ହେ ପ୍ରଭୁ କଳାଠାକୁରେ
ହେ ପ୍ରଭୁ କଳାଠାକୁରେ
ଡ. ପ୍ରେମାନନ୍ଦ ବେହେରା
କେଉଁ ଭାଗ୍ୟେ ତୁମେ ଶିଳା ହୋଇଥିଲ
ଲାଗିଛ ବଡ଼ ଦେଉଳେ
କ୍ଷୁଦ୍ର ଶିଳା ମତେ କର ମହାପ୍ରଭୁ
ଥିବି ମନ୍ଦିର ବେଢ଼ାରେ ।।
ନ ହେଲେ ନ ହେଲା ମଣିଷ ଜନମ
ଶିଳା ରେଣୁ ଦିଅ କରି
ବଡ଼ ଦାଣ୍ଡ ଧୂଳି ହୋଇ ରହିଥିବି
ରଥ ଯିବ ଉପରେ ଗଡ଼ି ।।
ଛାର କନା ନୁହେଁ ପତିତ ପାବନ
ଫର ଫର ହୋଇ ଉଡ଼େ
ସୂତା ଖିଅ ମତେ କର ମହାପ୍ରଭୁ
ଲାଗିବି ସେହି ନେତରେ ।।
କି ଭାଗ୍ୟ ପାଇଛ ନନ୍ଦିଘୋଷ ରଥ
ଜଗାକୁ ନେଉଛ ବୋହି
ଆଶିର୍ବାଦ ଦିଅ ମତେ ହେ ଠାକୁର
ରଥ କାଠ ହେବା ପାଇଁ ।।
ନ ଦେଲେ ନ ଦିଅ ମାନ ସନମାନ
ରଖିଥାଅ ମତେ ପାଖରେ
ସେବା କରିବାର ଆଶେ ରହିଥିବି
ମୁହିଁ ସେବକ ପଣରେ ।।
ଆହେ ଜଗନ୍ନାଥ ଅନାଥର ନାଥ
ତୁମେ ତ ଜଗତ ସାଇଁ
କୃପାସିନ୍ଧୁ ପ୍ରଭୁ କୃପାର ସାଗର
ପ୍ରଣତି ଜଣାଏଁ ମୁହିଁ ।।
ଦାସିଆ ନୁହେଁ ମୁଁ ନୁହେଁ ସାଲବେଗ
ବନ୍ଧୁ ମହାନ୍ତି ନୁହେଁରେ
ତୁମରି ସୃଷ୍ଟିର ମଣିଷ ମାତର
ହେ ପ୍ରଭୁ କଳାଠାକୁରେ ।।
ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ
ନନ୍ଦଳା, ପୁରୀ
