ବେଲଗୁଣ୍ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କ ପରିଚାଳନାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନ.ଏ.ସି. ଉପାଧ୍ୟକ୍ଷା ଟି. ବବିତା କୁମାରୀ, ପୂର୍ବତନ କାଉନସିଲର ତଥା ସମାଜସେବୀ ସି.ଏଚ ଲିଙ୍ଗରାଜ ପାତ୍ର, ଯୁବ ସଂଗଠକ ସି.ଏଚ ଯତୀନ ଉପସ୍ଥିତ ଥିଲେ। ସକାଳ ୭ଘଣ୍ଟ ସମୟରେ ଗଣଦୌଡ ନୃସିଂହ ମନ୍ଦିର ପ୍ରାଙ୍ଗଣରୁ ଶୁଭାରମ୍ଭ କରି ବଡଦାଣ୍ଡ, ଗୋପୀନାଥ ସାହି, ହାଟପଦା ମେନରୋଡ ଦେଇ ଜ୍ଞାନ ଦେବୀ ଉଦ୍ୟାନ ପରିସରରେ ପହଞ୍ଚି ସମସ୍ତ ଅତିଥି ଓ କାଉନସିଲର ବୃକ୍ଷ ରୋପଣ କରିଥିଲେ, ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସହ ମହାତ୍ମାଗାନ୍ଧୀ ଓ ଅନ୍ୟ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳା ଅର୍ପଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜାତୀୟ ପତାକା ଉତ୍ତୋଳନ କରିସାରିବା ପରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ ଜ୍ଞାନଦେବୀ ଉଦ୍ୟାନ ପରିସରରେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ଆଚାରୀ, ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ଲିଜା ବେହେରା, ପ୍ରିୟମ୍ବଦା ସାମଲ,ପ୍ରଦୀପ ସେଠୀ, ପ୍ରଗତି ପାତ୍ର, ସୁଜ୍ୟୋତି ସୁବୁଦ୍ଧି, ସଂଗୀତା ପାତ୍ର, ବିଶ୍ୱନାଥ ଦଳେଇ ଓ ପ୍ରତିମା ସ୍ୱାଇଁ ସମସ୍ତ କାଉନସିଲର ମଞ୍ଛାସୀନ ଥିଲେ। ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୂର୍ବତନ ନଗରପାଳ, ଉପନଗର ପାଳ, କାଉନସିଲର ଓ ଉଲ୍ଲେଖନୀୟ ଅବଦାନ ରହିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ସମସ୍ତ ସ୍କୁଲ ଓ କଲେଜର କୃତିତ୍ୱ ଛାତ୍ରଛାତ୍ରୀ ମାନକୁ ପୁରସ୍କୃତ କରାଯାଇଥିଲା। ଏହାସହ ନୂତନ ଭତ୍ତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୟାଗଡର ପ୍ରସିଦ୍ଧ ଢୁମ୍ପା ନାଚ ସମସ୍ତଙ୍କ ମନ ମୋହିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ମାନଙ୍କର କୁନିକୁନି କଳାକାର ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଷଦର ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ପରିଚାଳନା କରିଥିଲେ। ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
