ଦୁର୍ଦ୍ଦିନରେ ସାରସ୍ବତ ଲୋକ ବିଦ୍ୟାପୀଠ
ଓଡ଼ଗାଁ – ତା,୨୧।୪/୨୬ ନୟାଗଡ଼ ଜିଲ୍ଲାର ଶରଣକୁଳ ନିକଟବର୍ତ୍ତୀ କଜଳାଇପଲ୍ଲୀ ସାରସ୍ବତ ଲୋକ ବିଦ୍ୟାପୀଠ 5T ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଭଙ୍ଗା ଘରେ, ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ରଛାତ୍ରୀ ମାନେ ବସି ପାଠ ପଢୁଛନ୍ତି।5T ଯୋଜନାରେ ବିଗତ ସରକାର ୩୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ଏଥିରେ ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ହେଲା ନାହିଁ କି ରଙ୍ଗ ମଧ୍ୟ ହୋଇପାରି ନାହିଁ।ଛାତ୍ର ଓ କର୍ମଚାରୀଙ୍କ ପାଇଁ ଶୌଚାଳୟ ନାହିଁ। ବିଦ୍ୟାଳୟଟି ୭୫ ବର୍ଷରେ ପଦାର୍ପଣ କରି ତାହାର ହୀରକ ଜୟନ୍ତୀ ପାଳନ କରିବାର ସମୟ ଆସିଛି। ଅନ୍ୟପକ୍ଷରେ ଏହା 5T ରେ ସାମିଲ ହୋଇଥିଲେ ସୁଦ୍ଧା ବିଦ୍ୟାଳୟଟି ମରାମତି ପାଇଁ ସରକାରୀ ଅନୁଦାନ ରହିଥିଲେ ହେଁ ଓଡ଼ଗାଁ ବ୍ଳକ ପକ୍ଷରୁ ପଦକ୍ଷେପ ନିଆଯାଇ ନଥିବାରୁ ସ୍ଥାନୀୟ ଜନସାଧାରଣ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।ଏ ସମ୍ପର୍କରେ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ବିଦ୍ୟାଳୟ ଟି ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୮୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। 5T ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପାଇଁ ଛାତଘରର ଉନ୍ନତି କରଣ କରାଗଲା କିନ୍ତୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ିବା ପାଇଁ କୌଣସି ସୁବିଧା କରାଗଲା ନାହିଁ। ଏହି ବିଦ୍ୟାଳୟଟି ୧୯୫୧ ମସିହାରେ ସ୍ଥାପିତ ହୋଇଛି। ଆଜବେଷ୍ଟସ ଗୁଡ଼ିକ କଣା ହୋଇଯାଇଥିବାରୁ ବର୍ଷା ହେଲେ ସେଥିରୁ ପାଣି ଗଳୁଛି।ଓରା ଓ ଶେଣି କାଠ ଗୁଡିକରେ ଉଇ ଲାଗି ଯାଇ ତାହା ନଷ୍ଟ ହୋଇଗଲାଣି।ଘରର କାନ୍ଥ ନଷ୍ଟହୋଇ ସେଥିରୁ ସିମେଣ୍ଟ ଖଣ୍ଡମାନ ଖସୁଛି।ବେଞ୍ଚ,ଡେସ୍କ ଓ ଚୌକି ଗୁଡ଼ିକ ପୁରୁଣା ହୋଇ ଭାଙ୍ଗି ଗଲାଣି। ବିଦ୍ୟାଳୟ ଚତୁଃପାର୍ଶ୍ଵରେ ପ୍ରାଚୀର ନିର୍ମାଣ ହୋଇନଥିବାରୁ ଗାଈ ଗୋରୁ ମାନଙ୍କ ଅବାଧ ପ୍ରବେଶ ଯୋଗୁଁ ବିଦ୍ୟାଳୟର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।ଏ ସମ୍ପର୍କରେ ବିଦ୍ୟାଳୟର ପୁରାତନ ଛାତ୍ର କବି ଏମ ଦୀନବନ୍ଧୁ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉଲ୍ଲାସ ଚନ୍ଦ୍ର ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି ଯେ ଏହି ବିଦ୍ୟାଳୟର ଉନ୍ନତି ପ୍ରତି ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ମାନଙ୍କର ଆନ୍ତରିକତା ନାହିଁ।
