ଆନ୍ତଃ କଲେଜ କ୍ରିକେଟ୍ ମ୍ୟାଚ୍* କୋଣାର୍କ କଲେଜକୁ ହରାଇ ପୁରୀ ଜୋନ୍ ଚମ୍ପିୟାନ
କୋଣାର୍କ,୩୧.୧୦(ଜ)- ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଆନ୍ତଃ କଲେଜ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। +୨ ଶ୍ରେଣୀର ଛାତ୍ର ମାନଙ୍କ ପାଇଁ ଉଦ୍ଦିଷ୍ଟ ଜୋନ ସ୍ତରୀୟ ଫାଇନାଲ ଖେଳରେ କୋଣାର୍କ ଭଗବତୀ କଲେଜ ହରାଇ ପୂରୀ ଏସସିଏସ କଲେଜ ଚମ୍ପିୟାନ ହୋଇଛି। ପ୍ରାରମ୍ଭରେ କୋଣାର୍କ କଲେଜ୍ ଅଧକ୍ଷ ଅବତାର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ ଶୁଭାରମ୍ଭ କରିଥିଲେ। ବର୍ଷା ବାଧାପ୍ରାପ୍ତ କାରଣରୁ ୧୦ ଓଭର ବିଶିଷ୍ଟ ମ୍ୟାଚ୍ କରାଯାଇଥିଲା। ପୂରୀ କଲେଜ ଟିମ୍ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ପୂରୀ କଲେଜ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୮୬ ରନ୍ କରିଥିଲା। ଜବାବରେ କୋଣାର୍କ କଲେଜ୍ ୧୦ ଓଭରରେ ୪ ୱିକେଟ୍ ହରାଇ ମାତ୍ର ୭୦ ରନ କରିଥିଲା । ଯାହା ଫଳରେ ପୁରୀ ଏସ ସି ଏସ କଳେଜ୍ କୋଣାର୍କ ଜୋନ୍ ବିଜେତା ହୋଇ କାଉନସିଲ ମ୍ୟାଚ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଅଲାରାଉଣ୍ଡ ପ୍ରଦର୍ଶନ ପାଇଁ ଦୁର୍ଗା ପ୍ରସାଦ ଦାଶଙ୍କୁ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଥିଲା। କୋଣାର୍କ କଲେଜରେ ଦୁଇ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ କାଉନସିଲ ନେଟ୍ସ ମ୍ୟାଚ୍ ପାଇଁ ମନୋନୀତ କରାଯାଇଛି।ଅମ୍ପାୟାର୍ ଭାବେ ପୂର୍ବତନ କ୍ଲବ୍ କ୍ରିକେଟ୍ ଖେଳାଳି ରମେଶ ସ୍ବାଇଁ ଓ ପୂର୍ବତନ ଆନ୍ତଃ କଲେଜ କ୍ରିକେଟର ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଅଧ୍ୟାପକ କ୍ୟାପଟେନ ବିନୟ ଭୂଷଣ ମହାନ୍ତି ଓ ଅଧ୍ୟାପକ ସୁରେନ୍ଦ୍ର ଖଟୁଆ ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଖେଳରେ କୋଣାର୍କ କଲେଜ୍ ଏନସିସି ଛାତ୍ର ମାନେ ସହଯୋଗ କରିଥିଲେ।
