍ତି ସଧାରଣ ଲୋକେ। ଅସହାୟ କାଳିଆ ଶେଷରେ ଏକ ନିରାପଦ ସ୍ଥାନରେ ପହଞ୍ଚି ପାରିଥିବାରୁ ସମସ୍ତ ସହଯୋଗୀ ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ।
