ମୁଁ ଶାଗ

  🖊️କବିରତ୍ନ ନୂତନ କୁମାର ବେହେରା

ମୁଁ ଶାଗ
ସବୁ ଗରିବ ଗୁରବାଙ୍କ ପାଇଁ
ଲୋଡ଼ା ହୁଏଁ ଆଗ,
ଦିଶେ ସବୁଜ ସୁନ୍ଦର ଛନଛନିଆଁ
ନାହିଁ ମୋ’ଠି ଟିକେ ରାଗ।
ମୋତେ ତୁଣ କରି ଯତନେ
ଆଦର କରି ଖାଏ ଯିଏ
ମୁଁ ଦୂର କରିଦିଏ ତାର ରୋଗ,
ସାତ୍ତ୍ୱିକ ଖାଦ୍ୟରେ ଗଣା
ଲତା ଜାତୀୟ ଉଦ୍ଭିଦ ମୁଁ
ଛୋଟ ବଡ଼ ଗଛର ପତ୍ରର ଅଗ।
ମୁଁ ଶାଗ
ମାଟିରୁ କରେ ଖାଦ୍ୟ ସଂଗ୍ରହ
ରଖିଥାଏ ଯା’ ସବୁ କରେ ତ୍ୟାଗ,
କୀଟ ପତଙ୍ଗ ଠାରୁ ତୃଣଭୋଜୀ
ମୋତେ ଖାଇ ବଞ୍ଚନ୍ତି
ତାଙ୍କ ଜୀବନକୁ କରନ୍ତି ଉପଭୋଗ।
କରେନା ମୁଁ ଗର୍ବ ଅହଙ୍କାର
ସଭିଙ୍କ ପ୍ରତି ରଖିଥାଏ ଅନୁରାଗ,
ବାଡ଼ି ବଗିଚାରେ ମୋତେ ଖାଇ
ଭାରି ହୃଷ୍ଟପୁଷ୍ଟ ହୁଏ ଛାଗ।
ମୁଁ ଶାଗ
ସରଳ ସାଧା ସିଧା ଗୁଳ୍ମ
ଖୋଜେନା ସାର ବିଷ କୀଟନାଶକ
ଖତ ମୋର ମୁଖ୍ୟ ପଥ୍ୟ,
ଜୀବର ଦେହକୁ ଯୋଗାଏ ଶକ୍ତି
ନିରାମିଷ ଲୋକ ଜାଣନ୍ତି ମୋ ତଥ୍ୟ।
ଭାତର ମୁଁ ପ୍ରିୟ ମିତ
ଶ୍ରମିକ ଖାଇ କରେ ମେହନତ
ଲୋଡ଼େନା ମୁଁ ତେଲ ମସଲା
ସହଜେ ହୁଏ ପରିପାକ,
ଚାହିଦା ମୋର ବରଷ ଯାକ
ମୋ ପ୍ରତି ଟିକେ ରଖିଥିବ ସରାଗ।
ମୁଁ ଶାଗ……

ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *