ଗଣତନ୍ତ୍ରର ଆଲୋକରେ ଭାରତ
ଗଣତନ୍ତ୍ରର ଆଲୋକରେ ଭାରତ
ଡ. ପ୍ରେମାନନ୍ଦ ବେହେରା
ଜାନୁଆରୀ ଛବିଶ
ସୂର୍ଯ୍ୟ ଆଜି ଅଧିକ ଗର୍ବରେ ଉଦୟ
ତିରଙ୍ଗାର ରଙ୍ଗ ଆକାଶକୁ କୁହେ….
“ମୁଁ ମୁକ୍ତ,
ମୁଁ ସ୍ୱାଧୀନ,
ମୁଁ ଗଣତନ୍ତ୍ରର ଦେଶ ।।”
ରକ୍ତରେ ଲେଖା ଇତିହାସର ପୃଷ୍ଠା
ବଳିଦାନର ଅକ୍ଷରରେ ଗଢ଼ା ସଂବିଧାନ
ସେଇ ପବିତ୍ର ଗ୍ରନ୍ଥ କହେ ଆମକୁ..
ସମତା, ସ୍ୱାଧୀନତା ଓ ଭାଇଚାରା
ହିଁ ଗଣତନ୍ତ୍ରର ପ୍ରାଣ ।।
ଏଠି ରାଜା ନୁହେଁ,
ଏଠି ପ୍ରଜା ହିଁ ସର୍ବୋଚ୍ଚ,
ଭୋଟର ଏକ ଚିହ୍ନ ହୋଇଯାଏ
ଭବିଷ୍ୟତର ନିର୍ଣ୍ଣ।ୟକ,
ନିରବ ଆଙ୍ଗୁଠିରେ ଥାଏ
ଦେଶର ଆଗାମୀ ସ୍ବପ୍ନ ।।
ଭାଷା ଭିନ୍ନ, ବେଶ ଭିନ୍ନ, ଆଚାର ଅନେକ
ତଥାପି ଏକତାର ସୂତ୍ରରେ
ବାନ୍ଧା ଏହି ଭାରତ
ଗଙ୍ଗା, ଯମୁନା, କାବେରୀର ଜଳ
ଏକାଠି ହୋଇ କହେ…
“ଆମେ ଏକ ।”
ଡକ୍ଟର ଆମ୍ବେଦକରଙ୍କ ଦୃଢ଼ ସ୍ୱପ୍ନ,
ଗାନ୍ଧୀଙ୍କ ଅହିଂସାର ଆଦର୍ଶ,
ନେହେରୁଙ୍କ ଆଧୁନିକ ଭାବନା….
ସବୁ ମିଶି ଗଢ଼ିଛି
ଗଣତନ୍ତ୍ରର ମହାପଥ ।।
ହେ ଛାତ୍ର ଛାତ୍ରୀ, ଶୁଣ
ଗଣତନ୍ତ୍ର କେବଳ ଉତ୍ସବ ନୁହେଁ,
ଏହା ଦାୟିତ୍ୱ, ଏହା ଶପଥ,
ସତ୍ୟରେ ଚାଲିବାର,
ନ୍ୟାୟ ପାଇଁ ଲଢ଼ିବାର,
ଦେଶ ପାଇଁ ବଞ୍ଚିବାର ନାମ ।।
ଆସ, ଆଜି ଶପଥ ନେବା
ଭେଦଭାବକୁ ଭାଙ୍ଗିବା,
ଅନ୍ୟାୟକୁ ରୋକିବା,
ଜ୍ଞାନ, ଶ୍ରମ ଓ ସତ୍ତାରେ
ଭାରତକୁ ଉଚ୍ଚ ଶିଖରକୁ ନେବା ।।
ତିରଙ୍ଗା ତଳେ ହାତ ରଖି କହିବା
“ମୋର ଦେଶ, ମୋର ଗର୍ବ,
ଗଣତନ୍ତ୍ର ହେଉ ମୋର ପଥ,
ଭାରତ ହେଉ ସାରା ବିଶ୍ୱର
ଶାନ୍ତିର ଆଲୋକସ୍ତମ୍ଭ ।।”
ପଦ୍ମପୁର, ବରଗଡ଼
