ଆନ୍ତର୍ଜାତୀୟ ଅର୍ଥ ନିଗମ ସଦସ୍ୟଙ୍କ ଓଡ଼ିଶା ଗସ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ

ଭୁବନେଶ୍ୱର ତା-୦୬.୦୩.୨୦୨୬ “ବିକଶିତ ଓଡିଶା ୨୦୩୬” ଦୃଷ୍ଟିକୋଣ ଅନୁସାରେ ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବେସରକାରୀ ନିବେଶକୁ ତ୍ୱରାନ୍ୱିତ ଓ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଅର୍ଥ ନିଗମ ( ଆଇଏଫସି)ର ଏକ ୬ ଜଣିଆା ପ୍ରତିନିଧି ଦଳ ଗତ ଫେବୃଆରୀ ୨୬ ଓ ୨୭ ତାରିଖରେ ଓଡିଶା ପରିଦର୍ଶନ କରିଥିଲେ । ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ (ଆଇଏଫସି), ବିକାଶଶୀଳ ଦେଶଗୁଡ଼ିକରେ ବେସରକାରୀ କ୍ଷେତ୍ରକୁ କେନ୍ଦ୍ରକରି କାର୍ଯ୍ୟ କରୁଥିବା ବିଶ୍ୱର ଏକ ବୃହତ୍ ବିକାଶମୂଳକ ସଂସ୍ଥା । ପିପିପି (ପବ୍ଲିକ୍–ପ୍ରାଇଭେଟ୍ ପାର୍ଟନରଶିପ୍) କ୍ଷେତ୍ରର ବରିଷ୍ଠ ବିଶେଷଜ୍ଞ ଓ ପରାମର୍ଶଦାତାମାନଙ୍କୁ ନେଇ ଗଠିତ ଆଇଏଫସିର ଏକ ଦଳ ଫେବୃୟାରୀ ୨୬ ତାରିଖରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ଯୋଗଦେଇଥିଲେ । ଏହି ବୈଠକ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକରେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ର ସହିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନଙ୍କ ସମେତ ରାଜ୍ୟ ଅର୍ଥ ବିଭାଗର ପିପିପି ସେଲ, ଅର୍ଥ ବିଭାଗର ଅଧିକାରୀମାନେ ଯୋଗଦେଇ ରାଜ୍ୟରେ ଏକ ସୁଦୃଢ଼ ପିପିପି ପ୍ରକଳ୍ପ ବ୍ୟବସ୍ଥା ଗଠନ ପାଇଁ ବିଭିନ୍ନ କ୍ଷେତ୍ରଭିତ୍ତିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ “ଭିଜନ ୨୦୩୬” ରାଜ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କିପରି ବହୁମୁଖୀ ମାନ୍ୟତା ଓ ପରିଚିତି ଦେବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ, ସେଥିପାଇଁ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ସେ ମଧ୍ୟ ନବୀକରଣଯୋଗ୍ୟ ଶକ୍ତି, ବିଦ୍ୟୁତ ସଂଚରଣ, ଲଜିଷ୍ଟିକ୍ସ ଓ ପରିବହନ, ସହର ଭିତ୍ତିଭୂମି ତଥା ଇ-ମୋବିଲିଟି ପରି ପ୍ରାଥମିକତାପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ବ୍ୟାଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *